ଧୂମାତ ସରପଂଚଙ୍କ ଅନୀୟମିତତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) -କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ପଂଚାୟତର ସରପଂଚଙ୍କ ଅନୀୟମିତତା ବିରୋଧରେ ଆଜି ଜିଲ୍ଲାପାଳଙ୍କୁ ପଂଚାୟତବାସୀ ଭେଟି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଧୂମାତ ପଂଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ଧୂମାତ ଶାସନ ପାଳ ବନ୍ଧ ଗଡା ଗୋବର ଗାଡିଆ ଠାରୁ ଅଳପୁଆ ଘାଟ ପର୍ଯ୍ୟନ୍ତ ରାସ୍ତାର କାର୍ଯ୍ୟ ଜେସିବି ମେସିନ ଲଗାଇ କରାଯାଇଛି । ଏହି ରାସ୍ତାର କାର୍ଯ୍ୟ ୪/୫ମାସ ପୂର୍ବରୁ ପ୍ରାୟ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କରାଯାଇଥିବା ବେଳେ ପୁନର୍ବାର ସେହିରାସ୍ତା କାର୍ଯ୍ୟ ବେଆଇନ ଭାବେ କରାଯାଇଥିବା ଅଭିଯୋଗ ହୋଇଛି । ବେଣପାଳ ଗଡା ଠାରୁ ପାଳଗଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦର୍ଶାଯାଇ ପ୍ରାୟ ୨ଲକ୍ଷ ୮୦ହଜାର ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ଧୂମାତ ଶାସନସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟ ଏକ ଗୋଚର ଜମିରେ ୩ଲକ୍ଷ ୮୦ହଜାର ଟଙ୍କା ବ୍ୟୟରେ ମାଟି ପକାଯାଇ ନିମ୍ନମାନର କାର୍ଯ୍ୟ କରାଯାଇ ଶତକଡା ୭୫ପ୍ରତିଶତ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ଧୂମାତ ଶାସନସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ଗୋଚର ଜମି ଉପରେ ସମସ୍ତ ସରକାରୀ ନୀତିନିୟମକୁ ଉଲ୍ଲଙ୍ଘନ ପୂର୍ବକ ୪ଲକ୍ଷ ୮୦ହଜାର ଟଙ୍କା ବ୍ୟୟ ଅଟକଳରେ ଖେଳପଡିଆ ନିର୍ମାଣ କରାଯାଇଥିବା ଦର୍ଶାଇ ସରକାରୀ ଅର୍ଥ ହଡପ ହୋଇଥିବା ଅଭିଯୋଗ ହୋଇଛି । ଏହି ଗୋଚର ଜମିଟି ଗ୍ରାମବାସୀଙ୍କର ଏକମାତ୍ର ଚାରଣ ଗୋଚର ଜମି ବୋଲି ଅଭିଯୋଗ ହୋଇଛି । ଧୂମାତ ଗ୍ରାମର ଭକ୍ତବିଳାସ ମଠର ଡିହବାଡିକୁ ଜେସିବି ମେସିନ ଦ୍ୱାରା ତଡାଯାଇ ପ୍ରାୟ ୨/୩ ଏକର ଜମି ଉପରେ ଗାନ୍ଧୀପାର୍କ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇନାହିଁ । ଏହି ପଂଚାୟତରେ ଅନାବାଦି ଜମି ଥିବା ସତ୍ୱେ ଦେବୋତ୍ତର ବିଭାଗ କମିଶନରଙ୍କ ବିନା ଅନୁମତିରେ ଦେବସ୍ୱ ଜମି ଉପରେ ଗାନ୍ଧୀପାର୍କ ନିର୍ମାଣ କରି ଦୀର୍ଘ ୫ଶହ ବର୍ଷର ମଠଜମିକୁ ସ୍ୱେଛାଚାରିତା ଭାବେ ବଳପୂର୍ବକ ଦଖଲ କରିନେବା ଅଭିଯୋଗ ହୋଇଛି । କମାରଦଣ୍ଡା ଗଡା ଠାରୁ ପାଳ ଭିତରକୁ ମନରେଗା ଯୋଜନାରେ ୩ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରାଯାଇଥିବା ଦର୍ଶାଇ ସରକାରୀ ଅର୍ଥ ତୋଷରପାତ ହୋଇଥିବା ଅଭି୍େଯାଗ ହୋଇଛି । ଏଥିସହିତ ଏହି ପ୍ରକଳ୍ପରେ ଜଣେ ଲୋକର ବ୍ୟକ୍ତିଗତ ଜମିରେ ଜବରଦସ୍ତ ନିର୍ମାଣ କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଏତଦଭିନ୍ନ ମନରେଗା ଯୋଜନାରେ ଧୂମାତ ଗ୍ରାଉଣ୍ଡ ପାର୍କ,ଧୂମାତ ଗୋଡାଉନ ନିକଟସ୍ଥ,ଧୂମାତ କଂଟାଣିଆ ସାହି ଗଡା ଠାରୁ ଧୂମାତ ପାଳ,ଧୂମାତ ବୁଢା ମହାଦେବ ଗଡା ଠାରୁ ଅଂଟାପାଳ ପର୍ଯ୍ୟନ୍ତ ରାସ୍ତା ପ୍ରକଳ୍ପ ଗୁଡିକର କାର୍ଯ୍ୟ ମଧ୍ୟ ନିମ୍ନମାନର ହୋଇଥିବା ଓ ଅର୍ଥ ତୋଷରପାତ ହୋଇଥିବା ଅଭିଯୋଗ ହୋଇଛି । କୋଭିଡ -୧୯ ନୀତି ନିୟମକୁ ସଂପୂଣ୍ର୍ଣ୍ର ଉଲ୍ଲଙ୍ଘନ କରାଯାଇ ଏଭଳି ସମୟରେ ମଜୁରୀ ହରାଇଥିବା ଦିନମଜୁରିଆମାନଙ୍କୁ ଉପେକ୍ଷା କରାଯାଇ ଜେସିବି ମେସିନରେ ମନରେଗା ଯୋଜନାର କାର୍ଯ୍ୟ କରାଯାଇ ସରକାରୀ ଅର୍ଥକୁ ତୋଷରପାତ କରିଥିବା ଧୂମାତ ସରପଂଚଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଂଚାୟତବାସୀଙ୍କ ପକ୍ଷରୁ ଦେବଦତ୍ତ ଜେନା, ବିଜୟ ଜେନା, ଦେବଲୋଚନ ସ୍ୱାଇଁ, ଦେବାଶିଷ ସ୍ୱାଇଁ, ପ୍ରକାଶ ଦାସ, ମନିଷ ଦାସ, ଦୁଃଶାସନ ମଳିକ, ଜଗବନ୍ଧୁ ଦାସ, ସନ୍ଦୀପ ଜେନା ପ୍ରମୁଖ ପଂଚାୟତବାସୀମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ତାଙ୍କ ଗରାପୁରସ୍ଥିତ ଆବାସୀକ କାର୍ଯ୍ୟାଳୟରେ ଭେଟି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଏସମ୍ପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।