ନଖ କାଟି ଶହୀଦ ହେବାର ଡ୍ରାମା କରୁଛନ୍ତି ନବୀନ -ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ନଖ କାଟି ଶହୀଦ ହେବାର ଅଭିନୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ଭାବେ ଜଣା । ଓଡିଆ ଲୋକମାନେ ଏହି ସୁଆଙ୍ଗକୁ ବୁଝିଲେଣି । ଓଡିଶାର ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ବକ୍ତବ୍ୟ ଉପରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନରେନ୍ଦ୍ର ମୋଦିଙ୍କୁ ନିଚ୍ଚା ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ମିଛ ତଥ୍ୟର ସାହାରା ନେଇଛନ୍ତି । କେନ୍ଦ୍ର ମନା କରିବା ପରେ ୩୦ ଲକ୍ଷ ଓଡିଶାର ଲୋକଙ୍କୁ ସେ ଟଙ୍କିକିଆ ଚାଉଳ ଯୋଗାଇ ଦେଉଥିବା ବକ୍ତବ୍ୟକୁ ମିଥ୍ୟା ତଥ୍ୟର ସୌଦାଗରଙ୍କ ଆଉ ଏକ ମିଛ ବୋଲି ପ୍ରଧାନ କହିଛନ୍ତି । ବିଧାନସଭାର ଉତରକୁ ପଢି ୩୦ ଲକ୍ଷ ନୁହେଁ ୨୩ ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ଚାଉଳ ଯୋଗାଇଥିବା ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହୁଥିବା ୨୩ ଲକ୍ଷ ତାଲିକାର ହିସାବ ଓଡିଆ ଲୋକଙ୍କ ପାଖରେ ନାହିାଁ ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ଆତ୍ମୀୟସ୍ୱଜନ ଏହାର ଲାଭାର୍ଥୀ ହୋଇଛନ୍ତି ନରେନ୍ଦ୍ର ମୋଦି ୩ କୋଟି ୨୬ ଲକ୍ଷ ଓଡିଶା ଗରିବ ଜନସାଧାରଣଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବର୍ଷକୁ ୬ ହଜାର କୋଟି ଟଙ୍କା ବ୍ୟୟବରାଦରେ ଅର୍ଥାତ୍ ମାସିକ ୫ଶହ କୋଟି ଟଙ୍କା ଖର୍ଚ୍ଚ କରି ଚାଉଳ ଯୋଗାଇ ଦେଉଛନ୍ତି । ୩୨ ଟଙ୍କା ଚାଉଳରେ କେନ୍ଦ୍ର ସରକାର ୨୯ ଓ ଖାଉଟି ୧ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ମାତ୍ର ୨ ଟଙ୍କା ଦେଉଛନ୍ତି । ଅପରପକ୍ଷରେ ରାଜ୍ୟ ସରକାର ୨୩ ଲକ୍ଷ ଲୋକଙ୍କୁ ବାର୍ଷିକ ୮୦ ରୁ ୮୫ କୋଟି ଟଙ୍କା ଅର୍ଥାତ୍ ମାସିକ ୭ ରୁ ୮ କୋଟି ଟଙ୍କା ଦେଉଛନ୍ତି । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ୬ ହଜାର କୋଟି ଟଙ୍କା ଓ ୩ କୋଟି ୨୬ ଲକ୍ଷ ଲୋକଙ୍କ ପାଇଁ ଦାୟିତ୍ୱ ଏବଂ ଅନ୍ୟପଟେ ୮୦-୮୫ କୋଟି ଟଙ୍କା ଏବଂ ୨୩ ଲକ୍ଷ ଲୋକଙ୍କ ପାଇଁ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ମିଛକୁ ଓଡିଶାବାସୀ ବୁଝିଲେଣି କହିଛନ୍ତି । ଓଡିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ଫୁଡ୍ କମିଶନର ରଙ୍ଗଲାଲ ଜାମୁଡା ଗତ ଜାନୁଆରୀ ମାସରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ଯେଉଁ ଆଲୋକେସନ ଓଡିଶାକୁ ଅଛି, ସେଥିରେ ଆଉ ୬ ଲକ୍ଷ ଲୋକଙ୍କ ତାଲିକା ଯୋଡାଯାଇପାରିବ । ତେବେ ମୋଦିଙ୍କ ପଇସାକୁ ଓଡିଶା ସରକାର କାହିଁକି ଓଡିଆ ଗରିବ ଲୋକଙ୍କୁ ଦେବାକୁ କୁଣ୍ଠାବୋଧ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମିଛ କହିବାର ଅଭ୍ୟାସ ଛାଡିବେନାହିଁ । ବିଜ୍ଞାପନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜ ମିଛକୁ ସତରେ ପ୍ରମାଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅପଚେଷ୍ଟା କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ନିର୍ବାଚନରେ ଓଡିଆ ଲୋକମାନେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନର ସରକାର ଲଗାଇବେ । ଏଥର ନକଲି ଓଡିଆଙ୍କ ସରକାର ନୁହେଁ ଅସଲି ଓଡିଆଙ୍କ ସରକାର ହେବ ବୋଲି ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।