ଧାନ କିଣା ପାଇଁ ଟାର୍ଗେଟ ଦେବାକୁ ଦାବୀ କଲା ଚାଷୀ କମିଟି
ବନ୍ତ, (ଚାନ୍ଦିନୀ ମହାନ୍ତି):ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବନ୍ତ ଶାଖା ଅଧିନ ପଧାନପଡା ସେବା ସମବାୟ ସମିତି ମଣ୍ଡିରେ ଧାନ କିଣା ପାଇଁ ଟାର୍ଗେଟ ଦେବାକୁ ଜିଲା ପ୍ରଶାସନ ନିକଟରେ ଚାଷୀ କମିଟି ପକ୍ଷରୁ ଦାବୀ କରାଯାଇଛି । ପ୍ରକାଶ ଯେ, ସାରା ରାଜ୍ୟରେ ଗତ ଡିସେମ୍ବର ୨୮ ଠାରୁ ମଣ୍ଡିରେ ଧାନ କ୍ର୍ରୟ ଆରମ୍ଭ ହୋଇଥିଲା । ଏପରିପେକ୍ଷୀରେ ଉକ୍ତ ମଣ୍ଡିରେ ଧାନ କ୍ରୟ ନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୮ ହଜାର ୬୪୯ କୁଇଁଣ୍ଟାଲ ଟାର୍ଗେଟ ଦିଆଯାଇଥିଲା । ସେଥିମଧ୍ୟରେ ଭଦ୍ରକ ଜିଲାର ଏ.ଜି.ଏନ୍ ରାଇସ୍ ମିଲ ୨ ହଜାର ୯ ଶହ ୨୯, ମାଆ ରାଇସ୍ ମିଲ ୫ ହଜାର ୮ ଶହ ୫୯, ଉମାପତି ୫ ହଜାର ୮ ଶହ ୫୯ ଓ ବରଗଡ ଜିଲାର ବିଜୟଲକ୍ଷ୍ମୀ ରାଇସ ମିଲର ୪ ହଜାର ଟାର୍ଗେଟ ରହିଥିଲା । ଏହା ମଧ୍ୟରେ ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଟାର୍ଗେଟ ସରିଯାଇଥିବା ଜଣାଯାଇଛି । ଟାର୍ଗେଟ ସରିଯିବା ଫଳରେ ଜାନୁଆରୀ ମାସର ଟୋକନ ପାଇଥିବା ବହୁ ଚାଷୀଙ୍କ ସମେତ ଅନ୍ୟ ଚାଷୀ ମାନେ ଏବେ ଧାନ ବିକ୍ରୟ କରିବା ନେଇ ଚିନ୍ତାରେ ପଡିଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସଂପୃକ୍ତ ସମିତିକୁ ତୁରନ୍ତ ଟାର୍ଗେଟ ପ୍ରଦାନ କରିବାକୁ ଚାଷୀ କମିଟି ପକ୍ଷରୁ ଦାବୀ କରାଯାଇଛି ।