ନବବଧୂ ଙ୍କୁ ଯୌତୁକ ନିର୍ଯ୍ୟାତନା ଥାନାରେ ଏତଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ବିବାହ ପରେ ଅନେକ କିଛି ସ୍ବପ୍ନ ଦେଖିଥିଲେ ଦିଗପହଣ୍ଡି ଆନନ୍ଦ ନଗର ର ଅଞ୍ଜନା ରାଣୀ ସ୍ବାଇଁ। ହେଲେ ବିବାହର ମାତ୍ର ୧୦ ଦିନପରେ ସବୁ ସ୍ଵପ୍ନ ମଉଳି ଯାଇଥିଲା। ତାଙ୍କ ସ୍ଵାମୀ,ଶାଶୁ,ଶ୍ୱଶୁର ଓ ନଣନ୍ଦ ଅଧିକା ଯୌତୁକ ପାଇଁ ତାଙ୍କୁ ନିର୍ଯ୍ୟାତନା ଦେବା ସହ ଖାଇବାକୁ ମୁଠାଏ ଦେଇନଥିଲେ। ଜୀବନରେ ମାରିଦେବାକୁ ଖୁଲାମ ଖୁଲା ଧମକ ଦେଇଥିବା ଅଭିଯୋଗ ହୋଇଛି। ନିରୁପାୟ ଅଞ୍ଜନା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା (ନଂ.୩୭୭/୨୪) ଅନୁଯାୟୀ ସମସ୍ତ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଗତ ୨୦୨୨ ମାର୍ଚ୍ଚ ୯ ତାରିଖରେ ନାରାୟଣ ସ୍ବାଇଁ ଙ୍କ କନ୍ୟା ଅଞ୍ଜନା ଙ୍କ ଦିଗପହଣ୍ଡି ଥାନା ରାଜପୁର ଗ୍ରାମର କୋରା ପ୍ରଧାନ ଙ୍କ ଏକମାତ୍ର ପୁଅ ଶ୍ରୀକାନ୍ତ ଙ୍କ ସହ ବିବାହ ହୋଇଥିଲା। ବିବାହ ସମୟରେ ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବୀ ପ୍ରକାରେ ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ସମେତ ସମସ୍ତ ଘର କରଣା ଯୌତୁକ ଆକାରରେ ଦିଆଯାଇଥିଲା। ହସ ଖୁସି ରେ ଅଞ୍ଜନା ଶ୍ଵଶୁର ଘରେ ରହିଥିଲେ। ବିବାହର ମାତ୍ର କିଛି ଦିନ ପରେ ଅଧିକା ଯୌତୁକ ପାଇଁ ଅଞ୍ଜନା ଙ୍କୁ ସ୍ବାମୀ ଓ ଶ୍ୱଶୁର ଘର ଲୋକେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ। ଏପରିକି ସେ ପିନ୍ଧିଥିବା ସମସ୍ତ ସୁନା ଗହଣା ସେମାନେ ଜବରଦସ୍ତ ଛଡାଇ ନେଇଯାଇଥିଲେ।ପ୍ରତିବାଦ କରିବାରୁ ସେମାନେ ସମସ୍ତେ ମିଳି ମିଶି ତାଙ୍କୁ ନିସ୍ତୁକ ମାଡ଼ ମାରି ଘରୁ ତଡ଼ି ଦେଇଥିଲେ।ଶ୍ୱଶୁର ଗାଁ ରାସ୍ତାରେ ସର୍ବସମ୍ମୁଖରେ ତାଙ୍କ ପିନ୍ଧା ଲୁଗାକୁ ଧରି ଟଣାଓଟରା କରିବା କୁ ପଛାଇନଥିଲେ।ସେ ବାଧ୍ୟହୋଇ ଦିଗପହଣ୍ଡି ବାପଘରକୁ ଚାଲିଆସିଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି।ଏନେଇ ସେ ଓ ତାଙ୍କ ବାପା ଜାତି କୁଳ ସଭା ସଭାପତି ଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ନ୍ୟାୟ ମିଳିନଥିଲା। ତାଙ୍କ ପ୍ରତି ଅତ୍ୟାଚାର ର ତଦନ୍ତ କରି ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଏତଲା ଦେଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ଙ୍କ ନିକଟରେ ବୟାନ ଦେଇଛନ୍ତି।ଏନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ଜଣାପଡ଼ିଛି।