ଧୂଷୁରୀ ଅଞ୍ଚଳର ୯ ପଞ୍ଚାୟତର ୮୬ ଗାଁ ଜଳବନ୍ଦୀ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଭଦ୍ରକ ଜିଲାର ଧୂଷୁରୀ ଅଞ୍ଚଳରେ ପୂର୍ବାହ୍ଣ ୧୧ଟାରୁ ହଠାତ ବନ୍ୟା ଆସିବା ଯୋଗୁଁ ଲୋକ ମାନେ ଭୟଭୀତ ହୋଇପଡିଛନ୍ତି । ଏହି ଅଞ୍ଚଳରଥିବା ୯ ପଞ୍ଚାୟତର ୮୬ ଖଣ୍ଡ ଗାଆଁ ପ୍ରଭାବିତ ହୋଇଛନ୍ତି । ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି । ଭଦ୍ରକ – ଆରଡି ରାଜ୍ୟପଥର ସୂର୍ଯ୍ୟପୁର, ଧୂଷୁରୀ, ପାୟାସାହି, ପନ୍ଦରବାଟିଆ ଆଦି ସ୍ଥାନରେ ପ୍ରାୟ ୬ ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବସ୍ ଓ ଅନ୍ୟାନ୍ୟ ଯାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୂଖୀନ ହୋଇଛନ୍ତି । କିଛି ବ୍ୟକ୍ତିଙ୍କ ଘରେ ବନ୍ୟାପାଣି ପଶିଯାଇଛି । ତୋଟାସାହି ଠାରେ ନଦୀବନ୍ଧରେ ଘଳିଆ ପଡିବାରୁ ପାଳସାହି ପଞ୍ଚାୟତର ୫ ଖଣ୍ଡ ଗାଁର ଲୋକେ ଭୟଭୀତ ହୋଇପଡିଛନ୍ତି । ଆରଡି ଅଞ୍ଚଳରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି । ୪ ପଞ୍ଚାୟତର ଚାଷଜମି ଜଳମଗ୍ନ ହୋଇଛି । ୨୦ ନଂ ଜାତୀୟ ରାଜପଥର ବୋଡକ ନିକଟରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଆରଡି – ଯାଜପୁର ଗମନାଗମନ ବାଧାପ୍ରାପ୍ତ ହୋଇଛି ।


