ନବନିଯୁକ୍ତ ସାଧାରଣ ସଂପାଦକଙ୍କୁ ସମ୍ବର୍ଦ୍ଧନା
ଚାରିଛକ (ଜୁଗାବ୍ଦ ନ୍ୟୁଜ୍):ନିମାପଡାସ୍ଥିତ ଗ୍ରୀନଲ୍ୟାଣ୍ଡ କଲ୍ୟାଣ ମଣ୍ଡପଠାରେ ବିଜେଡିର ନବନିଯୁକ୍ତ ସାଧାରଣ ସଂପାଦକଙ୍କୁ ଶନିବାର ନିମାପଡା ବିଜେଡି ପକ୍ଷରୁ ଭବ୍ୟସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଜେଡି ବ୍ଳକ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର(ରମୁ)ଙ୍କୁ ଦଳ ତରଫରୁ ଫୁଲତୋଡା ଓ ଉତ୍ତରୀୟ ଦିଆଯାଇ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ପାତ୍ର ବିଜେଡିରେ ସାମିଲ ହେବାପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳର ସଂପାଦକ ଭାବେ ନିଯୁକ୍ତ କରିଥିଲେ । ନିଷ୍ଠାର ସହ ବିଜେଡି ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିବା ଆୟୋଜିତ ସଭାରେ ଶ୍ରୀ ପାତ୍ର ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ବିଜେଡି ସଂପାଦକ ସ୍ମୃତିରଞ୍ଜନ ନନ୍ଦ, ବିଧାୟକ ସମୀର ରଞ୍ଜନ ଦାଶ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, କାର୍ଯ୍ୟକାରୀ ସଭାପତି ଅଶୋକ ସାହୁ, ପୂର୍ବତନ ବ୍ଳକ୍ ଉପାଧ୍ୟକ୍ଷ ସୁଧିର ରଞ୍ଜନ ଦାଶ, ନଗର ବିଜେଡି ସଭାପତି ଜୀବନାନନ୍ଦ ମହାପାତ୍ର, ସଂପାଦକ ସନ୍ତୋଷ କୁମାର ଓଝାଙ୍କ ସମେତ ପ୍ରତି ପଞ୍ଚାୟତରୁ ଆସିଥିବା ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।