ଧାନ ବିକ୍ରି ହୋଇପାରୁନି, ମୁଣ୍ଡରେ ହାତ ଦେଲେ ଚାଷୀ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଚାଷୀମାନଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଚଳିତ ବର୍ଷ ମଣ୍ଡିରେ ଧାନ କିଣା ଦାୟିତ୍ଵ କେତେକ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ହସ୍ତାନ୍ତର କରିଥିଲେ । କିନ୍ତୁ ଚାଷୀଙ୍କୁ ସୁବିଧା ହେବା ପରିବର୍ତ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେବାର ଦୃଶ୍ୟ ଦେଖିବାକୁ ମିଳିଛି । କହିଛନ୍ତି ଯେ ମିଲର୍ ଓ କୃଷି ସମବାୟ ସମିତିର ସେକ୍ରେଟାରୀଙ୍କ ସଲାସୁତରା ଆଧାରରେ ଆଗରୁ ଧାନ କିଣା ଯାଉଥିଲା । ଚଳିତ ବର୍ଷ ସେମାନଙ୍କୁ ଉକ୍ତ ସୁଯୋଗ ନମିଳିବାରୁ ସେମାନେ ଧାନ କିଣା ଦାୟିତ୍ଵ ପାଇଥିବ ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ଉସୁକାଉଛନ୍ତି ଆନ୍ଦୋଳନ କରିବା ପାଇଁ ଫଳରେ କେତେକ ସ୍ଥାନରେ ଏଯାଏଁ ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇନାହିଁ ତ ଆଉ କେତେକ ସ୍ଥାନରେ ଚାଷୀ ମାନଙ୍କୁ ବହୁତ ହୋଇରାଣ ହରକତ କରାଯାଉଥିବା କହିଛନ୍ତି । ମିଲର୍ ମାନେ ପୂଜା ଓ ମସୁରି ବ୍ୟତୀତ ଅନ୍ୟ କୌଣସି କିସମର ଧାନ କିଣିବାକୁ ମନା କରିଛନ୍ତିି । ତେଣୁ ଚାଷୀମାନେ ଅନ୍ୟ କିସମର ଧାନ କିଏ କିଣିବ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଛଡ଼ା ଚାଷୀ ମାନଙ୍କୁ ଗନି ବ୍ୟାଗ ଓ ମଣ୍ଡିରୁ ମିଲ୍ କୁ ଧାନ ନେବା ସକାଶେ ପରିବହନ ଖର୍ଚ୍ଚ ଦେବା କଥା ସେତିକି ଦେଉ ନାହାନ୍ତି । ଅନ୍ୟ ପକ୍ଷରେ ୮୧ କେ.ଜି ୫୦୦ ଗ୍ରାମ ଓଜନ ବିଶିଷ୍ଟ ଧାନ ବସ୍ତାର ମୂଲ୍ୟ ୧୫୫୨ ଟଙ୍କା ରହିଥିବା ବେଳେ ଚାଷୀଙ୍କୁ ମିଲର୍ ମାନେ ଦେଉଛନ୍ତି ୧୫୨୦ ଟଙ୍କା। ପ୍ରକାଶ ଯୋଗ୍ୟ ଯେ, ଚଳିତ ବର୍ଷ ‘ ବି ‘ ଗ୍ରେଡ୍ ଧାନର କ୍ଵିଣ୍ଟାଲ ପିଛା ଦର ୧୯୪୦ ଟଙ୍କା ଓ ‘ ଏ ‘ ଗ୍ରେଡ୍ ଧାନର କ୍ଵିଣ୍ଟାଲ ପିଛା ଦର ୧୯୬୦ ଟଙ୍କା ରହିଛି । ଚୁଡଙ୍ଗପୁର ଗ୍ରାମର ଚାଷୀମାନେ ଜଣାଇଛନ୍ତି ଯେ, ସେମାନଙ୍କ ଗ୍ରାମର ଧାନ କିଣିବା ଦାୟିତ୍ଵ ଶିବ ଗଣେଶ ସ୍ଵୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି । ଏକ ନମ୍ବର ଟୋକେନ୍ ପାଇଥିବା ଚାଷୀଙ୍କ ଠାରୁ ଉକ୍ତ ଗୋଷ୍ଠୀ ଧାନ କିଣିଛି, କିନ୍ତୁ ଦୁଇ ନମ୍ବର ଟୋକେନ୍ ପାଇଥିବା ଚାଷୀ ଆସି ନଥିବା କାରଣରୁ ତିନି ନମ୍ବର ଟୋକେନ୍ ପାଇଥିବା ଚାଷୀଙ୍କ ଠାରୁ ଧାନ କିଣା ଯାଉନାହିଁ । ଦୁଇ ନମ୍ବର କାମ ସରିଲେ ହିଁ ତିନି ନମ୍ବର କାମ ହେବ ବୋଲି ଗୋଷ୍ଠୀ ପରିଚାଳନା ପକ୍ଷରୁ କୁହାଯାଇଛି । ଟୋକେନ୍ ଦ୍ୱାରା ଧାର୍ଯ୍ୟ ସମୟ ଭିତରେ ଧାନ କିଣା ହୋଇ ନପାରିବାର ଭୟ ତେଣୁ ଚାଷୀଙ୍କ ଭିତରେ ସୃଷ୍ଟି ହୋଇଛି । ସେମାନେ କେଉଁଠି ନା କେଉଁଠି ପ୍ରଶାସନ ଓ ମିଲର୍ ମାନଙ୍କ ସୁଧ ଚନ୍ଦ୍ରିକା ଚାଲିଛି ବୋଲି କିଛି ବ୍ୟକ୍ତି କହିଛନ୍ତି । ଆହୁରି କହିଛନ୍ତି ଯେ, ସଭା ସମିତିରେ ଭାଷଣ ଦେଇ ନେତାମାନେ ଚାଷୀଙ୍କୁ ଅନ୍ନଦାତା ଆସନରେ ବସାଉଥିବା ବେଳେ ବାସ୍ତବରେ ଚାଷୀଙ୍କୁ ଶୋଷଣ କରାଯାଉଛି ।


