ନଦୀ ଗଣ୍ଡରେ  ଗାଧୋଉଥିବା ବେଳେ  ଟାଣିନେଲା କୁମ୍ଭୀର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସେବକ ଟିକରପଡ଼ା ଗ୍ରାମ ଘୋଡାହଡ ନଦୀ ଗଣ୍ଡରେ ସୋମବାର ଅପରାହ୍ନ ପ୍ରାୟ ୪ ଟା ରେ ଗାଧୋଉଥିବା ବେଳେ ଜଣେ ୫ ଶ୍ରେଣୀ ଛାତ୍ର ଙ୍କୁ ଏକ କୁମ୍ଭୀର ଟାଣି ନେଇଥିବା ବେଳେ ପ୍ରାୟ ୧ ଘଣ୍ଟା ପରେ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ । ମୃତ ଛାତ୍ର ଜଣକ ହେଲେ ଖମ୍ବାରୀ ଗାଁ ପଞ୍ଚାୟତ ସେବକ . ଟିକରପଡା ଗ୍ରାମର ଶୁଭ୍ରାଂଶୁ କୁମାର ଗୈାଡ ( ୧୧) । ଶୁଭ୍ରାଂଶୁ ଗାଧୋଇବା ସମୟରେ ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ତେବେ ଶୁଭ୍ରାଂଶୁ ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବା ଦେଖି ପରିବାର ଲୋକେ ନଦୀ ଗଣ୍ଡ କୁ ଯାଇଥିଲେ । ସେଠାରେ ତାଙ୍କ ଡ୍ରେସ୍ ଓ ଚପଲ ରହିଥିବା ବେଳେ ଶୁଭ୍ରାଂଶୁ ନ ଥିଲେ । ଖବର ପ୍ରଚାରିତ ପରେ ଅଳ୍ପ ଦୂରରେ ଲୋକେ କୁମ୍ଭୀରକୁ ଦେଖିବା କ୍ଷଣି ଗ୍ରାମବାସୀ ଓ ସେଠାକାର କୈବର୍ତ୍ତ ସମ୍ପ୍ରଦାୟ ଲୋକମାନେ ଡଙ୍ଗା ସାହାଯ୍ୟରେ କୁମ୍ଭୀରକୁ ଘେରାଇ ମାଛ ଜାଲ ଫୋପାଡି ଥିଲେ । ଯାହାଫଳରେ କୁମ୍ଭୀର ଶୁଭ୍ରାଂଶୁକୁ ଛାଡି ପଳାଇଥିଲା । ଏପଟେ ଶୁଭ୍ରାଂଶୁଙ୍କୁ ଗ୍ରାମବାସୀ ଉଦ୍ଧାର କରି ଡଙ୍ଗା ସାହାଯ୍ୟରେ ଆଣିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ  ଗ୍ରାମବାସୀଙ୍କ ପକ୍ଷରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବନ ବିଭାଗର ଅବହେଳା ଯୋଗୁଁ ଏଭଳି ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ କରିଥିଲେ। ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟପକ୍ଷରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସିପକ କୁମାର ପାତ୍ର ଏବଂ କେ . ନୂଆଗାଁ ପୋଲିସ ଟିମ୍ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାପଡିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଛନ୍ତି।ସନ୍ଧ୍ୟା ହୋଇଯିବାରୁ ମଙ୍ଗଳବାର ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି କେ.ନୂଆଗାଁ ଥାନା ଆଇ ଆଇ ସି ମୃତ୍ୟୁଞ୍ଜୟ ସ୍ୱାଇଁ କହିଛନ୍ତି। ଏନେଇ ଦିଗପହଣ୍ଡି ବନବିଭାଗ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଙ୍କୁ ଯୋଗାଯୋଗ କରିବାରେ ଘଟଣା ଦୁର୍ଭାଗ୍ୟଜନକ। ଏନେଇ ବିଭାଗୀୟ ତଦନ୍ତ ପରେ ବନବିଭାଗ ପକ୍ଷରୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ