ଧାନ ପଞ୍ଜିକରଣରୁ ବଂଚିତ ଚାଷୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ବଡକୋଳିପଡି ଗ୍ରାମର ଅଚ୍ୟୁତାନନ୍ଦ ବିଶ୍ୱାଳ ଜଣେ ମଧ୍ୟବିତ୍ତ ଚାଷୀ ଅଟନ୍ତି। ଚାଷ ଉପାର୍ଜିତ ଅର୍ଥରୁ ପରିବାର ପ୍ରତିପୋଷଣ ହେଉଥିବା ବେଳେ ପିଲା ଛୁଆ ମଧ୍ୟ ପାଠଶାଠ ପଢ଼ିଥାନ୍ତି। ମୋଟାମୋଟି ଭାବେ ଚାଷ ଜମିରୁ ଯେତିକି ଧାନ ମିଳେ ବର୍ଷକ ଖାଇବା ରଖି ସାରିବା ପରେ ବାକିତକ ସମବାୟ ସମିତିରେ ବିକି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ପରିତାପର ବିଷୟ ଚଳିତ ବର୍ଷ ଖରିଫ ଧାନ ପଞ୍ଜିକରଣ ସମୟରେ ତାଙ୍କର ନାମ ପଞ୍ଜିକୃତ ହୋଇନଥିବା ଶ୍ରୀ ବିଶ୍ୱାଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ସେ ସରସଦା ସମିତି ଠାରେ ନାମ ପଞ୍ଜିକରଣ ପାଇଁ ନେଟ ପଟ୍ଟା, ଆଧାର କାର୍ଡ, ଖଜଣା ପାଉତି ଓ ବ୍ୟାଙ୍କ ପାସ ବହି ଦାଖଲ କରିଥିଲେ । ସମବାୟ ଖାତାରେ ମଧ୍ୟ ପଞ୍ଜିକରଣ ପାଇଁ ୩୦୯ନଂ କ୍ରମିକ ସଂଖ୍ୟା ଥିଲା। ଅଗଷ୍ଟ ମାସ ୨୬ତାରିଖରେ ପଞ୍ଜିକରଣ ପାଇଁ ସମୟ ସରିବା ପରେ ସେ ୩୧ତାରିଖ ଦିନ ଅନଲାଇନରେ ତାଙ୍କ ନାମ ତନଖି କରିଥିଲେ। ତନଖି ବେଳେ ଧାନ ବିକ୍ରୟ ପାଇଁ ତାଙ୍କ ନାମ ପଞ୍ଜିକରଣ ହୋଇନଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ସମ୍ପାଦକଙ୍କୁ ଏବିଷୟରେ ଜଣାଇଥିଲେ ସୁଦ୍ଧା ପଞ୍ଜିକରଣ ସାଇଟ ବନ୍ଦ ହୋଇଯାଇଥିବାରୁ ଆଉ କିଛି କରିହେବ ନାହିଁ ବୋଲି ସୂଚନା ଦିଆଯାଇଥିଲା। ଏହାପରେ ଶ୍ରୀ ବିଶ୍ୱାଳ ଆଜି ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀ ଓ ସମବାୟ ବିଭାଗ ଉଚ୍ଚ ପଦଧିକାରୀଙ୍କୁ ଜଣାଇଛନ୍ତି। ଏହାସତ୍ତ୍ୱେ ତାଙ୍କ ନାମ ପଞ୍ଜିକରଣ ନହେଲେ ସେ ଧାରଣା ଦେବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ