ନକଲି ମାର୍କଶିଟ୍ ୩୮ ବର୍ଷ ଚାକିରିଅବସର ଦିନ ଧରାପଡ଼ିଲେ କର୍ମଚାରୀ
ନକଲି ମାର୍କଶିଟ୍ ଦେଇ ଚାକିରି କରିବା ଘଟଣା ଭାରତରେ କିଛି ନୂଆ ନୁହେଁ । କିନ୍ତୁ ଚାକିରି କରିବା ପରେ ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ । କିନ୍ତୁ ନକଲି ମାର୍କଶିଟ୍ ଦେଇ ଚାକିରି କରି ଅବସର ନେବା ଦିନ ଧରାପଡିବା ଭଳି ରୋଚକ ଘଟଣା ଘଟିଛି ରାଜସ୍ଥାନର କୋଟାରେ । କୋଟାର ଖଣି ବିଭାଗର ସହାୟକ ପ୍ରଶାସନିକ ଅଧିକାରୀ ଲେଖରାଜ ମୀନା ୩୮ ବର୍ଷ ନକଲି ମାର୍କଶିଟ୍ ଦେଇ ଚାକିରି କରିଥିଲେ । ଖଣି ବିଭାଗର ମନ୍ତ୍ରୀ ଏହି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେବା ପରେ ଲେଖରାଜ ଫସିଯାଇଛନ୍ତି । ଅବସର ନେବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ଲାଗି କୁହାଯିବାରୁ ସମ୍ପୃକ୍ତ ବିଭାଗ ତତ୍ପରତା ପ୍ରକାଶ କରି ଏହି ଘଟଣାର ପର୍ଦ୍ଦାଫାଶ କରିଥିଲା । ଅବସର ନେବା ଦିନ ଏକ ପାର୍ଟିର ମଧ୍ୟ ଆୟୋଜନ କରାଯାଇଥିଲା । ପାର୍ଟି ହେବ କ’ଣ, ଲେଖରାଜଙ୍କ ବିରୋଧରେ ଏଫ୍ଆଇଆର ଦାଏର କରାଯିବାର ଯୋଜନା କରାଯାଇ ଚାକିରିର ସବୁ ବେନିଫିଟ ନ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସୂତ୍ର ମୁତାବକ, ଲେଖରାଜଙ୍କ ବିରୋଧରେ ଅଭିଯୋଗ ଖଣିମନ୍ତ୍ରୀଙ୍କ ନିକଟକୁ ଆସିବା ପରେ ତାହାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିଲା । ମାଧ୍ୟମିକ ଶିକ୍ଷା ମଣ୍ଡଳର ସଚିବଙ୍କ ଦ୍ୱାରା ଏହାର ଯାଞ୍ଚ କରାଯିବା ପରେ ଜଣାପଡିଥିଲା ଯେ, ଲେଖରାଜଙ୍କ ମାର୍କଶିଟ୍ ନକଲି । ମଣ୍ଡଳ ପକ୍ଷରୁ ଦିଆଯାଇଥିବା ମାର୍କଶିଟ୍ରେ ଜନ୍ମ ତାରିଖ ୧ ଜୁନ ୧୯୪୯ ଥିବାବେଳେ ନକଲି ମାର୍କଶିଟ୍ରେ ତାହା ୧୨ ଜୁଲାଇ ୧୯୫୯ ଲେଖାଥିଲା । ଏହାସହ ତାଙ୍କ ନାମ ଓ ପିତାଙ୍କ ନାମ ଯେଉଁ ଅକ୍ଷରରେ ଲେଖାଯାଇଥିଲା, ତାହାକୁ ବି ବଦଳା ଯାଇଥିଲା ।