ନବଦାସ ହତ୍ୟାକାଣ୍ଡ ମାମଲାରେ ନୂଆ ଟ୍ଵିଷ୍ଟ, ହସ୍ପିଟାଲ କାହିଁକି ପୋଡିଦେଲା ରକ୍ତଭିଜା ସାର୍ଟ ଉଠିଲା ପ୍ରଶ୍ନ?

ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ବର୍ତ୍ତମାନ ଓଡିଶା ରାଜନୀତିରେ ପୁଣି ଥରେ ନବ ଦାସ ହତ୍ୟାକାଣ୍ଡର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦୁଇ ବର୍ଷ ତଳେ ଠିକ ଏହି ଜାନୁୟାରୀରେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କର ହତ୍ୟାକୁ ନେଇ ପ୍ରଥମ ଦିନରୁ ବିଜେପି ସନ୍ଦେହ କରିଆସୁଛି। ଏହି ହତ୍ୟାକାଣ୍ଡରେ ଗୋପାଳ ଦାସ ନୁହଁ ଅନ୍ୟ ବଡ ବଡ ମୁଣ୍ଡ ରହିଛି ବୋଲି କହି ଆସୁଛି। ବିଜେଡି ସରକାର ଏହାର ତଦନ୍ତକୁ ଠିକରେ କରୁ ନାହାଁନ୍ତି ବୋଲି ଅଭିଯୋଗ କରି ସିବିଆଇ ତଦନ୍ତ ଦାବୀ କରିଥିଲେ।ତେବେ ପୁଣିଥରେ ଚର୍ଚ୍ଚାର ଘେରକୁ ଆସିଛି ନବ ଦାସ ହତ୍ୟା ମାମଲା। ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ନବ ଦାସଙ୍କ ରକ୍ତଲଗା ସାର୍ଟକୁ ନେଇ ଆସିଲା ନୂତନ ତଥ୍ୟ। କୁହାଯାଉଛି ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବଦଳାଇ ଦିଆଯାଇଛି। ଗୋଟେ ପଟେ ନବ ଦାସଙ୍କ ରକ୍ତଲଗା ସାର୍ଟର ପତ୍ତା ମିଳୁନଥିବା ବେଳେ ଅନ୍ୟପଟେ ଘଟଣାର ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି ବଦଳିଯାଇଛି। ତେବେ ଏସବୁକୁ ନେଇ କ୍ରାଇମ୍‌ବ୍ରାଞ୍ଚର ଖାମଖିଆଲି ନା ଅଭିଯୁକ୍ତ ଗୋପାଳ ଦାସକୁ ଖସାଇବା ପାଇଁ ସୁଚିନ୍ତିତ ଯୋଜନା, ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।କ୍ରାଇମ୍‌ବ୍ରାଞ୍ଚ କାହିଁକି ସ୍ବର୍ଗତ ଦାସଙ୍କ ଗୁଳିବିଦ୍ଧ ସାର୍ଟ ଓ ରକ୍ତଲଗା ତଉଲିଆକୁ ଜବତ କଲାନାହିଁ, ସେ ନେଇ ପ୍ରଶ୍ନ ଉଠିଛି। ତଦନ୍ତ ବାଟବଣା କରିବାକୁ ସାର୍ଟ ରଙ୍ଗ ବଦଳାଇ ଥିବା ସନ୍ଦେହ କରାଯାଉଛି। ସାକ୍ଷ୍ୟ ରଖିଥିବା ବ୍ୟକ୍ତି ରିପୋର୍ଟରେ କିଛି ଅଲଗା ଲେଖା ଦେଇଛନ୍ତି। ଲିଖିତ ରିପୋର୍ଟରେ ଧଳା ରଂଗ ସାର୍ଟ ଦାଖଲ କରିଥିବା କହିଛନ୍ତି। କିନ୍ତୁ ନବ ଦାସଙ୍କୁ ହତ୍ୟା ଦିନ ସେ ହଳଦିଆ ରଂଗର ସାର୍ଟ ପିନ୍ଧିଥିଲେ। ହଳଦିଆ ରଂଗ ସାର୍ଟରେ ରକ୍ତ ଲାଗିଥିବା ବେଳେ ଧଳା ରଂଗ ସାର୍ଟ କାହିଁକି ଦେଲେ? ଦୋରା ସାର୍‌ ସାକ୍ଷୀଙ୍କ ଉପସ୍ଥିତିରେ ଜବତ ହୋଇଥିବା ଲେଖା ଅଛି।ଅନ୍ୟପଟେ ଭୁବନେଶ୍ବରର ଏକ ହସ୍ପିଟାଲରେ ନବଙ୍କ ସାର୍ଟ ପୋଡ଼ି ଦିଆଯାଇଥିବା ସୂଚନା ମିଳିଛି। କୋଭିଡ୍‌ ପ୍ରୋଟୋକଲ୍‌ ଅନୁସାରେ ସାର୍ଟ ଓ ପ୍ୟାଣ୍ଟ ପୋଡ଼ି ଦିଆଯାଇଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ନବଙ୍କ ସାର୍ଟ ପୋଡ଼ି ଦିଆଯାଇଥିବା ସୂଚନା ମିଳିଛି। ସାର୍ଟ ପୋଡ଼ିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କୋର୍ଟରେ ଦାଖଲ କରାଯାଇଛି। କାହା ଅନୁମତିରେ ହସ୍ପିଟାଲ କର୍ତ୍ତୃପକ୍ଷ ସାର୍ଟ ପୋଡ଼ିଲେ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ତଦନ୍ତରେ ସଂଘାତିକ ତ୍ରୁଟି। କ୍ରାଇମବ୍ରାଞ୍ଚ ତଦନ୍ତରେ ବଦଳିଯାଇଛି ସାକ୍ଷୀର ସାକ୍ଷ। ଧଳା ହୋଇଯାଇଛି ସାକ୍ଷୀଙ୍କ ହଳଦିଆ ସାର୍ଟ। ସୂଚନା ଅନୁଯାୟୀ ନବ ଦାସଙ୍କୁ ଗୁଳିମାଡ଼ ହେବା ସମୟରେ ବିଜେଡି କର୍ମୀ ଶୁଭେନ୍ଦୁ ପଟ୍ଟନାୟକ ଉପସ୍ଥିତ ଥିଲେ। ଶୁଭେନ୍ଦୁ ପଟ୍ଟନାୟକ, ସିଦ୍ଧାର୍ଥନ‌ାଥ ଶର୍ମା ଓ ଦ୍ବାରିକାନାଥ ପଣ୍ଡା ତୁରନ୍ତ ନବ ଦାସଙ୍କୁ ନେଇ ପଛସିଟ୍‌ରେ ଶୁଆଇ ଦେଇଥିଲେ। ଏହି ସମୟରେ ଶୁଭେନ୍ଦୁ ପଟ୍ଟନାୟକ ପିନ୍ଧିଥିବା ସାର୍ଟରେ ମଧ୍ୟ ରକ୍ତ ଲାଗିଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସାକ୍ଷୀଙ୍କର ସିଆର୍‌ପିସି ଧାରା ୧୬୧ ଅନୁସାରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଯେଉଁଥିରେ ଶୁଭେନ୍ଦୁ ପଟ୍ଟନାୟକ ତାଙ୍କ ରକ୍ତଲଗା ଧଳାରଙ୍ଗର ସାର୍ଟକୁ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଦାଖଲ କରିଥିବା ବେଳେ ତଦନ୍ତକାରୀ ଅଧିକାରୀ ରମେଶଚନ୍ଦ୍ର ଦୋରା ସାକ୍ଷୀଙ୍କ ଉପସ୍ଥିତିରେ ତାହାକୁ ଜବତ କରିଥିଲେ। ଜବତ ତାଲିକା କ୍ରାଇମ୍‌ବ୍ରାଞ୍ଚ ଦ୍ବାରା ପଢ଼ି ଶୁଣାଯିବା ପରେ ଶୁଭେନ୍ଦୁ ପଟ୍ଟନାୟକ ଓ ସାକ୍ଷୀମାନେ ଦସ୍ତଖତ କରିଥିଲେ।ସେହି ଦିନ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ‘ପ୍ରପର୍ଟି ସିଜର୍‌ ମେମୋ’ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ଶୁଭେନ୍ଦୁ ପଟ୍ଟନାୟକଙ୍କ ରକ୍ତଲଗା ହଳଦିଆ ରଙ୍ଗର ହାଫ୍‌ସାର୍ଟ ଜବତ କରାଯାଇଥିବା ବେଳେ ରାସାୟନିକ ପରୀକ୍ଷା ପାଇଁ ପଠାଯିବ ବୋଲି ଉଲ୍ଲେଖ କରାଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ହୋଇଥିବା ଭିଡିଓଗୁଡ଼ିକରେ ମଧ୍ୟ ଶୁଭେନ୍ଦୁ ପଟ୍ଟନାୟକ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିବା ତଥା ସେଥିରେ ରକ୍ତ ଲାଗିଥିବାର ଚିତ୍ର ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ କ୍ରା‌ଇମ୍‌ବ୍ରାଞ୍ଚ ସିଆର୍‌ପିସି ୧୬୧ ବୟାନ୍‌ ରେକର୍ଡ ସମୟରେ କାହିଁକି ସାର୍ଟର ରଙ୍ଗ ବଦଳାଇଦେଇଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏ ସମ୍ପର୍କରେ ଅଭିଯୁକ୍ତ ଗୋପାଳ ଦାସର ଓକିଲ ନରେଶ ନାୟକ କହିଛନ୍ତି, ଶୁଭେନ୍ଦୁ ପଟ୍ଟନାୟକଙ୍କର ସାକ୍ଷ୍ୟ ଶେଷ ହୋଇସାରିଛି। ସିଆର୍‌ପିସି ୧୬୧ରେ ରେକର୍ଡଭୁକ୍ତ ତଥ୍ୟ ଅନୁସାରେ ସେ ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ନେଇ କୋର୍ଟ ସମ୍ମୁଖରେ କହିଥିଲେ ଓ ଅଦାଲତ ସମ୍ମୁଖରେ ସେ ମିଛ କହିଛନ୍ତି ବୋଲି ତାଙ୍କୁ ପରାମର୍ଶ ଦିଆଯାଇଥିବା କହିଛନ୍ତି। ସେପଟେ, ସାକ୍ଷ୍ୟଗୁଡ଼ିକର ଶୁଣାଣି ବେଳେ ଶୁଭେନ୍ଦୁ ପଟ୍ଟନାୟକଙ୍କ ତଥ୍ୟରେ ତ୍ରୁଟି ଥିବାରୁ ମିଥ୍ୟା ସାକ୍ଷ୍ୟ ହିସାବରେ ତାଙ୍କର ସାକ୍ଷ୍ୟ ବାତିଲ୍‌ ହୋଇପାରେ ବୋଲି ନରେଶ ନାୟକ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ