ଧାନ କିଣା ନ ଯିବା ପ୍ରତିବାଦରେ କୃଷି ସମବାୟ ଅଫିସରେ ତାଲା ପକାଇଲେ ଚାଷୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବଡକତୁରୁ ଗ୍ରାମ ଧାନମଣ୍ଡିରେ ଧାନକ୍ରୟ କରାଯାଉ ନ ଥିବା ଅଭିଯୋଗ କରି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟରେ ତାଲାପକାଇ ପ୍ରତିବାଦ କରିଛନ୍ତି ଚାଷୀ I ମଙ୍ଗଳବାର ଦିନ ତମାମ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଯୋଗୁଁ କର୍ମଚାରୀ କାର୍ଯ୍ୟାଳୟରେ ଭିତରେ ରହିଯାଇଥିଲେ । ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ଚାଷୀଙ୍କୁ ଆନ୍ଦୋଳନ ବେଳେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରାଯାଉନି। ଚଳିତ ବର୍ଷ ଧାନକ୍ରୟରେ ବିଭିନ୍ନ ସମସ୍ୟା ଉପୁଜୁଥିବା ବେଳେ ମାର୍ଚ୍ଚ ମାସ ମଧ୍ୟ ଭାଗରେ ମଧ୍ୟ ଚାଷୀଙ୍କ ଧାନ କ୍ରୟ କରାଯାଇନାହିଁ । ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକ କରିଥିଲେ । ହେଲେ ପ୍ରଶାସନ ତରଫରୁ ଅଳ୍ପ ଦିନରେ ଧାନ କ୍ରୟ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଜାନୁୟାରୀ ମାସରେ ଟୋକେନ୍ ପାଇଥିବା ଚାଷୀଙ୍କ ଧାନ ବର୍ତ୍ତମାନ ସୁଦ୍ଧା କ୍ରୟ କରାଯାଇନାହିଁ । ବଡକତୁରୁ ସମବାୟ ସମିତି ଦ୍ବାରା ପ୍ରାୟ ୧୯ ହଜାର କ୍ଵିଣ୍ଟାଲ ଧାନକ୍ରୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆହୁରି ୯ ହଜାର କୁଇଣ୍ଟାଲ ଧାନ କ୍ରୟ କରିବାକୁ ବାକି ରହିଛି । ତେଣୁ ଏହାର ପ୍ରତିବାଦରେ ଚାଷୀମାନେ କୃଷି ସମବାୟ ଅଫିସରେ ତାଲା ପକାଇ ପ୍ରତିବାଦ କରିଛନ୍ତି.