ଧାମରା ନଦୀରେ ୧୧୦ କୋଟି ବ୍ୟୟରେ ହେବ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ: ଧର୍ମେନ୍ଦ୍ର ପ୍ରଧାନ

ଭଦ୍ରକ ଏବଂ କେନ୍ଦ୍ରାପଡ଼ାରେ ବିକାଶର ଗତି ତ୍ୱରାନ୍ୱିତ ହେବ

ନୂଆଦିଲ୍ଲୀ/ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ରାଜ୍ୟର ଧାମରା ନଦୀରେ ୧୧୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ ଭଦ୍ରକ ଏବଂ କେନ୍ଦ୍ରାପଡ଼ାର ବିକାଶର ଗତିକୁ ତ୍ୱରାନ୍ୱିତ କରିବ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ବିକାଶ ପାଇଁ ନିରନ୍ତର ଦୃଷ୍ଟି ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଏକବିଂଶ ଶତାବ୍ଦୀର ଭିତିଭୂମିର ବିକାଶ ଏବଂ ଜଳପଥରେ ଥିବା ସମ୍ଭାବନାର ସମ୍ପୂର୍ଣ୍ଣ ବ୍ୟବହାର ପାଇଁ ଭାରତ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଧାମରା ନଦୀରେ ଆରଓ -ପାକ୍ସ ଜେଟି ନିର୍ମାଣ ତଥା ଆନୁଷଙ୍ଗିକ ଭିତିଭୂମି ପ୍ରସ୍ତୁତ କରିବା ପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଏହି ପ୍ରକଳ୍ପ ଭଦ୍ରକ ଏବଂ କେନ୍ଦ୍ରାପଡ଼ାରେ ଯୋଗାଯୋଗକୁ ମଜବୁତ୍ କରିବା ସହ ଯାତାୟତ ସମୟକୁ ହ୍ରାସ କରିବ ଏବଂ ସ୍ଥାନୀୟ ଅଂଚଳରେ ନିଯୁକ୍ତିସୃଷ୍ଟି ହେବ ।ସୂଚନାଯୋଗ୍ୟ, ସାଗରମାଳା ଯୋଜନା ଅଧୀନରେ ଓଡ଼ିଶାର ଭଦ୍ରକ ଜିଲ୍ଲାର କାଣୀନାଳି ଠାରୁ କେନ୍ଦ୍ରାପଡ଼ାଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ସବୁଦିନିଆ ଆରଓ-ଜେଟି ଏବଂ ଆନୁଷଙ୍ଗିକ ଭିତିଭୂମି ନିର୍ମାଣ କରାଯିବ । ଏଥିପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ପ୍ରଶାସନିକ ଅନୁମୋଦନ ଦିଆଯାଇଛି । ପ୍ୟାକ୍ସ ଜେଟି ନିର୍ମାଣ କରାଯିବା ଫଳରେ ନୌକା, ଲଂଚ ଓ ଅନ୍ୟ ଡଙ୍ଗା ରହଣୀ ସହ ଯାତାୟାତ ପାଇଁ ସୁବିଧା ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ