ଧର୍ମ ପରାୟଣା ମହିଳାଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ୍ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମର ବରିଷ୍ଠ ସମାଜସେବିକା ତଥା ଧର୍ମ ପରାୟଣା ମହିଳା ରସବତୀ ଦାସ(୯୪)ଙ୍କର ଗୁରୁବାର ପରଲୋକ ଘଟିଛି । ଦୀର୍ଘ ବର୍ଷ ଧରି ସେ ସମାଜସେବା କାର୍ଯ୍ୟରେ ସକ୍ରିୟ ରହି ଥିଲାବେଳେ ନିଜର ସ୍ପଷ୍ଟବାଦିତା ପାଇଁ ଏ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଥିଲେ । ତାଙ୍କର ଅନୁଷ୍ଠାନ ପ୍ରେମୀ ଗୁଣ ପାଇଁ ଅତୀତରେ ସେ ଅଣ୍ଢିଆ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଭାବେ ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରିବା ସହ ମହିଳା ସଶକ୍ତିକରଣ ପାଇଁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଥିଲେ । ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହେବା ଫଳରେ ଭଦ୍ରକ ସ୍ଥିତ ସାନ ଝିଅଙ୍କ ପାଖରେ ରହି ଚିକିତ୍ସିତ ହେଉଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ ଅଶୋକ, ରାଧାକୃଷ୍ଣ, ବସନ୍ତ, ସଂଗ୍ରାମଙ୍କ ସହ ସମସ୍ତ ବୋହୂ, ଝିଅଜ୍ୱାଇଁ, ନାତିନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ଭଦ୍ରକରୁ ନିଜ ବାସସ୍ଥାନ ଅଣ୍ଢିଆକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପୁଅ ବସନ୍ତ ମୁଖାଗ୍ନି ଦେଇଥିଲେ । ଖବରପାଇ ଯୁବ ସମାଜସେବୀ ଭବେନ୍ଦ୍ର କୁମାର ସାହୁ, ସମାଜସେବୀ ଡାକ୍ତର ପ୍ରଶାନ୍ତ କୁମାର ଖଟୁଆ, ପ୍ରାକ୍ତନ ସମିତସଭ୍ୟ ରବିନ୍ଦ୍ର ନାଥ ଧଳ, ଅବସରପ୍ରାପ୍ତ ଜାତୀୟ ପୁରସ୍କୃତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ଅବସରପ୍ରାପ୍ତ ଶିକ୍ଷକ ହରେକୃଷ୍ଣ ନାୟକ, କୃଷ୍ଣଚନ୍ଦ୍ର ରାଉତ, ଜଗନ୍ନାଥ ପାତ୍ର, ଅଣ୍ଢିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।