ନକ୍ସଲ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ: ୫ ଯବାନ୍ ଶହିଦ, ୨୧ ଯବାନଙ୍କ ମିଳୁନି ପତ୍ତା
ଛତିଶଗଡ଼ (ୱାଇଏନ୍ଏସ୍): ଛତିଶଗଡ଼ ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲା ସୀମାନ୍ତରେ ନକ୍ସଲ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୫ ଯବାନ ଶହିଦ୍ ହେବା ସହ ଅନେକ ଆହତ ହୋଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୧ ଯବାନଙ୍କ ଏଯାଏଁ ପତ୍ତା ମିଳୁନି । ଶନିବାର ୩ ଘଣ୍ଟା ଧରି ଚାଲିଥିଲା ଗୁଳିବିନିମୟ । ସେଠାକାର ପୋଲିସ ଅଧିକାରୀଙ୍କ କହିବା ମୁତାବକ ଜଣେ ମହିଳା ନକ୍ସଲଙ୍କ ମୃତଦେହ ଜବତ ହୋଇଛି । ଜଂଗଲରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ, ସେହି ସମୟରେ ନକ୍ସଲମାନେ ମୋଟର ଲଂଚର ଓ ଅତ୍ୟାଧୁନିକ ଅସ୍ତ୍ର ମାଧ୍ୟମରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ପରେ ପାଖାପାଖି ୧୫୦୦ ଯବାନଙ୍କୁ ନକ୍ସଲ ଦମନ ବିରୋଧୀ ଅଭିଯାନରେ ସାମିଲ କରାଯାଇଛି, ଯେଉଁମାନେ କି ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେପଟେ ୫ ଯବାନ୍ ଶହିଦ ହେବା ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।


