ନବରଙ୍ଗପୁର ଜିଲ୍ଲାର ଆକାଂକ୍ଷା କାର୍ଯ୍ୟକ୍ରମ ର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ସାବିତ୍ରୀ ଠାକୁର
ନବରଙ୍ଗପୁର,(ୱା ଏନ ଏସ): ବିକଶିତ ଭାରତ ପାଇଁ ଯୋଜନା ବଦ୍ଧ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାର ସରକାରୀ କର୍ମଚାରୀମାନଙ୍କୁ ଆହ୍ବାନ ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର । ଗୁରୁବାର ଦୁଇଦିନିଆ ନଵରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମୀଳନୀରେ ଗୃହରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ କେନ୍ଦ୍ରୀୟ ଯୋଜନା ଗୁଡିକର ସମୀକ୍ଷା କରିଛନ୍ତି ମନ୍ତ୍ରୀ। ନବରଙ୍ଗପୁର ଆକାଂକ୍ଷା ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ କିଭଳି ସୁଫଳ ରୂପାୟନ ହେବ ସେନେଇ ଆଧିକାରୀ ମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପ୍ରଥମେ ସ୍ୱାସ୍ଥ୍ୟ ବିଭାଗକୁ ସେଇ ସମୀକ୍ଷା ଆରମ୍ଭ ହୋଇଥିଲା । ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ଅଧିକ ଥିବା ନେଇ ମନ୍ତ୍ରୀ ଉଦଵେଗ ପ୍ରକାଶ କରିବା ସହ ଏଥି ପ୍ରତି ସ୍ବତନ୍ତ୍ର ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ସେଭଳି ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ର ଯତ୍ନ, ପୋଷଣ ଅଭିଯାନ, ଜନ ଧନ ଯୋଜନା, ସୁକନ୍ୟା ସବୃଦ୍ଧି ଯୋଜନା,ପ୍ରଧାନ ମନ୍ତ୍ରୀ ମୁଦ୍ରା ବ୍ୟାଙ୍କ ଯୋଜନା, ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା, ସ୍ୱଚ୍ଛ ଭାରତ ମିଶନ ଯୋଜନା, ଲକ୍ଷପତି ଦିଦି, ମାତୃ ବନ୍ଦନା ଯୋଜନା ନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଠାରୁ ଉତ୍ତର ମାଗିଥିଲେ ମନ୍ତ୍ରୀ । ଆଧାର କାର୍ଡ଼କୁ ପ୍ରାଧାନ୍ୟ ଦେଇ ପ୍ରଧାନ ମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ସଫଳ ରୂପାୟନ ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଆଧାର ସହିତ ଆକାଉଣ୍ଟ ଲିଙ୍କ ରହିଲେ ସରକାରଙ୍କ ଯୋଜନାର ଅର୍ଥ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ । ଜନଧନ ଯୋଜନା ଆକାଉଣ୍ଟ ସମ୍ପର୍କରେ ବୈଠକରେ ସଠିକ ତଥ୍ୟ ଦେଇ ନପାରିବାରୁ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଠାକୁର ଵିଭାଗୀୟ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ସେଭଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ବିଭିନ୍ନ ଯୋଜନାରେ ସାମିଲ କରି ତାଲିମ ଦେବାକୁ କହିଥିଲେ । ଜିଲାର ବିଭିନ୍ନ ବାଳିକା ଅଧାରୁ ପାଠ ପଢା ଛାଡୁଥିବାରୁ ଅସନ୍ତୋଷ ପ୍ରକାଶ କରି ଏହାକୁ ରୋକିବାକୁ ବିଭିନ୍ନ ପଦକ୍ଷେପ ନେବାକୁ କହିଥିଲେ ଏବଂ ବାଲ୍ୟ ବିବାହ ରୋକିବା ପାଇଁ ବ୍ୟାପକ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି। ୨୦୧୪ ରୁ ସ୍ୱଚ୍ଛ ଭାରତ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହି ଜିଲ୍ଲାରେ ଆଶାନୁରୂପ ଭାବେ ସଫଳତା ହାସଲ କରିନଥିବାରୁ ନାପସନ୍ଦ କରିଥିଲେ । ପ୍ରତି ଘରେ ଅତି କମରେ କେନ୍ଦ୍ର ସରକାରଙ୍କ ୧୦ ଯୋଜନା କାର୍ଯ୍ୟକାରୀ ହେଉଛି । ଗାଁକୁ ସହର ଭଳି ପ୍ରସ୍ତୁତ କରିବାକୁ ହବ ପ୍ରତି ଗାଁରେ ଆଲୋକ ବ୍ୟବସ୍ଥା କରାଯିବ । ଏଯାଏ ରାଜସ୍ୱ ଗାଁ ମାନଙ୍କରେ ଏହା କରାଯାଇଛି । ଆସନ୍ତା ୨୦୪୭ ସୁଦ୍ଧା ସଶକ୍ତ, ସମର୍ଥ, ବିକଶିତ ଓ ସମୃଦ୍ଧ ଭାରତ ଗଠନ କରିବାକୁ ସମସ୍ତ ଅଧିକାରୀଙ୍କୁ ଯୋଜନା ବଦ୍ଧ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ସରକାରୀ ଯୋଜନାକୁ ବ୍ୟାପକ ପ୍ରଚାର ପ୍ରସାର କରି ଜନ ଜାଗରଣ ସୃଷ୍ଟି କରିବାକୁ କହିଥିଲେ । ସମୀକ୍ଷା ବୈଠକରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଗଣ୍ଡ କହିଥିଲେ ଯେ ସରକାରଙ୍କ ଯୋଜନା ଗୁଡିକ ସଠିକ ଭାବରେ କାର୍ଯ୍ୟକାରୀ ହେବା ଉଚିତ ବୋଲି କହିଛନ୍ତି । ଯୋଜନା ଗୁଡିକ ତଳ ସ୍ତରରେ ଠିକ ଭାବର କାର୍ଯ୍ୟକାରୀ ହେଉନାହିଁ ପରିସଂଖ୍ୟାନ ଠିକ ଥିଲେ ମଧ୍ୟ ସଫଳ କାର୍ଯ୍ୟ ହୋଇପାରୁନାହିଁ । ସରକାରଙ୍କ ଯୋଜନା ସମସ୍ତ ଲୋକେ ଲାଭ ପାଇବା ଆବଶ୍ୟକ ବୋଲି କହିଥିଲେ । ସାଂସଦ ବଳଭଦ୍ର ମାଝୀ ସବୁବିଭାଗ ନିଜ ନିଜର ସମୀକ୍ଷା କରି ଅନ୍ୟ ବିଭାଗ ସହିତ ସମନ୍ୱୟ ରଖି ସରକାରୀ ଯୋଜନା ଗୁଡିକ ଲୋକଙ୍କ ନିକଟକୁ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ନଵରଙ୍ଗି ବ୍ରାଣ୍ଡର ଶାଢ଼ୀ ଓ ଧାନର କାରୁକାର୍ଯ୍ୟ ନିର୍ମିତ ଶ୍ରୀଜିଉଙ୍କ ପ୍ରତିମୂର୍ତ୍ତି ଓ କାଠରେ ତିଆରି ଗଣେଶ ଙ୍କ ପ୍ରତିମୂର୍ତି କୁ ଉପହାର ଦିଆଯାଇଥିଲା ।ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ସମୀକ୍ଷାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଠାକୁର, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏମପି ବଳଭଦ୍ର ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରମ ନାୟକ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂ ଭତ୍ରା, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ନବରଙ୍ଗପୁର ପୌର ଅଧ୍ୟକ୍ଷ କୁନୁ ନାୟକ ଓ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ମଞ୍ଚାସିନ ଥିବାବେଳେ ଜିଲ୍ଳାର ସମସ୍ତ ଜିଲାସ୍ତରୀୟ ଅଧିକାରୀ, ସମସ୍ତ ବିଡ଼ିଓ, ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


