ଧାନମଣ୍ଡି ବ୍ୟବସ୍ଥା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିଛି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଧାନମଣ୍ଡି ବ୍ୟବସ୍ଥା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିପାରିଛି । ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାର ଲୋକମାନେ ନିଜ ପରିବାର ପ୍ରତିପୋଷଣ ପାଇଁ ଏହି ଜିଲ୍ଲାରୁ ଦାଦନ ଖଟିବାକୁ ବାହାର ରାଜ୍ୟ ଓ ବିଦେଶକୁ ଯିବାକୁ ବାଧ୍ୟ ହେଉଥିଲେ । କିନ୍ତୁ ଏବେ କୃଷି ଭିତ୍ତକ ଫସଲ ଧାନ ଅମଳ କରି ସେହି ଫସଲକୁ ମଣ୍ଡିରେ ବିକ୍ରୀକରି ଭଲ ଦୁଇ ପଇସା ରୋଜଗାର କରିବାକୁ ସେମାନେ ସକ୍ଷମ ହୋଇପାରୁଥିବା ସହ ନିଜ ପରିବାରର ଭରଣପୋଷଣ କରିପାରୁଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଭଳି କୃଷି ପ୍ରଧାନ ଜିଲ୍ଲାରେ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ) ଗୁଡିକ ମାଧ୍ୟମରେ ୨୦୧୯-୨୦ ଆର୍ଥିକ ବର୍ଷର ଫେବୃୟାରୀମାସ ୨ତାରିଖ ସୁଦ୍ଧା ୩ଲକ୍ଷ ୪୨ହଜାର କ୍ୱିଂଟାଲ ଧାନ କିଣାଯାଇଥିବା ବେଳେ ଚଳିତବର୍ଷ ସେହିସମୟ ଭିତରେ ୫ଲକ୍ଷ ୪୯ହଜାର କ୍ୱିଂଟାଲ ଧାନ କିଣା ଯାଇପାରିଛି । ଅର୍ଥାତ ଗତ ବର୍ଷ ଅପେକ୍ଷା ଚଳିତବର୍ଷ ୨ଲକ୍ଷ ୭ହଜାର କ୍ୱିଂଟାଲ ଅଧିକ ଧାନ ପ୍ୟାକ୍ସ ଗୁଡିକ ମାଧ୍ୟମରେ କିଣାଯାଇଥିବା ବେଷାମରିକ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ବ୍ଲକର ୯ଟି ବ୍ଲକରେ ଥିବା ୧୧୮ଟି ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଖୋଲାଯାଇଥିବା ମଣ୍ଡି ମାଧ୍ୟମରେ ଚାଷୀମାନେ ସେମାନଙ୍କର ଧାନ ଉଚିତ ମୂଲ୍ୟରେ ବିକ୍ରୀ କରି ଲାଭବାନ ହେଉଥିବାରୁ ଧୀରେ ଧୀରେ ଏହି ଜିଲ୍ଲାରୁ ବାହାର ରାଜ୍ୟ ଓ ବିଦେଶକୁ ଦାଦନ ଖଟିବାକୁ ଯାଉଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଫଳରେ ଧାନମଣ୍ଡି ବ୍ୟବସ୍ଥା ଦ୍ୱାରା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ସହିତ ତା’ର ଅଭିବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ତେଣୁ ଏହି ଜିଲ୍ଲାର ଲୋକମାନେ ପୂର୍ବପରି ଆଉ ଦାଦନ ଖଟିବାକୁ ବାହାରକୁ ନଯାଇ କୃଷିକୁ ଜୀବିକା ଭାବେ ଆପଣେଇନେଲେ ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିପାରିବେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି ।