ନନ୍ଦିପଦା ହାଇସ୍କୁଲରେ ପ୍ରଧାନଶିକ୍ଷକ ସ୍କୁଲ କମିଟି ବିବାଦ ତୁଟୁନି ୫ମାସ ହେଲା ମଧ୍ୟାହ୍ନ ଭୋଜନ ବନ୍ଦ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ୍ର ମୁକୁନ୍ଦ ଚରଣ ବିଦ୍ୟାପୀଠ ନନ୍ଦିପଦା ହାଟ ହାଇସ୍କୁଲର ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ବିବାଦ ତୁଟୁ ନଥିବାରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ମାସେ ନୁଁହ କି ଦୁଇମାସ ନୁଁହ ୫ମାସ ହେଲା ବନ୍ଦ ଥିବାବେଳେ ପ୍ରଶାସନ କିଛିବି ପଦକ୍ଷେପ ନେଇ ପାରୁନି। ସୂଚନା ଅନୁଯାୟୀ ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ତ୍ରିପାଠୀ ବିଦ୍ୟାଳୟର ୫-ଟି କାର୍ଯ୍ୟ ସହ ପୁରୁଣା ସାମଗ୍ରୀ ଏବଂ ବିଦ୍ୟାଳୟ ପରିସରରେ ଥୂବା ଗଛ ବିକ୍ରି କରିଥିଲେ ହେଁ ତା’ର ହିସାବ ବିଦ୍ୟାଳୟ କମିଟି ଓ ମୋ ସ୍କୁଲ ଅଭିଯାନ କମିଟିକୁ ଦେଇନଥିଲେ। ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଧାନଶିକ୍ଷକ ଏଥୂପ୍ରତି ଆଦୌ ଗୁରୁତ୍ବ ନଦେଇ ସମୟ ଗଡ଼ାଇ ଚାଲିଥିଲେ। ଏହାକୁ ନେଇ କମିଟି ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେ ହିସାବ ଦେବା ପରିବର୍ଭେ ଦୀର୍ଘ ଦିନ ହେବ ଛୁଟିରେ ରହିଥିବାରୁ ବିଦ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି। କମିଟି ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର ୫-ଟି ଅଧୀନରେ ୫୦ ଲକ୍ଷରୁ ଅଧୂକ ଟଙ୍କାର କାର୍ଯ୍ୟ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ବରେ ଚାଲିଥିଲା। କିନ୍ତୁ୫-ଟି କାମ ଅତ୍ୟନ୍ତ ନିମ୍ନମାନର ହୋଇଥିଲା। ଅଳ୍ପ ଦିନ ଭିତରେ ରଙ୍ଗ ସବୁ ଧୋଇ ଯାଇଥିଲା। ଅଧିକାଂଶ କାର୍ଯ୍ୟ ଉପଯୁକ୍ତ ମାନର ନ ହୋଇ ମଧ୍ୟ ବିଲ କରାଯାଇଥିବା ନେଇ ସ୍କୁଲ କମିଟି ସଦସ୍ୟ ମାନେ ଅଭିଯୋଗ କରିଥିଲେ। ଏପରିକି ଏହି କାର୍ଯ୍ୟର ଫାଇଲ ମଧ୍ୟ ବ୍ଲକରେ ମିଳି ନଥିଲା। ଏହାଛଡ଼ା ବିଦ୍ୟାଳୟର ପୁରୁଣା ଲୁହା ଗ୍ରୀଲ, ଆଜବେଷ୍ଟସ୍, ପଙ୍ଖା ଓ ବିଦ୍ୟାଳୟ ପରିସରରେ ଥୂବା ଗଛଗୁଡ଼ିକୁ ମଧ୍ୟ ବିକ୍ରି କରାଯାଇଥିଲା। ଏନେଇ କମିଟି ସଦସ୍ୟମାନେ ବାରମ୍ବାର ପ୍ରଧାନଶିକ୍ଷକଙ୍କୁ ହିସାବ ଦେବା ସକାଶେ ଚାପ ପ୍ରୟୋଗ କରିଆସୁଥିଲେ। କିନ୍ତୁ ପ୍ରଧାନଶିକ୍ଷକ ହିସାବ ଦେବା ପରିବର୍ତ୍ତେ ଦିନ ପରେ ଦିନ ଗଡ଼ାଇଚାଲିଥିଲେ। ଗତ ଡିସେମ୍ବରରେ କମିଟି ବୈଠକ ବସିଥିଲା ଓ ୨୦୨୪ ଜାନୁଆରୀ ୧୫ ସୁଦ୍ଧା ପ୍ରଧାନଶିକ୍ଷକ ହିସାବ ଦେବା ନେଇ ସର୍ବସମ୍ମତି କ୍ରମେ ନିଷ୍ପରି ହୋଇଥିଲା। କିନ୍ତୁ ପ୍ରଧାନଶିକ୍ଷକ ଉକ୍ତ ତାରିଖ ସୁଦ୍ଧା ହିସାବ ତ ଦେଇ ନଥିଲେ, ବରଂ କମିଟି ସଦସ୍ୟମାନେ ତାଙ୍କୁ ଗାଳିଗୁଲଜ କରୁଥିବା ନେଇ ନନ୍ଦିପଦା ଥାନାରେ ଏକ ଅଭିଯୋଗ କରିଥିଲେ। ଫଳରେ ଥାନାଧୂକାରୀ ସ୍କୁଲ କମିଟି ସଭାପତି ଓ ସଦସ୍ୟଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲେ। ଏଥିରେ ଜାନୁଆରୀ ଶେଷ ସୁଦ୍ଧା ହିସାବ ଦେବା ନେଇ ପ୍ରଧାନଶିକ୍ଷକ ଥାନାରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରଧାନଶିକ୍ଷକ ହିସାବ ଦେବା ପରିବର୍ଭେ ଛୁଟିରେ ରହିଥିଲେ। ଅଧୂକନ୍ତୁ ପ୍ରଧାନଶିକ୍ଷକ ମାର୍ଚ୍ଚ ୧୪ ତାରିଖରେ ଜନୈକ ତାଙ୍କ ଛୁଟି ପୁରିଯିବା ଦିନ ବିଦ୍ୟାଳୟ କୁ ନଯାଇ ବିଦ୍ୟାଳୟ ଗେଟ ସମ୍ମୁଖରେ ପହଞ୍ଚି ଭିଡିଓ ଓ ଫଟୋ ଉତ୍ତୋଳନ କରି ଫେରିଆସି ମୋତେ ବିଦ୍ୟାଳୟ କୁ ଛାଡିଲେନି ବୋଲି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସେହିଦିନ ଠାରୁ ପ୍ରଧାନ ଶିକ୍ଷକ ସ୍କୁଲ ନଯିବାରୁ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଗଲା। ଏପରିକି ସ୍କୁଲରେ ଶିକ୍ଷାଦାନରେ ବାଧା ଉପୁଜିଲା । ଅନ୍ୟପକ୍ଷରେ ପ୍ରଧାନ ଶିକ୍ଷକ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରି କମିଟିକୁ ଦୋଷାରୋପ କରି ପ୍ରଶାସନକୁ ବୁଝାଇ ନିଜ ମୁଣ୍ଡରୁ ଅଠା ଛଡ଼ାଇବାକୁ ଉଦ୍ୟମ କରିଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନକୁ ବାରମ୍ବାର କମିଟି ପକ୍ଷରୁ ଅବଗତ କରାଯାଉଥିଲେ ଥିଲେ ମଧ୍ୟ ପ୍ରଶାସନ ତଦନ୍ତ କରିବା ପରିବର୍ତ୍ତେ ପ୍ରଧାନଶିକ୍ଷକଙ୍କୁ ପରୋକ୍ଷରେ ସୁରକ୍ଷା ଦେଉଥିବା କମିଟି ସଦସ୍ୟ ମାନେ ଅଭିଯୋଗ କରିଛନ୍ତି। ଏପରିକି ଗତ କିଛିଦିନ ତଳେ ବ୍ଲକ ଶିକ୍ଷା ଅଧିକାରୀ ତଦନ୍ତ ପାଇଁ ଯାଇଥିବା ବେଳେ ସ୍କୁଲ କମିଟି ସଦସ୍ୟମାନେ ଜଣେ ପ୍ରଧାନ ଶିକ୍ଷକ ଙ୍କୁ ଦେଇ ସ୍କୁଲ ସ୍ଥିତିରେ ସୁଧାର ଆଣିବାକୁ ଦାବି କରିଥିଲେ। ମୁଖ୍ୟତଃ ସେହି ପ୍ରଧାନ ଶିକ୍ଷକ ଆସିବାକୁ ସେମାନେ ଦାବି କରୁଥିବା ବେଳେ ପ୍ରଧାନ ଶିକ୍ଷକ ତାଙ୍କର ଛୁଟି ମାସେ ପର୍ଯ୍ୟନ୍ତ ବଢାଇ ଦେଇଥିବାରୁ ସମାଧାନ ର କୌଣସି ବାଟ ବାହାରି ନପାରି ବାରୁ ବ୍ଲକ ଶିକ୍ଷାଅଧିକାରୀ ଫେରି ଆସିଥିଲେ। ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବା ସହିତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍କୁଲ୍ ଅଭିଯାନର ସଭାପତି ଦିଲୀପ କୁମାର ଘୋଷ, ପରିଚାଳନା କମିଟି ସଭାପତି ପ୍ରଦୀପ ସାହୁ, ସଦସ୍ୟ ଲୋକନାଥ ଜେନା, ସସ୍ମିତା ବାରିକ, ଅଭିମନ୍ୟୁ ଦାସ, ଲୋକନାଥ ନାୟକ, ସତ୍ୟବତ୍ର ପଣ୍ଡା, ପ୍ରଭାସ ପାଣିଗ୍ରାହୀ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ତ୍ରିପାଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସେମାନେ ମୋତେ ସ୍କୁଲ କୁ ଯିବାକୁ ବିରୋଧ କରୁଛନ୍ତି, ମୁ ଯିବି କିପରି ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଏନେଇ ବିଇଓ ଓଁଙ୍କାର ଅନ୍ୱେଷ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦେଶ ରେ ବୁଝାଶୁଝା କରି ମଧ୍ୟାହ୍ନ ଭୋଜନ ଚଳାଇବାକୁ ଚେଷ୍ଟା କରିଥିଲୁ କିନ୍ତୁ ସମ୍ଭବ ହେଲାନି, ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇ ଦେଇଛୁ ବୋଲି କହିଛନ୍ତି।


