ଧାନ କିଣା ପାଲଟିଛି ପ୍ରହସନ, ଧାନ ବିକି ନପାରି ଚାଷୀ ହନ୍ତସନ୍ତ
ହାଟଡିହି, (ବିକାଶ ବିଶ୍ୱାଳ) :ସରକାରଙ୍କ ଧାନ କିଣା ବ୍ୟବସ୍ଥା ପାଲଟିଛି ପ୍ରହସନ । ମଣ୍ଡିରେ ଧାନ ବିକ୍ରୀ କରିନପାରି ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ଚଳିତବର୍ଷ ପ୍ରଥମେ ନିଅଣ୍ଟିଆ ବର୍ଷା ଓ ପରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ନାନା କ୍ଷତିଗ୍ରସ୍ଥ ହୋଇଥିବାବେଳେ ଏବେ ଅଭାବୀ ଧାନ ବିକ୍ରୀ ସେମାନଙ୍କୁ ବୋଝ ଉପରେ ନଳିତା ବିଡା ସଦୃଷ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଡଅଁର ସମବାୟ ସମତିରେ । ଏହି ସମିତି ଅଧିନରେ ଥିବା ବିଭିନ୍ନ ଗ୍ରାମର ଶହଶହ ଚାଷୀ ଧାନ ବିକିବାରୁ ବଞ୍ଚିତ ହୋଇଛନ୍ତି । ଏପରିକି କିଛି ଚାଷୀ ଗତ ମାସେ ହେଲା ଧାନ ଆଣି ମଣ୍ଡିରେ ପକାଇ ରଖିଥିଲେବି ଧାନ ବିକିପାରୁ ନାହାନ୍ତି । ଚାଷୀମାନେ ରାତି ଉଜାଗର ରହି ଧାନ ଜଗାରଖା କରୁଥିବାବେଳେ ଅନେକ ସମୟରେ ଗୋରୁ ଗାଈ ମାନେ ଧାନ ଖାଇଯାଉଥିବା ଦେଖିବାକୁ ମିଳିଛି । ମଣ୍ଡିକୁ ଧାନ କିଣା ଅଧିକାରୀ ଯାଉ ନଥିବାରୁ ଚାଷୀମାନେ କଣ ପାଇଁ ଧାନ କିଣା ବନ୍ଦ ଅଛି ସେସମ୍ପର୍କରେ ଜାଣି ପାରୁ ନାହାନ୍ତି ବୋଲି ନିରୋଦ ମଲ୍ଲିକ, ରଙ୍ଗାଧର ଜେନା, ନୃଷିହଂ ବେହେରା, ଆନନ୍ଦ ଜେନା ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀ ନିରୋଦ ବାରିକଙ୍କ କହିବାନୁଯାଇ ତାଙ୍କ ଧାନ ବିକିବାପାଇଁ ଟୋକନ ଆସିଥିଲା । ଫେବୃୟାରୀ ୧୧ରେ ଧାନ ବିକିବା ପାଇଁ ମେସେଜ ଆସିଥିଲା । ସେ ସେହି ଅନୁସାରେ ଧାନ ଆଣିବାକୁ ଧାନକ୍ରୟ ଅଧିକାରୀଙ୍କୁ ପଚାରିବାରୁ ସେ ବର୍ତ୍ତମାନ ନିର୍ବାଚନ ଚାଲିଛି, ନିର୍ବାଚନ ଯାଉ ଧାନ ଆଣିବ ବୋଲି କହିଥିଲେ । ମାତ୍ର ଗତ ୯ତାରିଖ ଆସି ବୁଝିବା ବେଳକୁ ଟାର୍ଗେଟ ଆସିନି କହି ତାଙ୍କ ଧାନ କିଣିବାକୁ ମନା କରାଯାଇଛି । ସେହିପରି ରାଧାନଗର ପାଟଣାର ଚାଷୀ ରଙ୍ଗାଧର ଜେନାଙ୍କ କହିବାକଥା ଯେ ତାଙ୍କର ଫେବୃୟାରୀ ୧୨ତାରିଖରେ ୭୨କୁଇଣ୍ଟାଲ ୯୫କିଲୋ ଧାନ ବିକିବା ପାଇଁ ଟୋକନ ଆସିଥିଲା । କିନ୍ତୁ ଧାନ ଆଣିବାବେଳକୁ ଧାନ ରଖାଗଲା ନାହିଁ । ବେପାରୀଙ୍କ ପାଖରୁ ଧାନ କିଣିନେଇ ଟାର୍ଗେଟ ସାରିଦେବାବେଳେ ଚାଷୀଙ୍କ ଧାନ କିଣାଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ସରଳା ଗ୍ରାମର ନୃଷିହଂ ଚରଣ ବେହେରାଙ୍କ ଅଭିଯୋଗ ଯେ ସେ ସାଢ଼େ ତିନି ଏକର ଜମି ଚାଷ କରିଥିବାବେଳେ ତାଙ୍କୁ ଫେବୃୟାରୀ ୧୦ତାରିଖ ପାଇଁ ଟୋକନ ଦିଆଯାଇଥିଲା । କିନ୍ତୁ ଫେବୃୟାରୀ ୧୦ଯାଇ ମାର୍ଚ୍ଚ ୧୦ତାରିଖ ବି ଗଲାଣି ତାଙ୍କ ଧାନ ଉଠାଯାଉନି । ସେ ମଣ୍ଡି ସାମ୍ମୁଖରେ ଧାନ ପକାଇ ଦିନରାତି ଜଗିବା ସାର ହେଉଛି । ମଣ୍ଡିରେ ଧାନ କିଣା ବନ୍ଦ ହୋଇଯାଇଥିବାରୁ ଏହାର ଫାଇଦାନେଇ ବେପାରୀମାନେ ୧୨ଶହ ଟଙ୍କାରେ ଧାନ କିଣୁଛନ୍ତି । ବାଧ୍ୟ ହୋଇ ଚାଷୀମାନେ ସାଗ ମାଛ ଦରରେ ସେମାନଙ୍କୁ ଧାନ ବିକିଦେଉଛନ୍ତି । ଧାର କରଜ କରି ଓ ବିଭିନ୍ନ ବ୍ୟାଙ୍କ ତଥା ସମବାୟ ସମିତି ମାଧ୍ୟମରେ ଋଣ କରି ଚାଷ କରିଥିବା ଚାଷୀ ଏବେ ଧାର କରଜ ସୁଝିବାକୁ ପଇସାଟିଏ ବି ପାଉନାହିଁ । ଧାନ ବିକ୍ରୀବଟା ହୋଇ ପାରୁ ନଥିବାରୁ ଘରର ଅନ୍ୟ କାମ ମଧ୍ୟ ବନ୍ଦ ରହିଛି । ଏ ସମ୍ପର୍କରେ ସମିତିର ସମ୍ପାଦକ ତଥା ଧାନକ୍ରୟ ଅଧିକାରୀ ଉମାକାନ୍ତ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଡଅଁର ସମିତିରେ ଚଳିତବର୍ଷ ୨୨୬୭ଜଣ ଚାଷୀ ଧାନ ବିକିବାପାଇଁ ନାମ ପଞ୍ଜିକୃତ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ନିକଟରୁ ୮୦୩୨୭ କୁଇଣ୍ଟାଲ ଧାନ କିଣିବାପାଇଁ ଟାର୍ଗେଟ ଆସିଥିଲା । ସେହି ଅନୁସାରେ ୧୭୩୦ଜଣ ଚାଷୀଙ୍କ ଠାରୁ ୮୦୨୦୬କୁଇଣ୍ଟାଲ ଧାନ କିଣା ହୋଇଛି । ଆଉ ଟାର୍ଗେଟ ନଆସିବାରୁ ୫ଶହରୁ ଉର୍ଦ୍ଧ ଚାଷୀଙ୍କ ଧାନ କ୍ରୟ ହୋଇପାରୁ ନାହିଁ । ଗତ ୨୩ତାରିଖ ଦିନ ଶେଷ ଟୋକନ ଆସିଥିବାବେଳେ ତାର ଅବଧି ୨୮ଦିନ ଥିବାରୁ ଗତ ୮ତାରିଖରୁ ଟୋକନ ସବୁ ଲାପସ ହୋଇଚାଲିଛି । ଚାଷୀମାନେ ଧାନ ପକାଇ ବସିଥିବାରୁ ସେଠାକୁ ଗଲେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସେଠାକୁ ଯିବାକୁ ମୁଁ ସୁରକ୍ଷିତ ମଣୁନାହିଁ । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଓ ଜିଲ୍ଲାପ୍ରଶାସନ ତୁରନ୍ତ ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିଦେଇ ଧାନ କିଣାଯିବାର ବ୍ୟବସ୍ଥା କରାଇବାକୁ ଚାଷୀମାନେ ଦାବି କରିଛନ୍ତି । ନଚେତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ।