ଧାରାଶ୍ରୀରାଧା ମହୋତ୍ସବର ତୃତୀୟ ସନ୍ଧ୍ୟା
ଭୁବନେଶ୍ୱର-: ଓଡ଼ିଶା ଆର୍ଟ ଆଣ୍ଡ କଲ୍ଚର ଫାଉଣ୍ଡେସନ (ଓସିଏଫ୍) ପଘରୁ କବି ମଙ୍ଗଳା ପ୍ରସାଦ ପ୍ରଧାନଙ୍କ ରଚିତ ଧାରାଶ୍ରୀରାଧା କାବ୍ୟକୁ ଆଧାର କରି ଏକ ଚାରିଦିନିଆ ମହୋତ୍ସବର ତୃତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ଓଡ଼ିଶୀ ଗବେଷଣା କେନ୍ଦ୍ରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଶେଷ ହୋଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ମୁଖ୍ୟ ଟ୍ରଷ୍ଟି ଓ ନିର୍ବାହୀ ଲୋପାମୁଦ୍ରା ପ୍ରଧାନ ନାୟକ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଓ ମହାପାତ୍ର ମିନତୀ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିଲେ । ତା’ପରେ ଗୁରୁ ହିମାଂଶୁ ସ୍ୱାଇଁ, ଗୁରୁ ମାତୃପ୍ରସାଦ ଦାସ, ଗୁରୁ ବିବେକାନନ୍ଦ ପଣ୍ଡା ଓ ସାଥୀ ସଙ୍ଗୀତ ପରିବେଷଣ କରିଥିଲେ । ପରେ ପରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ରାମହରି ଦାସ, ଡ. କୃଷ୍ଣ ଚରଣ ବଳ, ପ୍ରାକ୍ତନ ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ଅବସର ବେଉରିଆ, ପ୍ରାକ୍ତନ ପ୍ରଶାସକ ଦୁର୍ଗାଚରଣ ସାହୁ, ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ ଏବଂ ସଙ୍ଗୀତଜ୍ଞ କେ. ରାମାରାଓ ପାତ୍ର ବରେଣ୍ୟ ଅତିଥିଗଣ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଉଦ୍ଦେଶ୍ୟ ଓ ଗାରିମା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହାପରେ ନୃତ୍ୟାଶା ଅନୁଷ୍ଠାନର ସୁଶ୍ରୀ ପ୍ରିୟଦର୍ଶିନୀ ଏକକ ନୃତ୍ୟ କରିଥିଲେ । ସେହିପରି ଯଶସ୍ୱିନୀ ସ୍ୱାଇଁ ମଧ୍ୟ ଏକକ ନୃତ୍ୟ ପରିବେଷଣ କରିଥିଲେ । ପରିଶେଷରେ ଗୁରୁ ନିରଞ୍ଜନ ରାଉତଙ୍କ ନୂପୁର ଅନୁଷ୍ଠାନର କଳାକାରମାନେ ଏକ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । ଶ୍ରୀମାନ ଅଂଶୁମାନ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


