ଧାରଣାରେ ବସିଲେ ପୋଡାପଦର ଗ୍ରାମର ବହୁ ଚାଷୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପୋଡାପଦର ଗ୍ରାମ ପଞ୍ଚାୟତର ପଞ୍ଜୀକୃତ ଚାଷୀ ମାନଙ୍କ ଧାନ କ୍ରୟ ନିମନ୍ତେ ଶିବ ବାବା ଏସଏଚଜି କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଏହି କ୍ରମେ ଏସଏଚଜି ପକ୍ଷରୁ ପଂଚାୟତର ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯାଉଛି । ତେବେ ପଂଚାୟତର ବହୁ ଚାଷୀଙ୍କର ଟୋକେନ ଆସିଥିବା ସ୍ତ୍ୱେ ମଧ୍ୟ ସେମାନଙ୍କର ଧାନ ଏ ପର୍ଯ୍ୟନ୍ତ କିଣାଯାଇନି କି ମିଲର ତାଙ୍କ ଠାରୁ ନେଇ ନାହାନ୍ତି । ଏଣୁ ଏହାର ପ୍ରତିବାଦରେ ଆଜି ପୋଡାପଦର ଗ୍ରାମର ବହୁ ଚାଷୀ ମାନେ ଶିବ ବାବା ଏସଏଚଜି ଙ୍କ ପକ୍ଷରୁ ଖୋଲାଯାଇଥିବା ମଣ୍ଡି ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ଏହା ସହିତ ଟୋକେନ ଆସିଥିବା ସମସ୍ତ ଚାଷୀ ମାନଙ୍କର ଧାନ ତୁରନ୍ତ କ୍ରୟ କରିବା ଦାବି ନେଇ ଧାରଣା ଦେଇଥିଲେ । ପ୍ରତ୍ୟେକ ବର୍ଷ ଚାଷୀଙ୍କ ଠାରୁ ମିଲର ସୁରୁଖୁର ଭାବେ ଧାନ ନେଉଥିବା ବେଳେ ଚଳିତ ବର୍ଷ ମିଲର ତା ମନ ମୁତାବକ କାର୍ଯ୍ୟ କରୁଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ଡିସେମ୍ବର ୨୯ ତାରିଖରେ ପୋଡାପଦର ଗ୍ରାମର ପ୍ରାୟ ୬୦ ଜଣ ଚାଷୀଙ୍କ ଟୋକେନ ଆସିଥିବା ବେଳେ ଆସନ୍ତା ୨୭ ଓ ୩୦ ତାରିଖରେ ଟୋକେନର ଅବଧି ଶେଷ ହେବ । ସେମାନଙ୍କ ପାଖରେ ଥିବା ୧୮୦୦ କୁଇଣ୍ଟାଲରୁ ଅଧିକ ଧାନ ରହିଥିଲେ ମଧ୍ୟ ସେମାନଙ୍କ ଧାନ ମିଲର ନେଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଏଣୁ ସେମାନଙ୍କ ଧାନକୁ ତୁରନ୍ତ କିଣିବା ଦାବି ନେଇ ପୋଡାପଦର ଗ୍ରାମର ଚାଷୀ ଡି. ରାଜେଶ୍ୱର ରାଓଙ୍କ ନେତୃତ୍ୱରେ ବହୁ ଚାଷୀ ଧାରଣାରେ ବସିରହିଛନ୍ତି । ଏହି ଧାରଣା ରେ ପୋଡାପଦର ଗ୍ରାମର ବୁନା ନାଇଡୁ, ବି. ଦେବରାଜ, ଡି. ନରେଶ, ଏନ୍. ଚନ୍ଦ୍ରେୟା, ବି. ଅରୁଣ, ଦୟା ପାତ୍ର, ଡି. ରାମକ୍ରିଷ୍ଣା, ବି. ତୁଳସୀଆମ୍ମା, ଏ. ଲକ୍ଷେ୍ମୟା, ବ. ରତ୍ନାଲୁ, ବି. ସାବିତ୍ରୀ, ବି. ସରସ୍ୱତୀ ଙ୍କ ସମେତ ପୋଡାପଦର ଗ୍ରାମର ବହୁ ଚାଷୀ ଉପସ୍ଥିତ ଥିଲେ । ଚାଷୀ ମାନଙ୍କ ଧାନ ଏଫଏକ୍ୟୁ ମାନର ହୋଇନଥିବାରୁ ମିଲର ତାଙ୍କ ଠାରୁ ଧାନ ନେଉନଥିବା ତଦନ୍ତ କରିବାରେ ଜଣାପଡିଛି ବୋଲି ବ୍ଲକ ଯୋଗାଣ ଅଧିକାରୀ କହିଛନ୍ତି । ଏ ସଂପର୍କରେ ମୁଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବୋଲି ମଧ୍ୟ ସେ କହିଥିଲେ ।