ନବରଙ୍ଗପୁରରେ ଦୁଇ ଠିକା ସଂସ୍ଥାକୁ ୧୧ କୋଟି ଟଙ୍କା ଫାଇନ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ରେ ଚାଲିଥିବା ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ କାରଣ ରୁ ଦୁଇ ଠିକା ସଂସ୍ଥା କୁ ୧୧ କୋଟି ଟଙ୍କାର ଫାଇନ କରିଛି ଗ୍ରାମ୍ୟ ଜଳଯୋଗାଣ ବିଭାଗ l ଏ ନେଇ ସୂଚନା ଦେଇଛନ୍ତି ନିର୍ବାହି ଯନ୍ତ୍ରୀ ପ୍ରତୀକ କୁମାର ରାଉତ। ନବରଙ୍ଗପୁର ଜିଲ୍ଲା ବାସୀ ଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ଙ୍କ ପକ୍ଷରୁ ନାବାର୍ଡ ସହାୟତାରେ ଚାରି ଗୋଟି ମେଗା ପ୍ରକଳ୍ପ ନିର୍ମାଣ କରାଯାଉଛି, ତେନ୍ତୁଳୀଖୁଣ୍ଟି,ନନ୍ଦାହାଣ୍ଡି, ପାପଡାହାଣ୍ଡି, କୋଷାଗୁମୁଡା ଓ ଚାନ୍ଦାହାଣ୍ଡି ବ୍ଲକ ବାସୀଙ୍କୁ ଅନବରତ ପାନୀୟ ଜଳ ଯୋଗାଇଦେବା ପାଇଁ ତେନ୍ତୁଳୀଖୁଣ୍ଟି ବ୍ଲକର ଲମତାଗୁଡା ଠାରେ ୧୪୯. ୩୯ କୋଟି,ପାପଡାହାଣ୍ଡି ବ୍ଲକ ଚାନ୍ଦିଲି ଠାରେ ୪୦୩. ୯୪ କୋଟି କୋଷାଗୁମୁଡ଼ା ର ଘାଟବାସୁଳି ଠାରେ ୯୯ କୋଟି ଓ ଚାନ୍ଦାହାଣ୍ଡି ବ୍ଲକ ଠାରେ ୧୩୯. ୪୮ କୋଟି ବ୍ୟୟ ରେ ଚାରିଗୋଟି ପ୍ରକଳ୍ପ କାମ ଜାରି ରହିଛି l ୨୦୧୯ ମସିହା ଅଗଷ୍ଟ ମାସରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂଅଗଷ୍ଟ ୨୦୨୧ ମସିହାରେ ଏହି କାର୍ଯ୍ୟ ଶେଷ କରିବା ନେଇ ଟେଣ୍ଡର ପାଇଥିବା ସଂସ୍ଥା ଗୁଡିକ ଏଗ୍ରିମେଣ୍ଟ କରିଥିଲେ କିନ୍ତୁ ଧାର୍ଯ୍ୟ ସମୟ ଭିତରେ କାର୍ଯ୍ୟ ଶେଷ ନହେବାରୁ ଏହାର ସମୟ ଅବଧି କୁ ଛ ମାସ ବୃଦ୍ଧି କରିଥିଲା ବିଭାଗ । ତେବେ ସମୟ ଅବଧି ବୃଦ୍ଧି କରି ଅଧିକ ତିନି ବର୍ଷ ବିତି ଗଲାଣି କିନ୍ତୁ କାର୍ଯ୍ୟ ଶେଷ କରିପାରିନାହାନ୍ତି ସମ୍ପୃକ୍ତ ଟେଣ୍ଡର ପାଇଥିବା ଠିକା ସଂସ୍ଥା ଗୁଡିକ । ତେଣୁ ବିଭାଗ ପକ୍ଷରୁ ଟେଣ୍ଡର ପାଇଥିବା ଜେଏମସି-ଜେଡବ୍ଲୁଆଇଏଲ ଠିକା ସଂସ୍ଥା କୁ ୭କୋଟି ୪୪ ଲକ୍ଷ ଓ ଜେଭିପିଆର ଠିକା ସଂସ୍ଥା କୁ ୩ କୋଟି ଟଙ୍କା ଏହି ଭଳି ଏଗାର କୋଟି ଟଙ୍କା ଫାଇନ କରାଯାଇଛି ଏବଂ ପ୍ରଥମ ପର୍ଯ୍ୟାୟରେ ତିନି କୋଟି ଟଙ୍କା ଫାଇନ ଆଦାୟ ହୋଇସାରିଛି ବୋଲି କହିଛନ୍ତି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତୀକ କୁମାର ରାଉତ। ଆଗକୁ ସମସ୍ତ ଠିକା ସଂସ୍ଥା ପାଖରୁ ଏହି ଫାଇନ ବାବଦକୁ ବାକି ସବୁ ଟଙ୍କା ଆଦାୟ କରାଯିବ ବୋଲି ସେ କହିଛନ୍ତି । ଯଦି ଠିକା ସଂସ୍ଥା ଗୁଡିକ ଶୀଘ୍ର କାର୍ଯ୍ୟ ଶେଷ ନ କରନ୍ତି ତାହେଲେ ପୁଣି ଥରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଆର୍ଥିକ ଦଣ୍ଡ କରାଯିବ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ । ତେବେ ଦୁଇଟି ପ୍ରକଳ୍ପ ରୁ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ନନ୍ଦାହାଣ୍ଡି ,ତେନ୍ତୁଳିଖୁଣ୍ଟି ବ୍ଲକ ଏବଂ କୋଷାଗୁମୁଡ଼ା ବ୍ଲକ ଅଞ୍ଚଳକୁ ଜଳ ଯୋଗାଣ କରାଯିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ନିର୍ବାହି ଯନ୍ତ୍ରୀ ।