ନଇଁଲେ ରାଜ୍ୟ ସରକାର , ଗୁର୍ଜରଙ୍କୁ ମିଳିଲା ୫% ସଂରକ୍ଷଣ, ଆନ୍ଦୋଳନ ପ୍ରତ୍ୟାହୃତ
ଜୟପୁର(ଏଜେନ୍ସି): ଶେଷରେ ଗୁର୍ଜରଙ୍କ ଦାବି ସମ୍ମୁଖରେ ମଥାନତ ହେବାକୁ ରାଜସ୍ଥାନ ସରକାର ବାଧ୍ୟ ହୋଇଛନ୍ତି । ଗୁର୍ଜର ସମ୍ପ୍ରଦାୟ ସମେତ ଅନ୍ୟ ୫ବର୍ଗର ଛାତ୍ରଛାତ୍ରୀ ଓ ନିଯୁକ୍ତି ଆଶାୟୀଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୫% ସଂରକ୍ଷଣ ଦିଆଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ପ୍ରତିଶ୍ରୁତି ଦିଆଯିବା ସହ ଗୃହରେ ଏହି ବିଲ୍କୁ ପାରିତ କରାଯାଇଛି । ଫଳରେ ଗତ ୫ଦିନ ଧରି ଚାଲିଆସୁଥିବା ଆନ୍ଦୋଳନରୁ ଆଜି ଗୁର୍ଜରବାସୀ ହଟିଯାଇଛନ୍ତି । ଆଜି ଅପରାହ୍ଣରେ ଗୁର୍ଜର ନେତା କିରୋଡି ସିଂହ ବୈସଂଲ ଓ ଅନ୍ୟ ନେତାଙ୍କ ସହ ସରକାରୀ ଅଧିକାରୀ ଆଲୋଚନା କରିବା ପରେ ପରେ ରାଜ୍ୟବ୍ୟାପୀ ଚାଲିଥିବା ଆନ୍ଦୋଳନ, ଧାରଣା ପ୍ରତ୍ୟାହାର କରିନିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ଏବଂ ବିଧାନସଭାରେ ବିଲ୍ ପାରିତ ହେବା ପରେ ପରେ ଗୁର୍ଜର ସମ୍ପ୍ରଦାୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆନନ୍ଦଉଲ୍ଲାସ ଖେଳିଯାଇଛି । ପୂର୍ବରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍ ଏସମ୍ପର୍କରେ ଦଳୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଆଲୋଚନାପୂର୍ବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆନ୍ଦୋଳନକାରୀଙ୍କ ଦାବି ସମ୍ପର୍କରେ ଅବଗତ କରାଇଥିଲେ । ସମ୍ବିଧାନରେ ଗୁର୍ଜର ଆଇନ୍ ସଂଶୋଧନ କରାଯିବା ପରେ ସେମାନଙ୍କ ଦାବି ସମ୍ଭବ ହୋଇପାରିବ ବୋଲି ମୋଦି, ଗେହଲଟ୍ଙ୍କୁ କହିବା ପରେ ଏନେଇ ରାଜ୍ୟ ସରକାର ଏସମ୍ପର୍କରେ ଗୁର୍ଜର ନେତାଙ୍କ ସହ ଆଲୋଚନା କରିଥିଲେ । ତେବେ ରାଜ୍ୟ ସରକାର ଗୁର୍ଜରଙ୍କ ଅଧିକାରପୂର୍ଣ୍ଣ ଦାବି ପ୍ରତି ଶତପ୍ରତିଶ୍ରତ ନ୍ୟାୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରକାଶ ଯେ, ରାଜସ୍ଥାନରେ ଗୁର୍ଜରଙ୍କ ସଂରକ୍ଷଣ ପାଇଁ ଚାଲିଥିବା ବିକ୍ଷୋଭ ଧୀରେ ଧୀରେ ହିଂସାତ୍ମକ ରୂପ ନେବାରେ ଲାଗିଥିଲା । ରବିବାର ବିଭିନ୍ନ ସ୍ଥାନରେ ପ୍ରତିବାଦକାରୀମାନେ ପୋଡାଜଳା କରିଥିଲେ । ଆଗ୍ରା-ମୁରୈନା ରାଜମାର୍ଗରେ ଆନ୍ଦୋଳନକାରୀମାନେ ଯାନବାହାନ ଚଳାଚଳ ବନ୍ଦ କରିଦେବା ସହ ପୁଲିସ୍ର ଗୋଟିଏ ବସ୍ ଏବଂ ଅନ୍ୟ ୩ଟି ଗାଡିରେ ନିଆଁ ଲଗାଇଦେଇଥିଲେ । କିଛି ଲୋକ ଫାଙ୍କାରେ ଗୁଳି ଚାଳନା କରିଥିଲେ । ଏପରିକି ବିକ୍ଷୋଭକାରୀଙ୍କ ପଥରମାଡରେ ଚାରିଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ । ଯେପର୍ଯ୍ୟନ୍ତ ଗୁର୍ଜର ସମୁୂଦାୟଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୫% ସଂରକ୍ଷଣ ଆବଣ୍ଟନ କରାଯାଇନାହିଁ ସେପର୍ଯ୍ୟନ୍ତି ଏପ୍ରକାର ଆନ୍ଦୋଳନ ଜାରି ରହିବ ବୋଲି ସମ୍ପ୍ରଦାୟ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଗୁର୍ଜର ସମ୍ପ୍ରଦାୟଙ୍କ ଆନ୍ଦୋଳନ ଯୋଗୁଁ ପଶ୍ଚିମ ରେଲୱେର ଅନେକ ରୁଟ୍ରେ ପ୍ରାୟ ୫ଠରୁ ଊଦ୍ଧ୍ୱର୍ ଟ୍ରେନ୍ ଚଳାଚଳ ବାତିଲ କରାଯାଇଥିଲା ଏବଂ ଆଉ କିଛି ଟ୍ରେନ୍ର ରୁଟ୍ ପରିବର୍ତ୍ତନ କରାଯାଇଥିଲା । ଗୁର୍ଜରଙ୍କ ଏହି ଆନ୍ଦୋଳନରେ ରାୟକା ରେବାରୀ, ଗଡିଆ, କମାର, ବଞ୍ଜାରା ଓ ଗଡରିଆ ସମାଜ ମଧ୍ୟ ସାମିଲ ହୋଇଥିଲେ । ସମ୍ପ୍ରତି ଅନ୍ୟ ପଛୁଆ ବର୍ଗକୁ ପ୍ରଦାନ କରାଯାଉଥିବା ମୋଟ୍ ୫ଠ% ସଂରକ୍ଷଣ ମଧ୍ୟରୁ ଗୁର୍ଜରଙ୍କୁ ଅତି ପଛୁଆ ବର୍ଗ ଆଧାରରେ ମାତ୍ର ୧% ସଂରକ୍ଷଣ ମିଳୁଛି । ଏବେ ଏହାକୁ ୫% କୁ ବୃଦ୍ଧି କରିବାକୁ ଗୁର୍ଜର ସମୁଦାୟ ଦାବି କରୁଛନ୍ତି । ଗୁର୍ଜରଙ୍କ ଆନ୍ଦୋଳନ କାରଣରୁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦୈନିକ ହାରରେ କୋଟିକୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି ।