ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟାଳୟରେ ନାହାନ୍ତି କର୍ମଚାରୀ କାର୍ଯ୍ୟାଳୟଙ୍କ ସମ୍ମୁଖରେ ଧାରଣା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ସମୟ ମଧ୍ୟରେ କାର୍ଯ୍ୟାଳୟକୁ ନ ଆସି ମନମୁଖୀ ଆସୁଛନ୍ତି । ସାଧାରଣ ଲୋକେ ବିଭିନ୍ନ କାର୍ଯ୍ୟ ପାଇଁ ଉକ୍ତ କାର୍ଯ୍ୟାଳୟକୁ ଆସି କର୍ମଚାରୀଙ୍କ ନ ପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ମଙ୍ଗଳବାର ଦିନ ୧୧ଟା ୩୦ ସମୟରେ ନିଜର କାର୍ଯ୍ୟ ପାଇଁ ତହସିଲ କାର୍ଯ୍ୟାଳୟ ଆସି କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ପାଇବାରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସି ରହିଥିଲେ । ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ଧାରଣସ୍ଥଳରେ ପହଁଚି ଶ୍ରୀ ମିଶ୍ରଙ୍କୁ ବୁଝାସୁଝା କରିବା ପରେ ଶ୍ରୀ ମିଶ୍ର ଧାରଣରୁ ଓହରିଥିଲେ । ଶ୍ରୀ ମିଶ୍ରଙ୍କ ଅଭିଯୋଗ ମୁତାବକ ଉକ୍ତ କାର୍ଯ୍ୟାଳୟକୁ ପ୍ରତ୍ୟହ ଶତାଧିକ ଲୋକ ନିଜର ବିଭିନ୍ନ କାର୍ଯ୍ୟ ପାଇଁ ଆସୁଛନ୍ତି । କିନ୍ତୁ ସରକାରଙ୍କ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟାଳୟରେ କେହି କର୍ମଚାରୀ ଆସୁନାହାନ୍ତି । ସରକାରଙ୍କ ୫ଟି ନିୟମକୁ ଖୁଲମଖୁଲା ଉଲ୍ଲଘନ କରାଯାଉଛି ବୋଲି କହିଥିଲେ । ଏ ବିଷୟରେ ନାଉଗାଁ ତହସିଲଦାର ଜେ.କଳ୍ପନାଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ ।


