ନନ୍ଦିନୀ, ରମେଶ ଓ ବିଜୟଙ୍କ ମଧ୍ୟରେ ପ୍ରମୁଖ ଲଢେଇ
ଦିଗପହଣ୍ଡି : ଶାସକ ଦଳ ବିଜୁ ଜନତା ଦଳ ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ସାଂସଦ ଓ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରାଜନିତୀ ଏବେ ସରଗରମ ହୋଇ ଉଠିଛି । ଶାସକ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୁସି ମନାଯାଇଉଥିଲେ ମଧ୍ୟ ନିଜ ନିଜ ମଧ୍ୟରେ ଶୀତଳ ଯୁଦ୍ଧ ପରିସ୍ଥିତି ଦେଖାଦେଇଥିବା ଜଣାପଡିଛି । ଦଳରେ ପୁରୁଖା ତଥା ମଙ୍ଗ ଧରୁଥିବା ଛାମୁଆ କର୍ମୀ ଓ ନେତା ମାନଙ୍କୁ ଅଣଦେଖା ଏବଂ ଅସନ୍ତୋଷ ବିଜେଡି କର୍ମୀ ମାନଙ୍କ ଭୋଟ ବିଭାଜନ ହୋଇ ବିରୋଧି ଗୋଷ୍ଠୀଙ୍କୁ ଚାଲିଯିବାର ପ୍ରାକ୍ ଅନୁମାନ କରାଯାଉଛି । ରାଜନୈତିକ ସମୀକ୍ଷକ ମାନଙ୍କ ମତରେ କୁହାଯାଉଛି ଯେ, ଧରାକୋଟ ରାଣୀ ନନ୍ଦିନୀ ଦେବୀଙ୍କୁ ପୁନଶ୍ଚ ବିଜେଡି ଦଳୀୟ ଟିକଟ ମିଳିବା ପରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ସବୁସ୍ଥାନରେ ଜନତାଙ୍କ ମୂଲ୍ୟବାନ ଭୋଟ ହାତେଇବା ବିଜେଡି ପାଇଁ କଷ୍ଟକର ବ୍ୟାପାର ହୋଇପାରେ ବୋଲି ଜାଣିବାକୁ ମିଳିଛି । ଏକଦା ସିପିଆଇ ତଥା ବାମପନ୍ଥୀ ଦଳର ଗଡ କୁହାଯାଉଥିବା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପରବର୍ତ୍ତୀ ସମୟରେ କଂଗ୍ରେସ ଦଖଲକୁ ଚାଲିଯାଇଥିଲା । ପରେ ୨୦୧୪ ସାଧାରଣ ନିର୍ବାଚନରେ ନିର୍ବାଚନ ମଣ୍ଡଳୀ ବିଜେଡି ଅକ୍ତିଆରକୁ ଚାଲିଯାଇଥିଲା । ସମ୍ପ୍ରତ୍ତି ପ୍ରାକ୍ତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଘର ବାହୁଡା ଏବଂ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଟିକଟ ଘୋଷଣା ହେବା ପରେ ରମେଶଙ୍କ ଶିବିରରେ ଜନସମର୍ଥନ ବିପୁଳ ରହୁଥିବା ଦେଖିବାକୁ ମିଳିଛି । ଗତ ୫ ବର୍ଷରେ ଘଟିଥିବା ବିଭିନ୍ନ ଘଟଣାବଳୀକୁ ଦେଖି ଲୋକେ ହୃଦଙ୍ଗମ କରି ଜନତାଙ୍କ ଭୋଟ କଂଗ୍ରେସକୁ ଯିବାର ସମ୍ଭାବନା ରହିଛି ବୋଲି ରମେଶ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ସେପଟେ ଗତ ୫ ବର୍ଷର ଉନ୍ନତି ମୂଳକ ଜନ ହିତକର ଯୋଜନାକୁ ମୁର୍ଦ୍ଦା ରଖିବା ସହିତ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶକୁ ନେଇ ରାଣୀ ନନ୍ଦିନୀ ଦେବୀ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ନେଇ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ନିର୍ବାଚନ ମଣ୍ଡଳୀରେ ବିଜେପିର ସ୍ଥିତି ମଧ୍ୟ ସମପ୍ରାୟ ରହିଥିବା ବେଳେ ତୃଣମୂଳ ସ୍ତରରେ ସଙ୍ଗଠନ ମଜବୁତ ରହିଥିବା ବେଳେ ବିଜେପି ମଧ୍ୟ ବିପୁଳ ଭୋଟ ହାତେଇବ ବୋଲି ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ବିଜୟ କୁମାର ସ୍ୱାଇଁ ଓ ଜିଲ୍ଲାପରିଷଦ ସଭ୍ୟ ଗଦାଧର ସ୍ୱାଇଁ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ପ୍ରକାଶଥାଉକି, ଗତ ୨୦୧୪ ସାଧାରଣ ନିର୍ବାଚନରେ ୧୩୦ନଂ ବିଧାନ ସଭା ଆସନ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୮ହଜାର୨୨୨ ଭୋଟ ବ୍ୟବଧାନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନାଙ୍କୁ ପରାସ୍ତ କରି ବିଜେଡି ବିଧାୟିକା ପ୍ରାର୍ଥୀ ଧରାକୋଟ ରାଣୀ ସାନଖେମୁଣ୍ଡି ବିଧାନ ସଭା ଆସନରେ ବିଜୟ ଲାଭ କରିଥିଲେ । ୧ ଲକ୍ଷ ୯୬ ହଜାର ୨୪୮ ପଞ୍ଜିକୃତ ଭୋଟର ରହିଥିବା ବେଳେ ସମୁଦାୟ ୧ ଲକ୍ଷ ୩୧ ହଜାର ୧୬୪ ମତଦାନ ଗ୍ରହଣ କରାଯାଇଥିଲା । ୬୬.୮୪ ପ୍ରତିଶତ ପୁଲିଂ ହୋଇଥିବା ବେଳେ ନୋଟାକୁ ୨ ହଜାର ୨୭୫ଟି ଭୋଟ ଯାଇଥିଲା । ବିଜେଡିରୁ ନନ୍ଦିନୀ ଦେବୀ ୬୧ ହଜାର ୭୭୩, ଭାରତୀୟ ଜାତୀୟ କଂଗ୍ରେସରୁ ରମେଶ ଚନ୍ଦ୍ର ଜେନା ୫୩ ହଜାର ୫୫୧, ଭାରତୀୟ ଜନତା ପାର୍ଟିରୁ ପୁଡାମାରୀ ଯୁବ ରାଜ ବୀରକିଶୋର ଦେବ ୬ହଜାର ୫୩, ସିପିଆଇରୁ ଅନ୍ତର୍ଯ୍ୟାମୀ ସ୍ୱାଇଁ ୪ହଜାର ୯୩୩, ବିଶ୍ୱ ହିନ୍ଦୁ ପରିଷଦରୁ ଶିରିଶ ଚରଣ ମିଶ୍ର ୧ ହଜାର ୩୪୭, ଆମ ଆଦମୀ ପାର୍ଟିରୁ କେ.ରମେଶ କୁମାର ଦୋରା ମାତ୍ର ୧ ହଜାର ୨୩୨ ଭୋଟ ହାତେଇଥିଲେ । ସେହିପରି ୨୦୦୯ ସାଧାରଣ ନିର୍ବାଚନରେ ସର୍ବାଧିକ ୨୩ ହଜାର ୫୯୩ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ କିଶୋର ଚନ୍ଦ୍ର ସିଂ ଦେଓ ତଥା ଧରାକୋଟ ରାଣୀ ନନ୍ଦିନୀ ଦେବୀଙ୍କ ସ୍ୱାମୀଙ୍କୁ ପରାସ୍ତ କରି ଭାରତୀୟ ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ସାନଖେମୁଣ୍ଡି ବ୍ଳକ ଗମ୍ବାରୀଗୁଡା ଗ୍ରାମର ରମେଶ ଚନ୍ଦ୍ର ଜେନା ବିଜୟ ଲାଭ କରି ଗଡକୁ କଂଗ୍ରେସ ଦଖଲକୁ ନେଇଯାଇଥିଲେ । ସେତେବେଳେ ସମୁଦାୟ ୧ ଲକ୍ଷ ୨୭୮ ମତଦାନ ଗ୍ରହଣ କରାଯାଇଥିବା ବେଳେ ୫୫.୮୮ ପ୍ରତିଶତ ପୁଲିଂ ହୋଇଥିବା ବିଭାଗୀୟ ଦପ୍ତରରୁ ପ୍ରକାଶ । ସେତେବେଳେ ସାନଖେମୁଣ୍ଡିରେ ଶାସକ ଦଳ ବିଜେଡିର ସେତେଟା ଦବଦବା ନଥିବାରୁ ବାମପନ୍ଥୀ ଦଳ ସପିଆଇ ସହିତ ଶାସକ ଦଳ ବିଜେଡିର ଆସନ ବୁଝାମଣା କରାଯାଇ ସିପିଆଇ ନେତା ଏନ.ନାରାୟଣ ରେଡ୍ଡିଙ୍କୁ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରି ସମୁଦାୟ ୧୫ ହଜାର ୨୩ଟି ଭୋଟ ହାତେଇଥିଲେ । ଅନ୍ୟାନ୍ୟ ସ୍ୱାଧିନ, ଆରଏସପି (ରିଭଲୁସନାରୀ ସୋସିଆଲିଷ୍ଟ ପାର୍ଟି) ଓ ଏସପି (ସମାଜବାଦୀ ପାର୍ଟି) ଭଳି ଅନ୍ୟାନ୍ୟ ତିନିଜଣ ବିଧାୟକ ପ୍ରାର୍ଥୀ ସମୁଦାୟ ୭ ହଜାର ୮୬୯ଟି ଭୋଟ ପାଇଥିଲେ । ଗତ ଦୁଇ ସାଧାରଣ ନିର୍ବାଚନ ଫଳାଫଳକୁ ଦେଖିଲେ ସାନଖେମୁଣ୍ଡିରେ ବିଜେଡି ନିଜର ସ୍ଥିତିକୁ ଦୃଢୀଭୁତ କରିଥିବା ଜଣାଯାଏ । ହେଲେ ସମ୍ପ୍ରତ୍ତି ଚାଲିଥିବା ଦଳୀୟ ଗୋଷ୍ଠୀ କନ୍ଦଳ ଏବଂ ଅନ୍ତ ଦ୍ୱନ୍ଦ ଯୋଗୁଁ ବିପକ୍ଷ ରାଜନୈତିକ ଦଳ ଭୋଟ ହାତେଇବାକୁ ସହାୟକ ହେବ ବୋଲି ଅନୁମାନ କରାଯାଉଛି । ଚଳିତ ସାଧାରଣ ନିର୍ବାଚନରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକଟ ହାତେଇବା ପାଇଁ ରାଣୀ ନନ୍ଦିନୀଙ୍କ ବ୍ୟତୀତ ପ୍ରାକ୍ତନ ସାଂସଦଙ୍କ ଝିଅ ଲତିକା ପ୍ରଧାନ, ଓସକାର୍ଡ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ୱାଇଁ, ସାମାଜିକ କର୍ମୀ ତଥା ଶ୍ୱେତ ଗଙ୍ଗା ସଫେଇ କରି ବିଜେଡିର ଅଗ୍ରଣୀ ଧାଡିରେ ରହିଥିବା ଯୁବ ନେତା ମଙ୍ଗୁଳୁ ପାତ୍ରଙ୍କ ସମେତ ଅନ୍ୟ କିଛି ବିଧାୟକ ପ୍ରାର୍ଥୀ ପାଇଁ ଲବିରେ ଥିଲେ । ସଭିଏଁ ସାନଖେମୁଣ୍ଡି ଓ ଧରାକୋଟ ବ୍ଳକର ବିଭିନ୍ନ ସ୍ଥାନରେ ଶିବିର କରି ଜନସମର୍ଥନ ପାଇଁ ଡେରା ଦେଇ ବସିଥିଲେ । ହେଲେ ସୋମବାର ଚୁଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ସମର୍ଥକମାନଙ୍କ ମନ ମଉଳିଯିବା ସହିତ ସବୁ ସ୍ଥାନରେ ଦଳୀୟ ଭୋଟ ବିଭାଜନ ହୋଇଯାଉଥିବା ସମାଲୋଚନା ଜୋର୍ ଧରିଛି । ଗତ ୨୦୧୪ ସାଧାରଣ ନିର୍ବାଚନରେ ନନ୍ଦିନୀ ଦେବୀଙ୍କୁ ସାନଖେମୁଣ୍ଡି ବିଧାନ ସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ଲତିକାଙ୍କୁ କବିସୂର୍ଯ୍ୟନଗର ବିଧାନ ସଭା ଆସନରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ଘୋଷଣା କରାଯାଇଥିଲା । ସେତେବେଳେ ସମସ୍ତ ଦଳୀୟ ନେତା ଓ କର୍ମୀଙ୍କ ସହେଯାଗରେ ବିପୁଳ ଜନସମର୍ଥନ ପାଇ ବିଜେଡି ଗଡ ଅକ୍ତିଆର କରିଥିଲା । ପରବର୍ତ୍ତୀ ସମୟରେ ରମେଶଙ୍କୁ କୌଣସି କାରଣରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ପରେ ପୋଲିସ ଭୟରେ ବିଭିନ୍ନ ସ୍ଥାନରେ କଂଗ୍ରେସ ସମର୍ଥିତ କର୍ମୀ ମାନେ ବିଜେଡିରେ ଯୋଗଦାନ ଦେଇଥିଲେ । ଯାହାକୁ ନେଇ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ପରିସ୍ଥିତି ଦେଖାଦେଇଥିଲା । ଗତ ୨୦୧୭ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ରାଣୀ ନନ୍ଦିନୀଙ୍କ ନିକଟରେ ୨୬ ଗୋଟି ପଞ୍ଚାୟତରୁ ୧୩ ଟି ପଞ୍ଚାୟତର ଜନପ୍ରତିନିଧି ରହିଥିବା ବେଳେ ବିପକ୍ଷ ତଥା ଅସନ୍ତୋଷ ରାଣୀ ବିଜେଡି ଗୋଷ୍ଠୀରେ ଆଉ ୧୩ଟି ପଞ୍ଚାୟତର ଜନପ୍ରତିନିଧି ରହିଥିଲେ । ବୁଝାମଣା ହେବା ପରେ କ୍ରସ୍ ଭୋଟିଂ ହୋଇ ବ୍ଳକ ବିଜେଡି ଅକ୍ତିଆରକୁ ଯାଇଥିଲା । ସମ୍ପ୍ରତ୍ତି ସାନଖେମୁଣ୍ଡି ବିଧାନ ସଭା ଆସନ ପାଇଁ ଲତିକାଙ୍କ ପାଇଁ ସାନଖେମୁଣ୍ଡି ଜନତା ଦନାର୍ଦ୍ଦନ ଲବି କରିଆସୁଥିବା ବେଳେ ନନ୍ଦିନୀଙ୍କୁ ପୁନଶ୍ଚ ଟିକଟ ମିଳିବା ପରେ ସମର୍ଥକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସାନଖେମୁଣ୍ଡି ବ୍ଳକର ୨୬ ଗୋଟି ପଞ୍ଚାୟତରୁ ପ୍ରମୁଖ ୧୨ ଗୋଟି ପଞ୍ଚାୟତରେ ପ୍ରତ୍ୟେକରେ ଅନୁନ୍ୟ ୮୦୦ରୁ ୧ହଜାର ଯୁବ ଭୋଟରଙ୍କ ମତଦାନ ନୋଟା କିମ୍ବା ବିପକ୍ଷ ଦଳକୁ ଅସନ୍ତୋଷ ବିଜେଡି ଭୋଟ ଚାଲିଯିବାର ସବୁଠି ଚର୍ଚ୍ଚା ଜୋର୍ ଧରିଛି । ପୁରୁଣା ଛାମୁଆ କର୍ମୀ ଓ ନେତାଙ୍କୁ ଅଣଦେଖା କରାଯାଉଥିବାରୁ ସେମାନେ ଶାସକ ଦଳର ଭୋଟ ପ୍ରଚାରରୁ ବିରତ ରହିବେ ବୋଲି କିଛି ପ୍ରାକ୍ତନ ସରପଞ୍ଚ, ସମିତିସଭ୍ୟ ନିଜ ନାମ ଗୋପନ ରଖି ଜଣାଇଛନ୍ତି । ବିଶେଷ କରି ଧରାକୋଟ ବ୍ଳକର ଶରଧାପୁର, ଦାମଦୋରପଲ୍ଲୀ, ଜାହାଡା, ଅଭୟପୁର, ଢଉଗାଁ ଏବଂ ସାନଖେମୁଣ୍ଡି ବ୍ଳକର ପୁଡାମାରୀ, ସିଙ୍ଗିପୁର, ପଟ୍ଟିଗୁଡା, ମୌଳାଭଣଞ୍ଜା, ଚୁଡଙ୍ଗପୁର, ସାହାସପୁର, କଙ୍କରୋଡା, ଗମ୍ଭାରୀଗୁଡା, ଏରେଣ୍ଡ୍ରା, ଖଲିଙ୍ଗି, ରାମଚନ୍ଦ୍ରପୁର, ଆଡପଡା ଭଳି ଜନବହୁଳ ପଞ୍ଚାୟତ ମାନଙ୍କରେ ଅସନ୍ତୋଷ ବିଜେଡି ଭୋଟ ନୋଟା କିମ୍ବା ବିପକ୍ଷ ଦଳ କଂଗ୍ରେସ ଓ ବିଜେପିକୁ ଚାଲିଯିବାର ସମ୍ଭାବନା ରହିଥିବା ସାଧାରଣରେ ଚର୍ଚ୍ଚା ଜୋର୍ ଧରୁଛି । ଅନ୍ୟପକ୍ଷରେ ଆସିକା ଲୋକ ସଭା ସାଂସଦ ବିଜେଡି ପ୍ରାର୍ଥୀଙ୍କୁ ଜନସମର୍ଥନ ରହିଥିଲେ ହେଁ ବିଧାନ ସଭା ଆସନ ଭୋଟ, ଶାସକ ଦଳକୁ ମିଳିବା ଆଶଙ୍କା କମ୍ ରହିଥିବା ସମାଲୋଚନା ହେଉଛି ।