ନବପ୍ରସ୍ତର ଯୁଗର ମଣିଷର ବାସସ୍ଥାନ ‘ପାଫୋସ୍’
ସାଇପ୍ରସ ଅନ୍ତର୍ଗତ ପୁରାତନ ପାଫୋସ୍ ନବପ୍ରସ୍ତର ଯୁଗରୁ ମଣିଷର ବାସସ୍ଥାନ ହୋଇରହିଛି । ଗ୍ରିକ୍ କିଂବଦନ୍ତି ଅନୁଯାୟୀ ଏହା ପ୍ରେମ, ସୌନ୍ଦର୍ଯ୍ୟ ଓ ଉର୍ବରତାର ଦେବୀ ଆଫ୍ରୋଡାଇଟିଙ୍କ ଜନ୍ମସ୍ଥାନ । ଦେବୀ ନିକଟସ୍ଥ ସମୁଦ୍ରରୁ ଆବର୍ଭୂତ ହୋଇଥିଲେ । ଗ୍ରୀକ୍ମାନଙ୍କର ଆଗମନର ବହୁ ପୂର୍ବରୁ ଏଠାରେ ଆଫ୍ରୋଡାଇଟି ପୂଜା ପାଉଥିଲେ । ମାଇସିନିଆନ୍ମାନେ ଖ୍ରୀଷ୍ଟ ପୂର୍ବ ଦ୍ୱାଦଶ ଶତାବ୍ଦୀରେ ଏଠାରେ ଦେବୀଙ୍କ ନିମନ୍ତେ ସୁବିଶାଳ ମନ୍ଦିର ତୋଳାଇଥିଲେ । ମନ୍ଦିର ଆଖପାଖରେ ରଙ୍ଗମଞ୍ଚ, ଦୁର୍ଗ, ପ୍ରାସାଦ ଆଦି ଗଢ଼ିଉଠିଥିଲା । ରୋମାନ୍ମାନଙ୍କର ଆଗମନ ପର୍ଯ୍ୟନ୍ତ ସେଗୁଡ଼ିକ ଅକ୍ଷୁର୍ଣ୍ଣ ଥିଲା । କାଳକ୍ରମେ ଧ୍ୱଂସ ପାଇଯାଇଥିଲା । ଏବେ କେବଳ ଧ୍ୱଂସାବଶେଷ ହିଁ ଦୃଷ୍ଟିରେ ପଡ଼େ । ହୋମର୍ଙ୍ର୍କ “ଇଲିଆଡ୍’ ଏବଂ “ଓଡେସି’ରେ ପାଫୋସ୍ ତଥା ଆଫ୍ରୋଡାଇଟି ପୂଜନର ବର୍ଣ୍ଣନା ମିଳେ । ପୁରାତନ ପାଫୋସ୍ଠାରୁ କିଛି ଦୂରରେ ନୂଆ ପାଫୋସ୍ର ଧ୍ୱଂସାବଶେଷ ଦେଖିବାକୁ ମିଳେ । ଟ୍ରୟ ଯୁଦ୍ଧ ସମୟରେ ଆର୍କାଡିଆନ୍ ମୁଖ୍ୟ ଆଗପେନର୍ ଏହି ନଗରୀ ବସାଇଥିଲେ । ୧୯୮୦ରେ ଉଭୟ ପାଫୋସ୍ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରାପ୍ତ ।


