ଧୁମୁସାର ସପ୍ତମ ସନ୍ଧ୍ୟା ମଣ୍ଟୁ ଛୁରିଆଙ୍କ ସମ୍ବଲପୁରିଆ ସୁରେ ଝୁମିଲା ଉଦଳା
ଉଦଳା,(ରାଜୀବ କୁମାର ବେହେରା):ଉଦଳା ମହୋତ୍ସବ ‘ଧୁମୁସା’ର ସପ୍ତମ ସନ୍ଧ୍ୟା ରଙ୍ଗୀନ ଆଲୋକ, ତାଳ-ଲୟ ଓ ଦର୍ଶକଙ୍କ ଉଲ୍ଲାସରେ ସ୍ମରଣୀୟ ହୋଇଉଠିଥିଲା। ପ୍ରସିଦ୍ଧ ସମ୍ବଲପୁରି ଗାୟକ ମଣ୍ଟୁ ଛୁରିଆଙ୍କ ସୁରିଲା କଣ୍ଠରେ ପରିବେଶିତ ଗୀତ ମଞ୍ଚକୁ ଆନନ୍ଦମୟ କରିଦେଇଥିଲା। ଗୀତର ତାଳେ ତାଳେ ଦର୍ଶକମାନେ ଦୀର୍ଘ ସମୟ ଧରି ଝୁମି ଉଠି, ଉତ୍ସବର ମନୋରମ ମହୁର୍ତ୍ତ ଉପଭୋଗ କରିଥିଲେ।ସାଂସ୍କୃତିକ ସନ୍ଧ୍ୟାରେ ଉପସ୍ଥିତ ଅତିଥିମାନେ ଧୁମୁସା ମହୋତ୍ସବକୁ ଅସଲ କଳାକାର ଓ ଲୁକ୍କାୟିତ ପ୍ରତିଭାଙ୍କୁ ସାମ୍ନାକୁ ଆଣିବାରେ ଏକ ଶକ୍ତିଶାଳୀ ମଞ୍ଚ ବୋଲି ମତ ପ୍ରକାଶ କରିଥିଲେ। ଏପରି ମହୋତ୍ସବ ମାଧ୍ୟମରେ ଆଦିବାସୀ ଓ ଲୋକସଂସ୍କୃତିର ସୁରକ୍ଷା ସହ ପ୍ରଚାର-ପ୍ରସାର ସୁଦୃଢ଼ ହୁଏ ବୋଲି ସେମାନେ କହିଥିଲେ।ସପ୍ତମ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ କପ୍ତିପଦା ପଞ୍ଚାୟତ ସମିତି ପକ୍ଷରୁ ସୁଚାରୁ ଭାବେ ଆୟୋଜିତ ହୋଇଥିଲା। ଉକ୍ତ ସମାରୋହରେ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ମୟୁରଭଞ୍ଜ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ପୂର୍ବତନ ବିଧାୟକ ଶ୍ରୀନାଥ ସେରେନ, ଉଦଳା ଏନଏସି ନଗରପାଳ ପ୍ରମିଳା ପଣ୍ଡା, କପ୍ତିପଦା ବ୍ଲକ ଅଧ୍ୟକ୍ଷ କାହ୍ନୁଚରଣ ସରେନ, କପ୍ତିପଦା ବିଡ଼ିଓ ରେଶମା ଟେଟେ, ତହସିଲଦାର ଆଶିଷ କୁମାର ମହାପାତ୍ର, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ମନୋରଞ୍ଜନ ମଲ୍ଲିକ ଓ ଶିକ୍ଷାବିତ୍ ଶରତ ଚନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷମାନଙ୍କୁ ସମ୍ମାନିତ କରାଯାଇ, ଧୁମସା ସଂସ୍କୃତି ଓ ଆଦିବାସୀ ପରମ୍ପରାର ସୁରକ୍ଷା ଓ ପ୍ରଚାର ପାଇଁ ଏକ ମଜବୁତ ସନ୍ଦେଶ ଦିଆଯାଇଥିଲା।


