ଧାନ ବିଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ମାମଲା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁ ଦଣ୍ଡାସି ସାହି ନିକଟସ୍ଥ ଏକ ଧାନ ବିଲରୁ ଦୁଃଖୀ ଦଳାଇ (୭୦) ନାମକ ବୃଦ୍ଧାଙ୍କ ହାତଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିବା ମାମଲାରେ କେ . ନୂଆଗାଁ ପୋଲିସ ଶନିବାର ମୁଖ୍ୟ ହତ୍ୟାକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ପଞ୍ଚାୟତ ପାତ୍ରପଡା ଗ୍ରାମର ଜିତେନ୍ଦ୍ର ଦଳାଇ ଓରଫ ( ଏମ୍ ଏଲ୍ ଏ ) ବୋଲି ସୂଚନା ମିଳିପାରିଛି । ଖବରନୁଯାୟୀ , ଗତ ଅକ୍ଟୋବର ୨୦ ତାରିଖ ବୁଧବାର ଦିନ ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ପୁରୁଣା ପାଣି ପଞ୍ଚାୟତ କୁର୍ବା ଗ୍ରାମର ବୃଦ୍ଧା ଜଣକ ନିଜ ଝିଅ ସୁଭଦ୍ରା ସହ ଇ – ଶ୍ରମ କାର୍ଡ କରିବା ନିମନ୍ତେ ଖମ୍ବାରି ଗାଁ ଆସିଥିଲେ । କିନ୍ତୁ ବିଳମ୍ବିତ ସନ୍ଧ୍ୟା ହୋଇଥିବା ଯୋଗୁଁ ଆଉ ଗ୍ରାମକୁ ଫେରି ପାରିନଥିଲେ । ଯାହାଫଳରେ ସେମାନେ ଗ୍ରାମର ଏକ ଦୋକାନ କ୍ଯାଭିନ ପାଖରେ ରହିଯାଇଥିଲେ । ଏହାର କିଛି କ୍ଷଣକ ମଧ୍ୟରେ ବୃଦ୍ଧା ଜଣକ ନିଦରେ ଶୋଇ ଯାଇଥିଲେ । ତେବେ ଉକ୍ତ ଦିନ କୁମାର ପୂର୍ଣ୍ଣିମା ଥିବା ହେତୁ ଗ୍ରାମରେ ଜୁଆଖେଳ ମଧ୍ୟ ଲାଗି ରହିଥିବା ବେଳେ ଝିଅ ଜୁଆଖେଳରେ ମାତି ଯାଇଥିଲା । ଏପଟେ ଅଭିଯୁକ୍ତ ଜିତେନ୍ଦ୍ର ଜୁଆଖେଳରେ ସମସ୍ତ ଟଙ୍କା ହାରିଯିବା ପରେ ନିଶାସକ୍ତ ଅବସ୍ଥାରେ ଦୁଃଖୀଙ୍କୁ ଏକୁଟିଆ ଶୋଇଥିବା ଦେଖି ମାନବିକତା ହରାଇ ମାଆ ବୟସର ବୃଦ୍ଧାଙ୍କୁ ହାତଗୋଡ ବାନ୍ଧି ପ୍ରଥମେ ଦୁର୍ଷ୍କମ ଓ ପରେ ହତ୍ୟା କରି ନିକଟସ୍ଥ ଧାନ ବିଲରେ ଫୋପାଡି ଦେଇଥିଲା । ପରଦିନ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା , ଥାନା ଅଧିକାରୀ ଶ୍ରୀ ସ୍ବାଇଁଙ୍କ ଉପସ୍ଥିତିରେ ଶବକୁ ଜବତ କରାଯାଇ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଥିଲା । ଏନେଇ ପୁଅ ବାବୁଲା ଦଳାଇଙ୍କ ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇ ଆସୁଥିବା ବେଳେ ଗତକାଲି ପୋଲିସ ଅଭିଯୁକ୍ତ ଜିତେନ୍ଦ୍ରଙ୍କ ଉପରେ ସନ୍ଦେହ କରି ଉଠାଇ ଆଣି ଜେରା କରିବା ପରେ ସମସ୍ତ ଦୋଷକୁ ସ୍ବୀକାର କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ପୋଲିସ ଅଭିଯୁକ୍ତ ବିରୋଧରେ ଥାନା ମାମଲା ନଂ ୨୧୪/୨୧ , ଦଫା ୩୦୨/୩୭୬/୨୦୧ ପ୍ରକାରେ ମକଦ୍ଦମା ରୁଜୁ କରି ଆଜି କୋର୍ଟ ଚାଲାଣ କରିଥିବା ବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ