ଧାନକ୍ରୟ ଉପକେନ୍ଦ୍ର ଖୋଲିବା ଦାବୀରେ ପଞ୍ଚାୟତ ଅଫିସ ଆଗରେ ଧାନବସ୍ତା ପକାଇ ଧାରଣାରେ ବସିଲେ ଚାଷୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର ବନ୍ତ ବ୍ଲକ ବସନ୍ତିଆ ସେବା ସମବାୟ ସମିତି ଅଧିନ ରାମଚନ୍ଦ୍ରପୁର ପଞ୍ଚାୟତର ଶତାଧିକ ଚାଷୀ ଧାନ ଉପକେନ୍ଦ୍ର ଖୋଲିବା ଦାବୀରେ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାନବସ୍ତା ରଖି ଧାରଣା ଦେଇଥିବା ଜଣାଯାଇଛି । ଚାଷୀ ଜୟନ୍ତ ଜେନା, ଶିବସୁନ୍ଦର ଜେନା, ବଳରାମ ଜେନା, ଶରତ କୁମାର ରାଉତଆକବର ଅଲ୍ଲୀ, ବୃନ୍ଦାବନ ଜେନା, ଜଗନ୍ନାଥ ପ୍ରଧାନ, ମାର୍କଣ୍ଡ ଚରଣ ବାରିକ, ଅକ୍ଷୟ ଜେନା, ଶରତ ଜେନା, ଗୌରାଙ୍ଗ ସାହୁ, ନିତ୍ୟାନନ୍ଦ ସାହୁଙ୍କ ସମେତ ଶତାଧିକ ଚାଷୀ ଧାରଣାରେ ସାମିଲ ଅଛନ୍ତି । ପ୍ରକାଶ ଯେ, ବନ୍ତ ବ୍ଲକର ଶେଷ ସୀମା ତଥା ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ପାଶ୍ୱର୍ରେ ବସନ୍ତିଆ ସେବା ସମବାୟ ସମିତି ଅବସ୍ଥିତ । ଏହି ସମିତି ଅଧିନରେ ବସନ୍ତିଆ, ରାମଚନ୍ଦ୍ରପୁର ଓ ଆଡିଆ ପଞ୍ଚାୟତର ଚାଷୀ ମାନେ ଅନ୍ତର୍ଭୁକ୍ତ ଅଟନ୍ତି । ରାଜ୍ୟ ସରକାର ଚାଷୀ ମାନଙ୍କ ସୁବିଧା ପାଇଁ ପ୍ରତି ସମିତି ଅଧିନରେ ମଣ୍ଡି ଖୋଲିବାର ବ୍ୟବସ୍ଥା କରିଛନ୍ତି । ଏପରିସ୍ଥଳେ ବସନ୍ତିଆ ସମିତି ଠାରୁ ରାମଚନ୍ଦ୍ରପୁର ଓ ଆଡିଆ ପଞ୍ଚାୟତର ଦୂରତ୍ୱ ପ୍ରାୟ ୧୨ କିମି ହୋଇଥିବାରୁ ଚାଷୀ ମାନେ ମଣ୍ଡିକୁ ଧାନ ବିକ୍ରି କରିବାରେ ଅସୁବିଧା ଭୋଗୁଛନ୍ତି । ଏନେଇ ଗତ ୨୦୦୨-୦୩ ଠାରୁ ଚାଷୀ ମାନେ ବହୁବାର ଆନ୍ଦୋଳନ କରିବା ପରେ ରାମଚନ୍ଦ୍ରପୁର ପଞ୍ଚାୟତରେ ଧାନକ୍ରୟ ଉପକେନ୍ଦ୍ର ଖୋଲାଯାଇଥିଲା । ଫଳରେ ଚାଷୀ ମାନେ ସୁବିଧାରେ ଧାନ ବିକ୍ରୟ କରିପାରୁଥିଲେ । ମାତ୍ର ଚଳିତ ବର୍ଷ ଉକ୍ତ ପଞ୍ଚାୟତରେ ଧାନକ୍ରୟ ଉପକେନ୍ଦ୍ର ଖୋଲା ଯାଇନଥିବାରୁ ଚାଷୀ ମାନେ ପୂର୍ବଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏନେଇ ଚାଷୀ ମାନେ ଜିଲାପାଳଙ୍କ ସମେତ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ଚାଷୀ ମାନେ ବାଧ୍ୟ ହୋଇ ଧାରଣାରେ ବସିଥିବା କହିଛନ୍ତି । ତେବେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ ନକଲେ ଚାଷୀ ମାନେ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି ।