ଧର୍ମ ପରାୟଣା ୯୫ବର୍ଷୀୟା ବୃଦ୍ଧା ୱାର୍ଡସଭ୍ୟା ପ୍ରାର୍ଥୀନୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ନେତା ଓ ଭୋଟରଙ୍କ ଉତ୍ସାହ ସେତେ ବଢ଼ିବାରେ ଲାଗିଛି । ଏହାରିଭିତରେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ କିଛି ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ସ୍ଵେଚ୍ଛାକୃତ ଭାବେ ଲୋକମାନଙ୍କ ସେବା ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି । ଏପରିକି ବୟସର ଅପରାହ୍ନରେ ମଧ୍ୟ ଜଣେ ପ୍ରାର୍ଥୀନୀ ୱାର୍ଡସଭ୍ୟା ଭାବେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇ ପଂଚାୟତ ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଏମିତି ଜଣେ ପ୍ରାର୍ଥୀନୀ ହେଲେ ତେସିଙ୍ଗା ପଂଚାୟତ ୪ନଂ ୱାର୍ଡର ମିନି ଜେନା । ଯାହାଙ୍କୁ ମିନି ଅପା ଭାବେ ପଂଚାୟତ ଅଂଚଳରେ ସମସ୍ତେ ଜାଣିଛନ୍ତି । ବୟସ ତାଙ୍କୁ ଏବେ ୯୫ବର୍ଷରୁ ଅଧିକ ହୋଇଥିବା ବେଳେ ସେ ଏକାଧାରରେ ଜଣେ ଧର୍ମ ପରାୟଣା ଓ ମହିୟସୀ ମହିଳା ଅଟନ୍ତି । ସେ ତାଙ୍କ ଜୀବନ କାଳ ଭିତରେ ପ୍ରାୟ ଦୁଇ ହଜାରରୁ ଅଧିକ ପ୍ରସୂତିଙ୍କ ଗର୍ଵ ଯନ୍ତ୍ରଣା ଲାଘବ କରିଥିବା ବେଳେ ପିଲା ଜନ୍ମରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଯେଉଁଥି ପାଇଁ ସେ ମିନି ଧାଇ ଭାବେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଥିଲେ । ଚଳିତ ନିର୍ବାଚନରେ ଲୋକଙ୍କ ସେବାକୁ ଆହୁରି ବଢାଇବା ପାଇଁ ସେ ୪ନଂ ୱାର୍ଡର ୱାର୍ଡ ସଭ୍ୟା ପ୍ରାର୍ଥୀନୀ ହୋଇଛନ୍ତି । ସମ୍ପ୍ରତି ନିର୍ବାଚନ ଜିତିବା ପରେ ଅନେକ ପ୍ରତିନିଧି ଲୋକଙ୍କ ପାଇଁ ଉଚିତ ସେବା କଣ ଭୁଲି ଯାଉଥିବା ବେଳେ ମିନି ଅପା ପ୍ରଥମେ ଲୋକଙ୍କୁ ସେବା ଯୋଗାଇ ପରେ ଏହାକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବା ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ