ନବ଼ମଦିନରେ ଲକଡାଉନ ବିଦେଶରୁ ୫୫୩ଶହ ଓ ରାଜ୍ୟ ବାହାରୁ ୭୮୯୭ ଜିଲ୍ଲାକୁ ଆସିଛନ୍ତି
କେନ୍ଦ୍ରାପଡା : ସାରା ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସରକାରଙ୍କ ଲକ ଡାଉନ ବ୍ୟବସ୍ଥା ଜାରି ରହିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ନବମଦିନ ପାଇଁ ଲକ ଡାଉନ ବ୍ୟବସ୍ଥା ବଳବତ୍ତର ରହିଥିବା ଦେଖିବାକୁ ମିଳିଛି । ସହରର ରାସ୍ତାଘାଟ ସମେତ ୫ନମ୍ବର(କ) ଜାତୀୟ ରାଜପଥ ଶୁନଶାନ ହୋଇଯାଇଥିବା ପରିଲକ୍ଷିତ ହୋଇଛି । ୨୧ଦିନ ପାଇଁ ଏହି ଲକ ଡାଉନ ବ୍ୟବସ୍ଥା ଜାରି ରଖିବାକୁ ଘୋଷଣା ପରେ ସାଧାରଣ ଲୋକ ଧିରେ ଧିରେ ସରକାରଙ୍କ ଏହି ବ୍ୟବସ୍ଥାକୁ ଗ୍ରହଣ କରିନେଇଥିବା ଦେଖିବାକୁ ମିଳିଛି । ଆଜି ସୁଦ୍ଧା ଜିଲ୍ଲାକୁ ବିଦେଶରୁ ୫୬୭ ଜଣ ଲୋକ ଆସିଥିବା ବେଳେ ରାଜ୍ୟ ବାହାରୁ ୮୧୦୦ ଜଣ ଲୋକ ଆସିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାର ମୋଟ ୧୦ଟି ଛାତ୍ରାବାସରେ ରହୁଥିବା ୧୨୭୭ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରେ ପହଁଚାଇ ଦିଆଯାଇ ଛାତ୍ରାବାସ ଗୁଡିକୁ ଖାଲି କରିଦିଆଯିବା ସହିତ ଏକକାଳିନ ୩ ମାସର ଛାତ୍ରବୃତ୍ତି ବାବଦକୁ ୨୯୭୩୩୦୦ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି । ଜିଲ୍ଲାର ସମସ୍ତ ୨୪୯ଟି ପଂଚାୟତରେ ୨୭୦ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୯୫୦୭ ଶଯ୍ୟା ପ୍ରସ୍ତୁତ କରାଯାଇଛି । ସେହିପରି କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଚଂଳରେ ୯ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୧୮୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ , ଛତା ପଲିଟେକନିକ ସ୍କୁଲ , କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ଓ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନା ନିକଟ ସଂଖ୍ୟାଲଘୁ ଛାତ୍ରାବାସରେ ଅଦ୍ୟାବଧି ମୋଟ ୮୬୦ଟି ଆଇସୋଲେସନ ଶଯ୍ୟାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିବା ବେଳେ ଜିଲ୍ଲାର ଅସ୍ଥାୟୀ ପର୍ଯ୍ୟବେକ୍ଷଣ କେନ୍ଦ୍ର ଓ କୋଭିଡ ହସପିଟାଲରେ ୧୦୫୪୭ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଆନୁକୁଲ୍ୟରେ ଜିଲ୍ଲାରେ ଆଜି ସୁଦ୍ଧା ୧ଲକ୍ଷ ୩୭ହଜାର ୮୬୨ଜଣ ବାର୍ଦ୍ଧକ୍ୟ,ବିଧବା ଓ ଭିନ୍ନକ୍ଷମ ଭତ୍ତା ହିତାଧିକାରୀଙ୍କୁ ୪ ମାସର ଏକକାଳିନ ଭତ୍ତା ବାବଦକୁ ୨୮୭୮୦୧୬୦୦ଟଙ୍କା ସେମାନଙ୍କ ଘର ନିକଟରେ ପ୍ରଦାନ କରାଯାଇଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଆଜିସୁଦ୍ଧା ଜିଲ୍ଲାର ୧୭୧୩୦୫ହିତାଧିକାରୀଙ୍କୁ ଏକକାଳିନ ୩ମାସର ଚାଉଳ ସେମାନଙ୍କ ଘର ନିକଟରେ ପ୍ରଦାନ କରାଯାଇଛି । ତାଲାବନ୍ଦ ଆଇନ ଉଲ୍ଲଙ୍ଘନ କରିଥିବାରୁ ଆଜି ସୁଦ୍ଧା ୫୭ଜଣ ଅଭିଯୁକ୍ତଙ୍କ ନାମରେ ୩୧ଟି ମାମଲା ରୁଜୁ କରାଯାଇ ୨୨ଟି ବାଇକ,୫ଟି ୪ଚକିଆ ଗାଡି ଓ ଗୋଟିଏ ମୋବାଇଲ ଜବତ କରାଯାଇଛି । ସହରର ମୁଖ୍ୟ ରାସ୍ତା ଗୁଡିକରେ ପୋଲିସ ପକ୍ଷରୁ ଗାଡି ଗୁଡିକ ଯାଂଚ କାର୍ଯ୍ୟ ଚାଲୁରହିଥିବା ବେଳେ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳ ପୋଲିସ ଫୋର୍ସ ସହିତ ଗାଡି ଗୁଡିକ ଯାଂଚ କରିିଥିଲେ । କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ସହରର ବିଭିନ୍ନ ସ୍ଥାନ ସମେତ ୫ନମ୍ବର (କ) ଜାତୀୟ ରାଜପଥରେ ବୁଲି ପୋଲିସର କାର୍ଯ୍ୟକଳାପକୁ ତଦାରଖ କରିବା ସହ ଲୋକମାନଙ୍କୁ ସଚେତନ କରିବା ସହ ପରାମର୍ଶ ଦେଉଥିବାର ଦେଖିବାକୁ ମିଳିଥିଲା । ସରକାରଙ୍କ ଦ୍ୱାରା ବାରମ୍ବାର ଘୋଷଣା ହେବା ପରେ ଧିରେ ଧିରେ ଲୋକମାନେ ଘର ବାହାରକୁ ବାହାରୁନଥିବାର ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ବ୍ୟବସ୍ଥାକୁ ମଧ୍ୟ କଡାକଡି ପାଳନ କରାଯାଉଥିବା ଦେଖିବାକୁ ମିଳିଛି ।