ଧର୍ମୀୟ ଅନୁଷ୍ଠାନ ପ୍ରତିନିଧିମାନଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା

ବାଲେଶ୍ୱର, (ସରୋଜ ପଣ୍ଡା) :କୋଭିଡ୍‌-୧୯ ଭୂତାଣୁ ଏବଂ ଏହାର ନୂତନ ପ୍ରଜାତି ଓମିକ୍ରନ ସଂକ୍ରମଣରେ ବୃଦ୍ଧି ଦେଖାଦେଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇ ବିଭିନ୍ନ କଟକଣା ଜାରି କରାଯାଇଛି । ମାର୍ଗଦର୍ଶିକା ଅନୁଯାୟୀ ଜନସମାଗମକୁ ଏଡାଇବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଏହାକୁ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧର୍ମୀୟ ଅନୁଷ୍ଠାନଗୁଡିକର ପ୍ରତିନଧିମାନଙ୍କ ସହ ଆଲୋଚନା କରାଯାଇଛି । ଆଜି ସନ୍ଧ୍ୟାରେ ସ୍ଥାନୀୟ ସଦଭାବନା ଗୃହରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ଦୀପ୍ତିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଧର୍ମାନୁଷ୍ଠାନ ଯଥା ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୁରୁ୍‌ଦ୍ୱାର ଇତ୍ୟାଦିର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ଲାଗି ଯଥେଷ୍ଟ ସାବଧାନତା ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଧର୍ମାନୁଷ୍ଠାନଗୁଡିକରେ କୋଭିଡ୍ ପ୍ରତିରୋଧୀ ନିୟମାବଳୀର ଅନୁପାଳନ କରାଯିବାକୁ ସହମତି ପ୍ରକାଶ ପାଇଥିଲା । ଧର୍ମାନୁଷ୍ଠାନଗୁଡିକରେ କ୍ଷମତାର ୫୦ପ୍ରତିଶତ କିମ୍ବା ସର୍ବାଧିକ ୧ଶହ ଲୋକ ଯେଉଁମାନେ କୋଭିଡ୍ ଟିକାର ଦୁଇଟି ପାନ ଗ୍ରହଣ କରିଥିବେ ସେମାନଙ୍କୁ ହିଁ ପ୍ରବେଶ ଅନୁମତି ମଳିବ । ସୀମିତସଂଖ୍ୟକ ବ୍ୟକ୍ତିଙ୍କ ଦ୍ୱାରା ବିଧି-ବିଧାନ ଓ ନୀତିକାନ୍ତି ସମ୍ପନ୍ନ କରାଯିବ । ଧର୍ମାନୁଷ୍ଠାନ ପରିସରରେ କୌଣସି ପ୍ରକାର ଧାର୍ମିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ । ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୧୦ ବର୍ଷରୁ କମ୍ ବୟସ ଶିଶୁମାନଙ୍କୁ ଧର୍ମୀୟ ଅନୁଷ୍ଠାନକୁ ଯିବା ପାଇଁ ବାରଣ କରାଯିବ । ଏ ସମ୍ପର୍କରେ ସଚେତନତା ପାଇଁ ଧର୍ମାନୁଷ୍ଠାନଗୁଡିକରେ ବ୍ୟାନର, ପୋଷ୍ଟର ମାରିବା ପାଇଁ ବୈଠକରେ ସମ୍ମତି ପ୍ରକାଶ ପାଇଥିଲା । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱେଚ୍ଛାସେବୀମାନଙ୍କର ସହଯୋଗ ନିଆଯିବ । ସପ୍ତାହାନ୍ତ ଓ ସାର୍ବଜନୀକ ଛୁଟି ଦିବସରେ ବ୍ୟାପକ ଜନସମାଗମକୁ ଏଡାଇବା ପାଇଁ ଧର୍ମାନୁଷ୍ଠାନଗୁଡିକୁ ବନ୍ଦ ରଖିବା ପାଇଁ ବୈଠକରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା । ମାସ୍କ ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ । ଆବଶ୍ୟକସ୍ଥଳେ ଧର୍ମାନୁଷ୍ଠାନଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ପଦକ୍ଷେପ ନିଆଯିବ । କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ବହୁ ପ୍ରାଣହାନୀ ହୋଇଥିବା ବେଳେ ଏବେ ଆମ ସମସ୍ତଙ୍କୁ ସମସ୍ତ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ କହିଥିଲେ । କରୋନା ସଂକ୍ରମଣକୁ ଏଡାଇବା ପାଇଁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଏହି ଅବସରରେ ସମସ୍ତ ଧର୍ମାନୁଷ୍ଠାନ ପ୍ରତିନିଧିମାନଙ୍କ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ