ନବଦିନାତ୍ମକ ଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ

ସନ୍ତୋଷ କୁମାର ଦାଶ

ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରାକୁ ନବ ଦିନାତ୍ମକଯାତ୍ରା ବୋଲି ମଧ୍ଯ କୁହାଯାଇଥାଏ। ଏହି ନବଦିନାତ୍ମକ ଯାତ୍ରାର ଶେଷ ପର୍ବ ହେଉଛି ନୀଳାଦ୍ରି ବିଜେ। ଅର୍ଥାତ ପବିତ୍ର ସ୍ନାନ ପୂର୍ଣ୍ଣିମା ଦିନ ଠାରୁ ଶ୍ରୀ ମନ୍ଦିରର ରତ୍ନ ସିଂହାସନ ଛାଡ଼ି ଯାଇଥିବା ଚତୁର୍ଦ୍ଧା ବିଗ୍ରହ ଏହି ଦିନ ପୁଣି ଥରେ ଶ୍ରୀ ମନ୍ଦିରର ରତ୍ନ ସିଂହାସନ କୁ ଫେରିଥାନ୍ତି। ଶେଷ ହୋଇ ଥାଏ ମହାପ୍ରଭୁଙ୍କ ଜନ୍ମ ବେଦୀ ଆଉ ମାଉସୀ ମା ଘର ବୁଲା। ଏହି ପର୍ବକୁ ନୀଳାଦ୍ରିବିଜୟ ମଧ୍ଯ କୁହାଯାଇଥାଏ। ରଥ ଉପରେ ସଂଧ୍ୟା ଧୂପ ନୀତି ପରେ ବନ୍ଦାପନା ଓ ଡୋରି ଲାଗି ଅନୁଷ୍ଠିତ ହୋଇଥାଏ। ବିଜେ କାହାଳୀ ବାଜିବା ପରେ ଆରମ୍ଭ ହୋଇଥାଏ ଶ୍ରୀ ବିଗ୍ରହ ମାନଙ୍କ ଗୋଟି ପହଣ୍ଡି। ତା ପୂର୍ବରୁ ରଥ ରେ ବିରାଜିତ ମଦନ ମୋହନ ଓ ରାମକୃଷ୍ଣ ବିଗ୍ରହ କୁ ଦକ୍ଷିଣୀ ଘରକୁ ବିଜେ କରା ଯାଇଥାଏ। ଏହି ପର୍ବ ର ଏକ ବିଶେଷ ଆକର୍ଷଣ ହେଉଛି ମହାପ୍ରଭୁ ଙ୍କୁ ରସଗୋଲା ଭୋଗ ଲାଗି ଆଉ ମା ଲକ୍ଷ୍ମୀ ଙ୍କ ସହିତ ବଚନିକା ଓ ଭେଟ ଉତ୍ସବ।ଏହି ସମୟରେ ଭକ୍ତ ମାନଙ୍କ ହରିବୋଲ,ହୁଳହୁଳି, ଘଣ୍ଟ,ଘଣ୍ଟି ନାଦ ରେ ଶ୍ରୀ ମନ୍ଦିରର ସିଂହଦ୍ଵାର ପ୍ରକମ୍ପିତ ହୋଇଉଠେ।ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପହଣ୍ଡି ରେ ଯାଇ ସିଂହଦ୍ବାର ପହଞ୍ଚିବା ପରେ ସାମୟିକ ଭାବେ ବନ୍ଦ ଥିବା ସିଂହଦ୍ଵାର ଖୋଲିଥାଏ କିନ୍ତୁ ଠାକୁର ଜୟ ବିଜୟ ଦ୍ବାର ନିକଟରେ ପହଞ୍ଚିବା ପରେ ଆଉ ଥରେ ସିଂହଦ୍ବାର ଭିତର ପଟୁ ବନ୍ଦ କରିଦିଆଯାଏ । ଏଠାରେ ଶ୍ରୀ ଜଗନ୍ନାଥ ଓ ମା ଲକ୍ଷ୍ମୀ ଙ୍କ ମଧ୍ୟରେ କଳି ଲାଗିଥାଏ । ମହାପ୍ରଭୁ ବଡ଼ ଭାଇ ଓ ଭଉଣୀ ଙ୍କୁ ନେଇ ନବ ଦିନାତ୍ମକ ଯାତ୍ରା କରିଥିଲେ କିନ୍ତୁ ମା ଲକ୍ଷ୍ମୀ ଙ୍କୁ ସାଙ୍ଗରେ ନେଇ ନଥିଲେ।
ସେଥିପାଇଁ ମା ଲକ୍ଷ୍ମୀ ରାଗରେ ଏଣୁ ତେଣୁ ଗାଳି କରିଥାନ୍ତି। ଉଭୟ ଶ୍ରୀ ଜଗନ୍ନାଥ ଓ ମା ଲକ୍ଷ୍ମୀ ଙ୍କ ସେବକ ମାନେ ଠାକୁର ଓ ଠାକୁରାଣୀ ଙ୍କ ପ୍ରତିନିଧି ସାଜି ପରସ୍ପର ମଧ୍ୟରେ ବଚନିକା କରିଥାନ୍ତି। ଯାହା ଶୁଣିବାକୁ ବେଶ ଆମୋଦିତ ଲାଗେ। ଠିକ୍ ଓଡ଼ିଆ ପରିବାର ରେ ସ୍ୱାମୀ ଆଉ ସ୍ତ୍ରୀ ଙ୍କ ମଧ୍ୟରେ କଳି ଝଗଡ଼ା ଲାଗିବା ପରି ପ୍ରତୀୟମାନ ହୋଇଥାଏ। ଶେଷରେ ସାଙ୍ଗରେ ଆଣିଥିବା ରସଗୋଲା କୁ ମହାପ୍ରଭୁ ମା ଲକ୍ଷ୍ମୀ ଙ୍କୁ ଖୁଆଇ ତାଙ୍କ ମାନ ଭଞ୍ଜନ କରିଥାନ୍ତି। ଏହା ପରେ ଜୟ ବିଜୟ ଦ୍ବାର ଖୋଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀ ମନ୍ଦିର କୁ ପ୍ରବେଶ କରି ରତ୍ନ ସିଂହାସନ ଉପରେ ବିରାଜ ମାନ କରିଥାନ୍ତି। ଶେଷ ହୋଇଥାଏ ପ୍ରସିଦ୍ଧ ରଥଯାତ୍ରା ଉତ୍ସବ ବା ମହାପ୍ରଭୁ ଙ୍କ ନବ ଦିନାତ୍ମକ ଯାତ୍ରା। ବର୍ଷ କୁ ଗୋଟିଏ ଦିନ ନୀଳାଦ୍ରି ବିଜେ ଉତ୍ସବ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ରସଗୋଲା ଭୋଗ ଲାଗି କରାଯାଇ ଥାଏ । ଜୟ ଜଗନ୍ନାଥ ସ୍ଵାମୀ।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ