ଧାନ ଫସଲରେ ଅଜଣା ରୋଗକୁ ନେଇ ଚାଷୀ ଆତଙ୍କିତ
କୋଦଳା,(ଗୁଲସନ କୁମାର କର) :କରୋନା ମହାମାରୀ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଧାନ ଫସଲ ଅମଳ ପୂର୍ବରୁ ଅଜଣା ରୋଗ ଏବେ ଚାଷୀଙ୍କ ଉପରେ ଦାଉ ସାଧିଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତରେ ଏବେ ଚାଷୀ ଫସଲରେ ଅଜଣା ରୋଗକୁ ନେଇ ହତାଶ ହୋଇ ପଡିଛି। ଧାର କରଜ କରି ଚାଷ କରିଥିବା ଚାଷୀ ମାନେ ଏବେ କରଜ ସୁଝିବା ନେଇ ଚିନ୍ତାରେ ପଡିଛନ୍ତି। ଖଣ୍ଡିଆନଈ ପଞ୍ଚାୟତର ଖଣ୍ଡିଆନଈ, ତିରିଡା, ମିରିଗିଲେଣ୍ଡି ସମେତ ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ଏବେ ଚାଷୀମାନେ ସମାନ ଅଭିଯୋଗ ଆଣିଛନ୍ତି।ଗୋଟିଏ ପଟେ କରୋନାକୁ ନେଇ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ବ୍ଲକର ହଜାର ହଜାର ଚାଷୀ ବହୁ କଷ୍ଟରେ ଚଳିତ ବର୍ଷ ଧାନ ଚାଷ କରିଥିଲେ। ବିହନ ଅଭାବ, ସାରର ଅଭାବି ବିକ୍ରି ସହ ବିଭିନ୍ନ ପ୍ରକାରର ସମସ୍ୟା ଦେଇ ଗତି କରୁଥିବା ଚାଷୀ ଏବେ ଫସଲରେ ଅଜଣା ରୋଗକୁ ନେଇ ହତବାକ୍ ହୋଇ ଯାଇଛି। ଶହ ଶହ ଏକର ଜମିରେ ଧାନ ଚାଷ ହୋଇଥିବା ବେଳେ ଧାନ ପୁଡା ହେବା ସମୟରେ ଅଜଣା ରୋଗ ବ୍ଯାପିଥିଲା। ଯାହାକୁ ନେଇ ଚାଷୀମାନେ ସାର ଦୋକାନରୁ ଔଷଧ ଆଣି ପ୍ରୟୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେବେ ଏନେଇ ବ୍ଲକ ସହ କୃଷି ଅଧିକାରୀଙ୍କୁ ପଚାରିବାରୁ କିଛି ସ୍ଥାନରୁ ଏଭଳି ଖବର ଆସିଥିବା କହିଛନ୍ତି।ବିହନ କେଉଁଠୁ ଆଣି ଚାଷୀ ଚାଷ କରିଥିଲେ ଏବଂ ଖରାପ ବିହନ ଏହାର କାରଣ ହୋଇଥାଇ ପାରେ ବୋଲି ସେ କହିଛନ୍ତି। ଏନେଇ ସେ ଅନୁଧ୍ୟାନ କରିବା ସହ ଉପରିସ୍ଥ ଅଧିକାରୀମାନଙ୍କୁ ପଚାରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ବେଗୁନିଆପଡ଼ା ବ୍ଳକର ଶହ ଶହ ହେକ୍ଟର ଚାଷ ଜମିରେ ଧାନ ଫସଲ ହୋଇଥିବା ବେଳେ ବ୍ଲକ କୃଷି ଅଧିକାରୀ ଓ ସ୍ଥାନୀୟ ତହସିଲ କାର୍ଯ୍ଯାଳୟ ପକ୍ଷରୁ ଏନେଇ ତୁରନ୍ତ ଦୃଷ୍ଟି ଆକର୍ଷଣ କରି କ୍ଷୟକ୍ଷତି ପରିମାଣ ଆକଳନ କରିବା ପାଇଁ ଦାବି ହୋଇଛି। ଅପରପକ୍ଷେ ଫସଲ ରୋଗ ଦାଉରୁ ରକ୍ଷା କରିବା ପାଇଁ କୃଷି ବିଭାଗ ଉପଯୁକ୍ତ ପଦକ୍ଷେପ ନେବାକୁ ମଧ୍ଯ ଦାବି କରିଛନ୍ତି ସ୍ଥାନୀୟ ଚାଷୀ ।