ନକଲି ଶିକ୍ଷକ ରାକେଟ କାର୍ଯ୍ୟାନୁଷ୍ଠାନ ନାହିଁ, ବେଧଡକ ପଢ଼ାଉଛନ୍ତି ନକଲି ଶିକ୍ଷକ

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି ):କଳାହାଣ୍ଡି ଜିଲ୍ଲାରେ ନକଲି ଶିକ୍ଷକଙ୍କ ରାକେଟର ଚେର ଲମ୍ବିବାରେ ଲାଗିଛି।କାର୍ଯ୍ୟାନୁଷ୍ଠାନ ନ ହେବା ଯୋଗୁ ବେଧଡକ ଭାବରେ ପାଠ ପଢ଼ାଉଛନ୍ତି ନକଲି ଶିକ୍ଷକ।ଅଧିକ ନମ୍ବର୍ ରଖିଥିବା ପ୍ରକୃତ ଶିକ୍ଷକ ମାନେ ଏଥି ଯୋଗୁଁ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ଆଶାୟୀ ଥିବା ବହୁ ତାଲିମ ପ୍ରାପ୍ତ ଶିକ୍ଷକ ମାନେ ଚାକିରିରୁ ବଞ୍ଚିତ ହେଉଛନ୍ତି।ତଦନ୍ତରେ ବିଳମ୍ବ ଦେଖା ଦେଉଥିବା ଯୋଗୁଁ ନାଲି ଫିତା ତଳେ କାର୍ଯ୍ୟାନୁଷ୍ଠାନ ପଡିରହିଛି।ନକଲି ଶିକ୍ଷକ ରାକେଟର ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ନିଆ ଗଲେ ବହୁ ରହସ୍ୟର ଗୁମର ଫିଟିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,କଳାହାଣ୍ଡି ଜିଲ୍ଲାର ବହୁ ସ୍କୁଲରେ ନକଲି ସାର୍ଟିଫିକେଟ ଧାରୀ ନକଲି ଶିକ୍ଷକ ମାନେ ନିଜର ଆସ୍ଥାନ ଜମେଇଛନ୍ତି।ନକଲି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ବେଳେ ବର୍ଷ ବର୍ଷ ଧରି ସରକାରୀ ତହବିଲରୁ ଦରମା ଉଠାଣ କରୁଛନ୍ତି।ଫଳରେ ବହୁ ଯୋଗ୍ୟ ଶିକ୍ଷକ ତାଲିମ ପାଇ ମଧ୍ୟ ଚାକିରୀ ପାଇବାରେ ସକ୍ଷମ ହୋଇ ପାରୁ ନାହାନ୍ତି।ଯୋଗ୍ୟ ଶିକ୍ଷକଙ୍କୁ ନକଲି ଶିକ୍ଷକ ମାନେ ବାଟ ଓଗାଲୁ ଥିବା ନେଇ ତଦନ୍ତ ସାପେକ୍ଷ ଅଟେ।କଳାହାଣ୍ଡି ଜିଲ୍ଲାର ସଦର ବ୍ଲକ ରାଇମରା ପ୍ରାଥମିକ ବିଦ୍ୟାଳୟର ଜୈନେକ ଶିକ୍ଷୟତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ।କିନ୍ତୁ ନକଲି ମାର୍କ ସିଟ ପ୍ରସ୍ତୁତ କରି ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ଦର୍ଶାଇ ଚାକିରୀ କରୁଥିବା ଅଭିଯୋଗ ହୋଇଛି।ସେହିଭଳି ଲାଞ୍ଜିଗଡ଼ ବ୍ଲକ କାଲକୋଟ ଗ୍ରାମର ଜଣେ ଶିକ୍ଷକ ନକଲି ବିଇଡି ସେର୍ଟିଫିକେଟ ଦେଇ ଚାକିରୀ କରୁଛନ୍ତି।ସେହିଭଳି ତାଙ୍କ ସ୍ତ୍ରୀ ମଧ୍ୟ ଲାଞ୍ଜିଗଡ଼ ବ୍ଲକ ରେ ନକଲି ସିଟି ସେର୍ଟିଫିକେଟ ଦେଇ ଚାକିରୀ କରୁଛନ୍ତି।ଭବାନୀପାଟଣା ସଦର ବ୍ଲକର ବୋରଭଟା ହାଇସ୍କୁଲର ହିନ୍ଦୀ ଶିକ୍ଷୟତ୍ରୀ ନକଲି ହିନ୍ଦୀ ଓ ବିଇଡି ସେର୍ଟିଫିକେଟ ଦେଇ ଚାକିରୀ କରୁଛନ୍ତି।କେସିଙ୍ଗା ଚାଁଚେର ହାଇସ୍କୁଲର ପିଇଟି ଶିକ୍ଷକ ନକଲି ସେର୍ଟିଫିକେଟ ଦେଇ ଚାକିରୀ କରୁଛନ୍ତି।ଲାଞ୍ଜିଗଡ଼ ବ୍ଲକ ଲଟକା ବାହାଲି ଗ୍ରାମର ଜଣେ ଶିକ୍ଷକ ନକଲି ସିଟି ସେର୍ଟିଫିକେଟ ଦେଇ ଲାଞ୍ଜିଗଡ଼ ବ୍ଲକରେ ଚାକିରୀ କରୁଛନ୍ତି।ଭବାନୀପାଟଣା ସଦର ବ୍ଲକ ଘୁଗୁରପଲା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ବିଇଡିର ନକଲି ସେର୍ଟିଫିକେଟ ଦେଇ ଚାକିରୀ କରୁଛନ୍ତି।ସଦର ବ୍ଲକର ପଡିଆ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ନକଲି ସିଟି ସେର୍ଟିଫିକେଟ ଦେଇ ଚାକିରୀ କରୁଥିବା ଅଭିଯୋଗ ହୋଇଛି।ଜୁନାଗଡ଼ ବ୍ଲକର ବାଙ୍କପଲାସ ହାଇସ୍କୁଲରେ ଜଣେ ଶିକ୍ଷୟତ୍ରୀ ନକଲି ଯୁକ୍ତ ଦୁଇ ବିଜ୍ଞାନ ସେର୍ଟିଫିକେଟ ଦେଇ ଚାକିରୀ କରୁଥିବା ଅଭିଯୋଗ ହୋଇଛି।ସେହିଭଳି ମଦନପୁର ରାମପୁର ବ୍ଲକର ମୋହନଗିରି ହାଇସ୍କୁଲରେ ଦୁଇଜଣ ନକଲି ପ୍ରମାଣପତ୍ର ଆଧାରରେ ଚାକିରୀ ହାତେଇଥିବାର ଅଭିଯୋଗ ହେଉଛି।ଏହିଭଳି ଶହ ଶହ ଶିକ୍ଷକ ଶିକ୍ଷୟତ୍ରୀ ନକଲି ସେର୍ଟିଫିକେଟ ଦେଇ ଚାକିରୀ କରୁଛନ୍ତି।ଅଭିଯୋଗ ଆସିଲେ କେବଳ ତଦନ୍ତ ହୁଏ କିନ୍ତୁ ପ୍ରାୟତଃ କଆର୍ଯ୍ୟାନୁଷ୍ଠାନ ହୁଏ ନାହିଁ।ତଦନ୍ତ ଆରମ୍ଭ ହେଲେ ରାଜନେତା ମାନଙ୍କ ଠାରୁ ଚାପ ପକାଇ ତଦନ୍ତକୁ ବାଟବଣା କରାଯାଏ।ବର୍ତ୍ତମାନ ନୂଆ ନିଯୁକ୍ତି ପାଇଥିବା କିଛି ଶିକ୍ଷକ ଶିକ୍ଷୟିତ୍ରୀ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଅଭିଯୋଗ ହୋଇଛି।ଏହାର ଏକ ବିଧିବଦ୍ଧ ତଦନ୍ତ କରାଗଲେ ନକଲି ଶିକ୍ଷକଙ୍କ ଗୁମର ଖୋଳନ୍ତା ବୋଲି ସାଧାରଣରେ ଦାବୀ ହୋଇଛି।ନକଲି ଶିକ୍ଷକ ମାନଙ୍କ ଶିକ୍ଷାଦାନ ଯୋଗୁ ବହୁ ସ୍କୁଲରେ ଗୁଣାତ୍ମକ ମାନ ହରାଇଥିବା ଅଭିଯୋଗ ହେଉଛି।ଏହି ନକଲି ଶିକ୍ଷକ ମାନେ ବର୍ଷ ବର୍ଷ ଧରି ଦରମା ପାଉଥିବା ଯୋଗୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି।ଏହି ନକଲି ଶିକ୍ଷକ ମାନଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁଁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।ଏନେଇ ଜିଲ୍ଲା ଶିକ୍ଷାଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲା। ଜିଲ୍ଲା ଶିକ୍ଷାଧିକାରୀ କୌଣସି ଉତ୍ତର ନ ଦେଇ ଚୁପ ରହିଯାଇଥିବାରୁ ତାଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ