ନଦୀରେ ବୁଡି ବୃଦ୍ଧା ମୃତ
ପାରଳାଖେମୁଣ୍ଡି,-(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଦେଇ ଯାଇଥିବା ବଂଶଧାରା ନଦୀରେ ବୁଡି ଶନିବାର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଯେ କାଶୀନଗର ବ୍ଲକର ୬ନଂ ୱାର୍ଡର ଲୋଲୁଗୁ କାନକା ସକାଳେ ନଦୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ନଦୀରେ ବୁଡିଯାଇଥିଲେ । ଖବର ପାଇ କାଶୀନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି କାଶୀନଗର ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କାଶୀନଗର ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।