ନକଲି ଏସ୍‌.ସି, କେଉଟ, କୈବର୍ତ୍ତ, ଧୀବର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ନାହିଁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ହଡ଼ପ କରିଥିବା ନକଲି ଏସ୍‌.ସି. ଜାତି କେଉଟ, କୈବର୍ତ୍ତ, ଧୀବର ପ୍ରାର୍ଥୀଙ୍କୁ ଭୋଟ ନ ଦେବା ଓ ଦଳିତ ଆଦିବାସୀ ଗରିବ ନିସହାୟ ମହିଳାମାନଙ୍କ କଲ୍ୟାଣ ତଥା ସାମ୍ବିଧାନିକ ଅଧିକାରର ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ପ୍ରାର୍ଥୀମାନଙ୍କୁ ଭୋଟ ଦେବା ପାଇଁ ଓଡ଼ିଶାର ଭୋଟର ଭାଇଭଉଣୀମାନଙ୍କୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ମିଳିତ ଭାବେ ଅନୁରୋଧ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀଟି ଇଂ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି, ସର୍ବଭାରତୀୟ ଅନୁସୂଚିତ ଜାତି ଓ ଜନଜାତି ସଂଘମାନଙ୍କର ପରିଷଦ, ନାଗରିକ ଏକତା ପରିଷଦ, ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ସାମାଜିକ ନ୍ୟାୟ ପରିଷଦ, ନୀଳମାଧବ ଶବର ସଂଘ, ଉତ୍କଳ ରଜକ ମହାସଂଘ, ରାଷ୍ଟ୍ରୀୟ ଦଳିତ ମହସଭା, ଅଲ୍ ଓଡ଼ିଶା ଦଳିତ ସାମାଜିକ କଲ୍ୟାଣ ପରିଷଦ, ବାଲ୍ମିକୀ ସମାଜ, କାଳନ୍ଦୀ ସମାଜ, ପାସି ସମାଜ ଓ ଅନ୍ୟାନ୍ୟ ବହୁ ସଂଗଠନ ତରଫରୁ ଆହ୍ୱାନ କରାଯାଇଅଛି । ଏତଦ୍‌ବ୍ୟତୀତ ନିମ୍ନଲିଖିତ ଦାବିଗୁଡ଼ିକ ରାଜ୍ୟ ସରକାର, ରାଜନୈତିକ ଦଳ ଓ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି । ରାଜ୍ୟ ସରକାର ତୁରନ୍ତ ଚକ୍ରାନ୍ତ କରି ଏସ୍‌.ସି. ତାଲିକାରେ ପଶିଆସିଥିବା କେଉଟ, କୈବର୍ତ୍ତ, ଧୀବର ଜାତିକୁ ବାଦ୍ ଦେବା ସହିତ ମେହେନ୍ତର, ଝୁରିଆ, ଦଳିତ ବୈଷ୍ଣବମାନଙ୍କୁ ସ୍ଥାନିତ କରିବା ନିମିତ୍ତ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାନ୍ତୁ । ରାଜ୍ୟ ସରାକର ଏସ୍‌.ସି. ତାଲିକାରେ ସ୍ଥାନିତ କରିବା ନିମିତ୍ତ ସୁପାରିଶ କରିଥିବା ରାଢି, ନିଆରି, ଘଣି ଇତ୍ୟାଦି ୭ଟି ସବର୍ଣ୍ଣ ଜାତିର ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ । ସଅର ଓ ସୌରା ଜାତିକୁ ରାଜ୍ୟ ସରକାର ଏସ୍‌.ଟି ତାଲିକାଭୁକ୍ତ କରିବା ନିମିତ୍ତ ସୁପାରିଶ କରନ୍ତୁ ଓ ମାହାନ୍ତ, ମେହେରମାନେ ଏସ୍‌.ସି, ଏସ୍‌.ଟି ତାଲିକାଭୁକ୍ତ କରିବା ନିମିତ୍ତ ଚାଲିଥିବା ଚକ୍ରାନ୍ତ ତୁରନ୍ତ ବନ୍ଦ କରାଯାଉ । ୨୦୧୫ ମସିହାରୁ କାର୍ଯ୍ୟ କରୁନଥିବା ଏସ୍‌.ସି, ଏସ୍‌.ଟି ପରାମର୍ଶଦାତା କମିଟି ରାଜ୍ୟ ସରକାର ତୁରନ୍ତ ଗଠନ କରନ୍ତୁ । ଏସ୍‌.ସି. ସଂରକ୍ଷଣକୁ ଚୋରି କରି ମନ୍ତ୍ରୀ ହୋଇଥିବା ତୁଷାରକାନ୍ତି ବେହେରାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ହଟାଯାଉ ଓ ଏସ୍‌.ସି, ଏସ୍‌.ଟି କଲ୍ୟାଣ କମିଟିରୁ ଶଶୀଭୂଷଣ ବେହେରାଙ୍କୁ ବହିଷ୍କାର କରାଯାଉ । ସେହିପରି ରାଜନୈତିକ ଦଳର ସଭାପତିମାନେ ରଙ୍କ ବେହେରା ଓ ବିଭୂ ତରାଇଙ୍କୁ ଏସ୍‌.ସ୍ ସେଲ୍‌ର ମୁଖ୍ୟ ପଦରୁ ବହିଷ୍କାର କରନ୍ତୁ । ଏସ୍‌.ସି., ଏସ୍‌.ଟି ବିରୋଧୀ କାର୍ଯ୍ୟ ନିମନ୍ତେ ନିର୍ଯ୍ୟାତନା ସୁରକ୍ଷା ଆଇନ ଅନୁସାରେ ଚାକିରୀରୁ ବହିଷ୍କାର କରାଯାଉ । ଏସ୍‌.ସି, ଏସ୍‌.ଟି.ମାନଙ୍କୁ ବିଚାର ବିଭାଗ, ବୈଷୟିକ ଶିକ୍ଷା, ସ୍ୱାସ୍ଥ୍ୟ ଶିକ୍ଷା ଓ ଉଚ୍ଚଶିକ୍ଷା ଏବଂ ଉଚ୍ଚ ପଦପଦବୀ ଆସି ସବୁସ୍ତରରେ ୪୦ଭାଗ ସଂରକ୍ଷଣ ଲାଗୁ କରାଯାଉ ଓ ଆର୍ଥିକ ବାଧକତାର ସୀମାକୁ ବର୍ଦ୍ଧିତ କରାଯାଉ । ଓ.ବି.ସି.ମାନଙ୍କୁ ରାଜ୍ୟ ସରକାର ସିଡ୍ୟୁଲ୍‌-୯ ଅନୁସାରେ ସଂରକ୍ଷଣ ଦେବାର ବ୍ୟବସ୍ଥା କରନ୍ତୁ । ଶେଷରେ ଏସ୍‌.ସି, ଏସ୍‌.ଟି ନିର୍ଯ୍ୟାତନା ନିବାରଣ ଆଇନ୍‌କୁ ତୁରନ୍ତ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ସହିତ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମିତ୍ତ ଦାବି କରାଯାଇଅଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଲକ୍ଷ୍ମୀଧର ବେହେରା, ଅଶୋକ ନାୟକ, ଦିବାକର ମଲ୍ଲିକ, ଗୋପାଳ ନାୟକ, ଶର୍ମିଷ୍ଠା ସ୍ୱାଇଁ, ଦାମୋଦର ମଲ୍ଲିକ, କାହ୍ନୁଚରଣ ସେଠୀ ଓ ଲକ୍ଷ୍ମଣ ମଲ୍ଲିକ ପ୍ରମୁଖ ବହୁ ସମାଜସେବୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ