ନବବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ
ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳି ଥାନା ଦୟାପଲ୍ଲୀ ଗ୍ରାମରେ ଶୁକ୍ରବାର ଦିନ ଜୈନିକ ନବବିବାହିତା ମହିଳାଙ୍କ ଝୁଲନ୍ତା ଶବକୁ ହିଂଜିଳି ପୋଲିସ ଜବତ କରିଛି । ଶଶୁର ଘର ପକ୍ଷରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ନେଇ କୁହାଯାଉଥିବା ବେଳେ ଝିଅର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ହତ୍ୟା କରିଥିବା ନେଇ ଝିଅର ବାପା ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ନଂ- ୧୭୧/୧୯ ରେ ଏକ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ମୃତ ମହିଳାଙ୍କ ସ୍ୱାମୀ ହିଂଜିଳି ଥାନା ଦୟାପଲ୍ଲୀ ଗ୍ରାମର ରାଜେଶଙ୍କୁ ଥାନାକୁ ଆଣି ପଚରାଉଚରା ଚଲାଇଛି । ବ୍ୟବଛେଦ ରିପୋର୍ଟ ମିଳିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ହିଂଜିଳି ଥାନା ଦୟାପଲ୍ଲୀ ଗ୍ରାମର ଜଡ଼ା ମହାରଣାଙ୍କ ପୁଅ ରାଜେଶ (୨୬) ସହ ବ୍ରହ୍ମପୁର ଭାବିନିପୁର ଅଂଚଳର ସନ୍ତୋଷ ମହାରଣାଙ୍କ ଝିଅ ଦୀପା (୨୦)ର ଗତ ୨୦୧୮ ମସିହା ମଇ ମାସ ୪ ତାରିଖରେ ବାହାଘର ହୋଇଥିଲା । ବିବାହର କିଛି ମାସ ପରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ଝିଅର ବାପା ଅଭିଯୋଗରେ ଦର୍ଶାଇଛନ୍ତି । ଶୁକ୍ରବାର ସକାଳେ ସ୍ୱାମେୀ- ସ୍ତ୍ରୀ ମଧ୍ୟରେ କଳହ ହୋଇଥିଲା । ଘର ମଧ୍ୟରେ କେହି ନଥିବାର ସୁଯୋଗ ନେଇ ଦୀପା ଏକ ଲୁଗା ସାହାର୍ଯ୍ୟରେ ଆତ୍ମହତ୍ୟା କରିଥିବା ନେଇ ରାଜେଶ ଶଶୁରଙ୍କୁ ଜଣାଇଥିଲେ । ଖବର ପାଇ ଝିଅର ବାପା ସନ୍ତୋଷ ଦୟାପଲ୍ଲୀ ଗ୍ରାମରେ ପଂହଚି ଘଟଣା ଦେଖି ଝିଅକୁ ହତ୍ୟା କରାଯାଇଥିବା ନେଇ ନେଇ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ ।


