ତ୍ରୟୋମ୍ବକମ ମହାଦେବ ମନ୍ଦିର ପ୍ରତିଷ୍ଠା
ବାଲେଶ୍ୱର, (ସରୋଜ ପଣ୍ଡା) :ସଦର ବ୍ଲକ ଅନ୍ତର୍ଗତ ଓଲନ୍ଦାସାରଗାଁ ପଞ୍ଚ।ୟତର ତେନ୍ତୁଳିମୁଣ୍ଡି ଗ୍ରାମରେ ନବ ନିର୍ମିତ ତ୍ରୟୋମ୍ବକେଶ୍ୱର ମହାଦେବ ମନ୍ଦିରର ୩ଦିନିଆ ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି । ଗତ ୨୨ ତାରିଖରରେ ଅଙ୍କୁରାରୋପଣ ଓ ଅଧିବାସ ସାଙ୍ଗକୁ ୨୩ ତାରିଖରେ କଳସ ଶୋଭାଯାତ୍ରା ସହ ଘଟସ୍ଥାପନ କରାଯାଇଥିଲା । ଏହି ଅବସରରେ ମହାଯଜ୍ଞ ଆରମ୍ଭ ହୋଇଥିଲା । ସ୍ୱତନ୍ତ୍ର ନୀତିରେ ପୂଜା ଓ ମହାଦେବଙ୍କ ମହାଲିଙ୍ଗ ପ୍ରତିଷ୍ଠା ସହ ୨୪ ତାରିଖରେ ମହାଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା । ୩ ଦିନ ଧରି ଭଜନ କୀର୍ତ୍ତନ ସହ ସଂଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେନ୍ତୁଳିମୁଣ୍ଡି ଗ୍ରାମ ସମେତ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ବାବା ତ୍ରୟୋମ୍ବକେଶ୍ୱର ମହାଦେବଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ଉଦଯାପନ ଦିବସରେ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଉତ୍କଳ ସମାଜର ମୁଖ୍ୟ ଡ. ଭାସ୍କର ଚନ୍ଦ୍ର ଜେନା ଓ ସ୍ଥାନୀୟ ସରପଞ୍ଚ ଜଳଧର ବିଶ୍ୱାଳ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ମହାଦେବଙ୍କ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ରାଜୀବ ମଲିକ, ଉମାକାନ୍ତ ସ୍ୱାଇଁ, ରମାକାନ୍ତ ଜେନା, ନାରାୟଣ ଜେନା, ପୁରୁଷୋତ୍ତମ ଜେନା ଓ ମୁନା କର ପ୍ରମୁଖ ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିଚାଳନା କରିଥିଲେ । ୨୦୦୭ ମସିହାରୁ ଏହି ଅଞ୍ଚଳରେ ଲଗାତର ୨ଗୋଟି ଷଣ୍ଢଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ନେଇ ଗ୍ରାମବାସୀମାନେ ଆତଙ୍କିତ ହୋଇ ପଡ଼ିଥିଲେ । ବୟୋଜ୍ୟେଷ୍ଟ ତଥା ଧର୍ମପରାୟଣ ବ୍ୟକ୍ତିଙ୍କ ପରାମର୍ଶ କ୍ରମେ ସେଠାରେ ଏକ ମହାଦେବ ମନ୍ଦିର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଗ୍ରାମର ବଦାନ୍ୟ ବ୍ୟକ୍ତି ଅନାଦି ଚରଣ ମଲିକ ଓ ରାମଚନ୍ଦ୍ର ଜେନା ମନ୍ଦିର ପାଇଁ ଜମିଦାନ କରିବା ପରେ ଗ୍ରାମବାସୀଙ୍କ ସହଯୋଗରେ ୯ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚରେ ମହାଦେବ ମନ୍ଦିର ନିର୍ମାଣ କରାଯାଇଥିବା ମନ୍ଦିର କମିଟି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।