ନବକଳେବର ରୋଡ୍ରେ ଟ୍ରାଫିକ ବିପର୍ଯ୍ୟସ୍ତ ୱାନ୍-ୱେ କରିବାକୁ ଦାବି
ପୁରୀ(ଯୁଗାଦ୍ଧ ନ୍ୟୁଜ୍) -ନବକଳେବର ରୋଡ ଏବେ ପାଲଟିଛି ମରଣଯନ୍ତା । ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯେଉଁବାଟେ ବସ୍ ଟ୍ରକ ଯାଉଛି ଠିକ ସେହିବାଟ ଦେଇ ଆସୁଥିବାରୁ ଏପରି ସମସ୍ୟା ଦେଖାଦେଇଛି । ୱାନ୍-ୱେ ବ୍ୟବସ୍ଥା କରାଯାଉ ନାହିଁ । ଯାହାର ଫଳ ସ୍ୱରୂପ ଏହିପରି ଅବସ୍ଥା ସୃଷ୍ଟି ହେଉଛି । ଏହି ରାସ୍ତା ଦେଇ ପ୍ରତିଦିନ କଟକ, ଭୁବନେଶ୍ୱର ସମେତ ପୁରୀ ଜିଲ୍ଲାର ବିଭିନ୍ନ ପୁରପଲ୍ଲୀକୁ ଶହ ଶହ ବସ ଯିବା ଆସିବା କରୁଛି । ଏହାସହ ଅନ୍ୟ ଗାଡିମୋଟର ମଧ୍ୟ ଯିବା ଆସିବା କରୁଛି । ହେଲେ ଏହି ରାସ୍ତାକୁ ୱାନ୍-ୱେ କରାଯାଉନାହିଁ । ଫଳରେ ଗାଡି ମୋଟର ଯିବା ଆସିବା ବେଳେ ଦୁର୍ଘଟଣା ଘଟୁଛି । ଏପରିକି ଲୋକେ ମୃତାହତ ମଧ୍ୟ ହେଉଛନ୍ତି । ହେଲେ ପୁଲିସ କି ପ୍ରଶାସନ କେହି ଚେତୁ ନାହାନ୍ତି । କ’ଣ ପାଇଁ ୱାନ୍-ୱେ ଟ୍ରାଫିକ ବ୍ୟବସ୍ଥା କରାଯାଉ ନାହିଁ ତାହା ବୁଝାପଡୁନାହିଁ । ମେଡିକାଲ ଛକ ଦେଇ ବସଗୁଡିକୁ ଛଡା ଗଲେ ଅସୁବିଧା ହେବନାହିଁ । କାରଣ ଏହି ରାସ୍ତା ନେଇ ବସ୍ ଆସିବ ଓ ମେଡିକାଲ ଛକ ଦେଇ ଯିବ । ଫଳରେ ଟ୍ରାଫିକ ସମସ୍ୟା ଅନେକାଂଶରେ ଲାଘବ ହୋଇପାରନ୍ତା । ହେଲେ ପ୍ରଶାସନ ତାହା କରୁନାହିଁ । ସେହି ପୁରୁଣା ନିୟମରେ ଚାଲିଛି । ପୂର୍ବରୁ ଗାଡି ମୋଟର ସଂଖ୍ୟା କମ୍ ଥିବାରୁ ଟ୍ରାଫିକ ସମସ୍ୟା ଏତେ ନ ଥିଲା । ହେଲେ ଗତ ୫ ବର୍ଷ ହେବ ଗାଡି ମୋଟର ସଂଖ୍ୟା ବହୁଗୁଣିତ ହୋଇଛି । ଯାହା ଫଳରେ ଏହିପରି ଗୁରୁତର ସମସ୍ୟା ସୃଷ୍ଟି ହୋଇଛି ।
୨୦୧୬ ରେ ଏକ ବସ୍ ଜଣେ ମହିଳାଙ୍କ ହାତ ଉପରେ ଚଢି ଯାଇଥିଲା । ଫଳରେ ମହିଳା ଜଣକ ସବୁଦିନ ପାଇଁ ହାତ ହରାଇଲେ । ଏହା ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଘରେ ଏକ ବସ୍ ପଶି ଯିବାରୁ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା । ତତ୍ ସହିତ ଅନେକ ଘଟଣା ମଧ୍ୟ ଘଟିବାରେ ଲାଗିଛି । ହେଲେ ପ୍ରଶାସନ ଚେତୁନି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଦାବି କରିଥିଲେ ୱାନ୍-ୱେ ଟ୍ରାଫିକ ବ୍ୟବସ୍ଥା କରିବାକୁ । କିଛି ଦିନ ପାଇଁ ପ୍ରଶାସନ ପକ୍ଷରୁ ୱାନ୍-ୱେ ବ୍ୟବସ୍ଥା କରାଗଲା । ହେଲେ କିଛି ଦିନ ପରେ ଯଥା ପୂର୍ବଂ ତଥା ପରଂ ଅବସ୍ଥାକୁ ଚାଲି ଆସିଲା । ତେଣୁ ଏବେ ସେହି ସମସ୍ୟା ଲାଗି ରହିଛି । ବିଶେଷ କରି ସ୍କୁଲକଲେଜ ଛାତ୍ରୀ, ବରିଷ୍ଠ ନାଗରିକ ହଇରାଣ ହରକତ ହେଉଛନ୍ତି । ବୁଦ୍ଧିଜୀବୀ ଦିଲ୍ଲୀପ କୁମାର ବରାଳ କୁହନ୍ତି ଜଣେ ମହିଳା ହାତ ହରାଇବା ପରେ ପ୍ରଶାସନ ଚେତି ଯିବା କଥା । ହେଲେ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁ ଲୋକେ ହଇରାଣ ହରକତ ହେଉଛନ୍ତି । ଏପରିକି ଲୋକେ ଅଙ୍ଗ ହରାଇବା ପରେ ମଧ୍ୟ ପ୍ରଶାସନ କିଛି ଶିଖୁ ନାହିଁ । ତେଣୁ ଏ ନେଇ ଜନ ଜାଗରଣର ଆବଶ୍ୟକତା ରହିଛି । ଲୋକେ ଜାଗ୍ରତ ହେଲେ ପ୍ରଶାସନ ବାଧ୍ୟ ହେବ ଏହି ରାସ୍ତାରେ ୱାନ୍-ୱେ ଟ୍ରାଫିକ ବ୍ୟବସ୍ଥା କରିବା ପାଇଁ । ସେହିପରି ସ୍କୁଲ ଓ କଲେଜ ପିଲାଙ୍କ ଜୀବନ ଅତ୍ୟନ୍ତ ମୂଲ୍ୟବାନ । ସେମାନେ ବିପଦରେ ଯିବା ଆସିବା କରୁଛନ୍ତି । କାରଣ ଦୁଇଟି ବସ ଏକ ସମୟରେ ଅତିକ୍ରମ କରିବା ବେଳେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି । ଯଦି କୌଣସି ସ୍କୁଲ କି କଲେଜ ପିଲା ଏହି ବାଟ ଦେଇ ଯାଉଥିବ ସାମାନ୍ୟ ଅନ୍ୟ ମନସ୍କ ହେଲେ ଦୁଇ ବସ ମଧ୍ୟରେ ଚାପି ହୋଇ ମୃତାହତ ହେବାର ଅଧିକ ସମ୍ଭାବନା ରହିଛି । ସେହିପରି ପଥଚାରୀ ଓ ବରିଷ୍ଠ ନାଗରିକମାନେ ମଧ୍ୟ ଅନୁରୂପ ଅବସ୍ଥା ଭୋଗିବେ । ତେଣୁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଏଠାରେ ୱାନ୍-ୱେ ଟ୍ରାଫିକ ବ୍ୟବସ୍ଥା କରାଯାଉ ବୋଲି ସେ ଦାବି କରିଛନ୍ତି । ଆଇନଜୀବୀ ପ୍ରସନ୍ନ କୁମାର ଦାସ କୁହନ୍ତି ଏହି ରାସ୍ତାରେ ବସକୁ ଛଡାଯାଉ ଅବା ଆସିବା ପାଇଁ ଅନୁମତି ଦିଆଯାଉ । ଯାହା ହେଲେ ଗୋଟିଏ କାର୍ଯ୍ୟ ହେଉ । କିନ୍ତୁ ଦୁଇଟି କାର୍ଯ୍ୟ ହେବା ଫଳରେ ଭୟାନକ ପରିସ୍ଥିତି ସୃଷ୍ଟି ହେଉଛି । ଯାହାକୁ ସମ୍ଭାଳିବା କଷ୍ଟକର ବ୍ୟାପାର ହୋଇ ପଡୁଛି । ପ୍ରଶାସନ ଯଦି ଏବେଠାରୁ ସତର୍କତା ପଦକ୍ଷେପ ଅବଲମ୍ବନ ନ କରିବ ତାହା ହେଲେ ଆଗାମୀ ଦିନରେ ନେଢିଗୁଡ କହୁଣିକୁ ବୋହିଯିବ ।