ନବନିର୍ମାଣ କୃଷକ ସଂଗଠନ : କାଳିଆ ଅର୍ଥ ୬୦ ଭାଗ କାଟିଲ କାହିଁକି ?
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟରେ ଗ୍ରାମୀଣ ବିକାଶରେ କୃଷି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ କୃଷି କେବଳ ଖାଦ୍ୟ ଉତ୍ପାଦନର ମାଧ୍ୟମ ହୋଇ ରହିନାହିଁ, ଦକ୍ଷ ଏବଂ ଲାଭଦାୟକ ନିଯୁକ୍ତିର ଉତ୍ସ ପାଲଟିଛି । ରାଜ୍ୟର ସାମାଜିକ ଓ ଆଥିକ ବିକାଶରେ କୃଷିର ଅବଦାନ ଯଥେଷ୍ଟ ଅଧିକ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତବର୍ଷ କୃଷି ବଜେଟର ପରିମାଣ ବୃଦ୍ଧି କରିଛନ୍ତି । କିନ୍ତୁ ଏହି ପରିମାଣ ବୃଦ୍ଧି ମଧ୍ୟରେ ଜଳସେଚନ ବଜେଟକୁ ମିଶାଇ କେବଳ ଚାଷ ପାଇଁ ଅଧିକ ଅର୍ଥ ଦିଆଯାଇଛି ବୋଲି ସରକାର ମିଛ ପ୍ରଚାର କରୁଛନ୍ତି । କୃଷି କ୍ଷେତ୍ର ଲାଭଦାୟକ ନିଯୁକ୍ତିର ଉତ୍ସ ପାଲଟିଛି ବୋଲି ନା ମୁଖ୍ୟମନ୍ତ୍ରୀ ନା କୃଷିମନ୍ତ୍ରୀ କେହି ଛାତିରେ ହାତ ଦେଇ କହିପାରିବେ କି? ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଧାନ ଉପରେ ଶହ ଶହ କୋଟି ଟଙ୍କାର ବୋନସ ଦେଇ ଆସୁଥିଲା ବେଳେ ଆମ ସରକାର ମୁଖ୍ୟ ଫସଲ ଧାନ ଉପରେ ୧୦୦ ଟଙ୍କା ମଧ୍ୟ ବୋନସ ଦେବାକୁ ଇଚ୍ଛାପ୍ରକାଶ କରିନାହାଁନ୍ତି । ୨୦୧୩-୧୪ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କୃଷି ବଜେଟ କରିଥିଲା ବେଳେ ଏହି ବଜେଟ କୃଷି ଅଭିବୃଦ୍ଧି ଓ କୃଷକଙ୍କ ଆୟ ବଢାଇବାରେ କେତେ ସହାୟକ ହୋଇଛି ବୋଲି ଶାସକ ଦଳ କହିପାରିବେ କି? ଗାଁ ଗଣ୍ଡାରେ ବିନା କାରଣରେ ରାସ୍ତାଘାଟ, ପୋଲରେ ଅନାବଶ୍ୟକ ଭାବେ ବହୁଗୁଣ ଅର୍ଥ କରାଯାଉଥିବା ବେଳେ ଓଟିମ୍, ସାରଳା ସୂତାକଳ, ନୟାଗଡ଼ ଚିନିକଳ, ବଲାଙ୍ଗୀର, ଢେଙ୍କାନାଳ ଓ ନୂଆପଡ଼ାର ଗୋଟିଏ ବି ରୁଗ୍ଣ କୃଷିଭିତ୍ତି ଶିଳ୍ପର ପୁନରୁଦ୍ଧାର କରିବା ପାଇଁ ଉଦ୍ୟମ କରାଯାଉ ନାହିଁ । ଡ଼ାଲି, ତେଲ, ଆଳୁ, ଅଣ୍ଡା, ପିଆଜ, ସୂତା, ଛତା, କାଗଜ ଠୁଙ୍ଗା ଯାଏ ଓଡ଼ିଶା ଅନ୍ୟ ରାଜ୍ୟ ଓ ଦେଶ ଉପରେ ନିର୍ଭରଶୀଳ । ମିଲେଟ ମିଶନ ଅର୍ଥ ଏନ୍ଜିଓ ମାନଙ୍କ ପକେଟରେ ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି । ବାଙ୍କି ଓ ରସଲପୁର ଭଳି ପରିବା ଉତ୍ପାଦନର ପେଣ୍ଠସ୍ଥଳୀରେ ଗୋଟିଏ ବି ଶୀତଳ ଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ହେଉନାହିଁ । କେବଳ ପ୍ରଚାରରେ କୃଷି ବଜେଟ କୃଷକଙ୍କ ଆୟ ବୃଦ୍ଧି କରିବ ବୋଲି ହାୱା ମରାଯାଉଛି । ସରକାର ଯଦି ଏତେ କୃଷକପ୍ରେମୀ ତେବେ କାଳିଆ ବଜେଟକୁ ୧୦ ହଜାରରୁ ୬ ହଜାର ଟଙ୍କାକୁ କାହିଁକି ସଙ୍କୁଚିତ କଲେ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରଶ୍ନ ଉଠାଇଛନ୍ତି । ଶ୍ରୀ ନନ୍ଦ କହିଛନ୍ତି ଯେ, ମଣ୍ଡି, ଶୀତଳ ଭଣ୍ଡାର, ଜଳସେଚନ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କେଉଁଥି ପାଇଁ ସରକାରଙ୍କ ଆଗ୍ରହ ନାହିଁ । ଚାଷୀ ଆତ୍ମହତ୍ୟାର ସ୍ଥାୟୀ ସମାଧାନ, ଚାଷୀ ପେନସନ ପାଇଁ ବର୍ଷ ବର୍ଷ ଧରି ଲଢେଇ ଚାଲିଥିଲେ ବି ଏ ନେଇ ସରକାର ବଜେଟରେ ବ୍ୟବସ୍ଥା କରିନାହାଁନ୍ତି । ନାଁ ଚାଷୀଙ୍କର ଗାଁ ସରକାରୀ କର୍ମଚାରୀ ଓ କର୍ପୋରେଟଙ୍କର ବୋଲି ଶ୍ରୀ ନନ୍ଦ ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ପ୍ରଚାରଭିତ୍ତିକ ବଜେଟ ଚାଷୀଙ୍କୁ ଗରୀବ ଓ ଦାଦନରେ ପରିଣତ କରିଛନ୍ତି । ଗୋଟିଏ ଶୁଖିଲା ନଈ ସରକାର ଖୋଳି ସେଥିରେ ମଧୁର ମାଛ ଚାଷ କରିବା ପାଇଁ ଉଦ୍ୟମ କରିନାହାଁନ୍ତି । ସେହିଭଳି କୁକୁଡ଼ା ଚାଷୀମାନେ କମ୍ପାନୀ ଦ୍ୱାରା ଶୋଷିତ ହୋଇ ଚାଷରୁ ମୁହଁ ଫେରାଉଥିଲା ବେଳେ ସେମାନଙ୍କ ପାଇଁ କିଛି ପ୍ରୋତ୍ସାହନ ନାହିଁ । ଦୁଗ୍ଧ ଚାଷୀଙ୍କ ଲିଟର ପିଛା ୫ ଟଙ୍କା ବୃଦ୍ଧି ପାଇଁ ମଧ୍ୟ ଚିନ୍ତା କରାଯାଉନାହିଁ । ତେଣୁ କୃଷି ବଜେଟ ଚାଷୀଙ୍କ ଆୟ ବଢାଇବା ପ୍ରଚାର ତୁଚ୍ଛା ଡ଼ାହା ମିଛ ବୋଲି ଶ୍ରୀ ନନ୍ଦ ଅଭିଯୋଗ କରିଛନ୍ତି ।


