ବିଜୁଜନତା ଦଳ ସଫଳତାର ସିଡ଼ି ଆରୋହଣ କରିଚାଲିଛି

ଜାତୀୟ ଦଳଗୁଡ଼ିକ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା କ୍ଷେତ୍ରରେ ବିଫଳ ହୋଇଥିବା ଅନୁଭବ କରି ୧୯୯୭ ଡିସେମ୍ବର ୨୬ରେ ଗଢ଼ାଯାଇଥିଲା ବିଜୁ ଜନତା ଦଳ (ବିଜେଡି) । ଅତୀତରେ ଗଢ଼ାଯାଇଥିବା ଆଞ୍ଚଳିକ ଦଳ ସମୟକ୍ରମେ ବିଲୀନ ହୋଇଯାଇଥିବାବେଳେ ବିଜୁଜନତା ଦଳ ସଫଳତାର ସିଡ଼ି ଆରୋହଣ କରିଚାଲିଛି । ଶିଳ୍ପ ବିକାଶ ଲାଗି ଉଦ୍ଦିଷ୍ଟ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍, ଟଙ୍କିକିଆ ଚାଉଳ, ୫ଟଙ୍କିଆ ଖାଦ୍ୟ, ମଧୁବାବୁ ପେନ୍ସନ୍ ଯୋଜନାଠାରୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପିଠା, କାଳିଆ ଭଳି ବହୁ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ, ଆର୍ଥିକ ପ୍ରତିବଦ୍ଧତାର ପରିଚୟ ପ୍ରଦାନ କରିପାରିଛନ୍ତି । ନିକଟରେ ଅନୁଷ୍ଠିତ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ନବୀନଙ୍କ ପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଆଣିଦେଇଛି । ଅନ୍ୟ ରାଜ୍ୟର ଥିବା ଆଞ୍ଚଳିକ ଦଳଗୁଡ଼ିକ ପଛରେ ପଡ଼ିଯାଇଥିବାବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ରାଜ୍ୟରେ ବିକାଶରଧାରା ତ୍ୱରାନ୍ୱିତ କରିପାରିଛି । ମହାନଦୀ ପାଇଁ ମହାସଂଗ୍ରାମ ଓ ପୋଲାଭରମ୍ ଲାଗି ଲଢ଼େଇ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇବା ପାଇଁ ସଂଗ୍ରାମ ତଥା ଜନସାଧାରଣଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ସରକାରଙ୍କ ନିଷ୍ଠାର ଅନ୍ୟତମ ନିଦର୍ଶନ । ରାଜ୍ୟର ବିକାଶ ଲାଗି ଥିବା ଆନ୍ତରିକତା, ଦକ୍ଷତା ଓ ସୁଶାସନ ବଳରେ ନବୀନ ପଟ୍ଟନାୟକ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ଲାଭ କରିବା ସହିତ ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ହାସଲ କରି ଦୁଇ ଦଶନ୍ଧି ମଧ୍ୟରେ ବିଜେଡିକୁ ମହାଦ୍ରୁମରେ ପରିଣତ କରିପାରିଛନ୍ତି ।

ରୋଲ୍ ମଡେଲ୍
ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ରୋଲ୍ ମଡେଲ୍ ଭାବେ ଅଭିହିତ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ସପରିବାର ଓଡ଼ିଶା ଗସ୍ତରେ ଆସିଥିବାବେଳେ ସେ ନବୀନଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ଲକ୍ଷ୍ୟ କରି କହିଥିଲେ ଏସବୁ ସମସ୍ତଙ୍କ ଲାଗି ଆଦର୍ଶ ସୃଷ୍ଟି କରିଛି । ନବୀନଙ୍କର ବିଭିନ୍ନ ସାମାଜିକ କ୍ଷେତ୍ର କାର୍ଯ୍ୟକ୍ରମକୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍) ଭୁରୀଭୁରୀ ପ୍ରଶଂସା କରିବା ସହିତ ‘କାଳିଆ’ ଯୋଜନା ସ୍ୱତନ୍ତ୍ର ଓ ଏହା ଚାଷୀଙ୍କ ଲାଗି ବେଶ୍ ସହାୟକ ହେବ ବୋଲି ମତ ଦେଇଥିଲେ ।

ପ୍ରବାଦପୁରୁଷ ତଥା ବିଶିଷ୍ଠ ଜନନାୟକ ବିଜୁବାବୁଙ୍କ ଦେହାନ୍ତ ପରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା । ଯଦିଓ ରାଜନୀତି ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା, ତେବେ ସେ ରାଜନୀତିକୁ ଆସିବା ପରେ ଆସ୍କା ଲୋକସଭା ଆସନରୁ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିଲେ । କେନ୍ଦ୍ର ନେତୃତ୍ୱାଧୀନ ଏନ୍ଡିଏ ସରକାରରେ ସେ ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଜାତୀୟ ଦଳଗୁଡ଼ିକ ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା କ୍ଷେତ୍ରରେ ବିଫଳ ହୋଇଥିବା ଅନୁଭବ କରି କେତେଜଣ ବରିଷ୍ଠ ବିଜୁ ଅନୁଗତ ନେତାଙ୍କ ଉଦ୍ୟମରେ ୧୯୯୭ ଡିସେମ୍ବର ୨୬ରେ ଗଢ଼ାଯାଇଥିଲା ବିଜୁ ଜନତା ଦଳ (ବିଜେଡି) । ଦଳ ସଭାପତି ଦାୟିତ୍ୱରେ ରହିଲେ ନବୀନ ପଟ୍ଟନାୟକ । ୨୦୦୦-୦୪ ମସିହା ସାଧାରଣ ନିର୍ବାଚନରେ ଦଳ ଅଧିକସଂଖ୍ୟକ ବିଧାନସଭା ଆସନରେ ବିଜୟୀ ହେବାପରେ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିଲେ । ଅନୁରୂପ ଭାବେ ୨୦୦୪-୦୯ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି ସହ ମେଣ୍ଟ ସରକାର ଗଠନ ହୋଇଥିଲା । ବିଜେପିର ସମ୍ପ୍ରଦାୟିକବାଦ ଯୋଗୁଁ ଦଳ ବଦନାମ ହେବାରେ ଲାଗିଲା । ୨୦୦୭-୦୮ ମସିହାରେ କନ୍ଧମାଳ ଜିଲ୍ଲା ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ବିଜେପିର ହାତ, ପରେ କନ୍ଧମାଳ ଦଙ୍ଗା ଘଟଣାରେ ବଜରଙ୍ଗ ଦଳର ସକ୍ରିୟ ଭୂମିକାକୁ ନେଇ ଦଳକୁ ଅପବାଦ ମୁଣ୍ଡାଇବାକୁ ପଡିଥିଲା । ଯେଉଁଥିପାଇଁ ବିଜେପିର ସହ ମେଣ୍ଟ ଭାଙ୍ଗି ଏକାକୀ ନିଜ ଦମ୍ରେ ନିର୍ବାଚନ ଲଢ଼ିବାକୁ ନବୀନ ନିଷ୍ପତ୍ତି କରିଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ଦଳ ଏକାକୀ ଲଢ଼ି ଓଡିଶାରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ଉକ୍ତ ନିର୍ବାଚନରେ ଦଳ ଲୋକସଭାରେ ୨୧ରୁ ୧୪ ଆସନରେ ବିଜୟଲାଭ କରିଥିବା ବେଳେ ବିଧାନସଭାରେ ୧୪୭ ରୁ ୧୦୩ଟି ଆସନରେ ବିଜେଡିକୁ ବହୁମତ ମିଳିଥିଲା । ଲଗାତାର ତୃତୀୟ ଥର ଲାଗି ବିଜେଡି ସୁପ୍ରିମୋ ନବୀନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ । ସ୍ୱଚ୍ଛ ଶାସନ ଓ ନିର୍ମଳ ଭାବମୂର୍ତ୍ତି ତାଙ୍କୁ ବିଶେଷ ଭାବେ ଜନାଦୃତ କରିଥିଲେ । ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବହୁ ଜନହିତକର ଯୋଜନା ତାଙ୍କୁ ଅଧିକ ଲୋକପ୍ରିୟ କରାଇଥିଲା । ୨୦୧୪ ାଧାରଣ ନିର୍ବାଚନରେ ବିଜେଡିକୁ ପୂର୍ଣ୍ଣ ବହୁମତ ମିଳିଥିଲା । ଲୋକସଭାରେ ୨୧ରୁ ୨୦ ଏବଂ ବିଧାନସଭାରେ ୧୪୭ ରୁ ୧୧୭ ଆସନରେ ବିଜେଡି ବିଜୟବୈଜୟନ୍ତ ଉଡ଼ାଇଥିଲା । ଲଗାତାର ଦୁଇଦୁଇ ଥର ପୂର୍ଣ୍ଣ ବହୁମତ ପାଇବା ପରେ କେନ୍ଦ୍ରରେ ସରକାର ଗଠନବେଳେ ବିଜେଡିର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ନବୀବଙ୍କ ଲୋକପ୍ରିୟତା କେବଳ ରାଜ୍ୟ ତଥା ଦେଶରେ ସୀମିତ ହୋଇରହିନାହିଁ, ଅର୍ନ୍ତଜାତୀୟ ସ୍ତରରେ ମଧ୍ୟ ତାଙ୍କର ଖ୍ୟାତି ରହିଛି । ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ସେହିଭଳି ଆଉଟ୍ଲୁକ୍ ପତ୍ରିକା ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନରେ ସମ୍ମାନିତ କରିଥିବାବେଳେ ୨୦୧୮ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍ ତାଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ଉକ୍ତ ବର୍ଷ ଅନ୍ତର୍ଜାତୀୟ ହକି ଫଡେରେସନ୍ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ ହୋଇଥିବାବେଳେ ପ୍ରତିବର୍ଷ କୌଣସି ନା କୌଣସି ବିପତ୍ତି ମାଡି ଆସିଥାଏ । ୧୯୯୯ ମହାବାତ୍ୟା ଠାରୁ ଆରମ୍ଭକରି ୨୦୧୩ରେ ଫାଇଲିନ୍, ୨୦୧୪ରେ ହୁଡୁହୁଡୁ , ୨୦୧୫ରେ ମରୁଡି, ୨୦୧୮ରେ ତିତିଲି ଓ ୨୦୧୯ରେ ଫାନି ଭଳି ଭୟଙ୍କର ବାତ୍ୟା ମୁକାବିଲା କରିବାରେ ରାଜ୍ୟ ସରକାର ବେଶ୍ ସଫଳତା ହାସଲ କରିଛନ୍ତି । ଏଥିପାଇଁ ଜାତିସଂଘରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର ମଳିଛି । କୃଷି ଓ କୃଷକଙ୍କ ଆୟ ବହୁଗୁଣିତ କରିବା ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରଣୟନକରି ନବୀନ ଜାତୀୟସ୍ତରରେ ଏକ ରୋଲ୍ମଡେଲ ଭାବେ ପରିଗଣିତ ହୋଇପାରିଛନ୍ତି ।

ଚାଷୀଙ୍କ ଲାଗି ‘କାଳିଆ’
ଚାଷ ଓ ଚାଷୀଙ୍କ ପାଇଁ ଏହା ଏକ ଐତିହାସିକ ନିଷ୍ପତ୍ତି । କୃଷକଙ୍କ ଜୀବନଜୀବିକା ପାଇଁ ସହାୟତା ଓ ଆୟ ବୃଦ୍ଧି (କାଳିଆ) ଯୋଜନା କାର୍ଯ୍ୟକାରୀ କରାଯିବା ଲାଗି ନିଷ୍ପତ୍ତି ହୋଇଛି । ଏହି ଯୋଜନାରେ ୧୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।
୪ ଥର କୃଷିକର୍ମଣ ପୁରସ୍କାର ପାଇ ଓଡ଼ିଶା ରେକର୍ଡ କରିଛି । ରାଜ୍ୟରେ ୩୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ କାଳିଆ ଯୋଜନାରେ ଉପକୃତ ହେବେ । ଏହି ଯୋଜନା ଜରିଆରେ ଚାଷୀ ପରିବାରକୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ଉଭୟ ଖରିଫ୍ ଓ ରବି ଫସଲ ଲାଗି ୫ ହଜାର ଟଙ୍କା ଲେଖାଏଁ ମିଳିବ । ୯୨% ଚାଷୀ ଏହି ସୁବିଧା ପାଇବେ । ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ୫ଟି ଫସଲ ଋତୁ ଲାଗି ଏହା ଲାଗୁ ହେବ । ଭୂମିହୀନ ଚାଷୀ ପରିବାର ପାଇଁ କାଳିଆ ଯୋଜନାରେ ବ୍ୟବସ୍ଥା କରାଯାଇଛି । ୧୦ ଲକ୍ଷ ଭୂମିହୀନ ପରିବାରର ଜୀବନଜୀବିକା ଲାଗି ଛେଳି ପାଳନ, ଅଣ୍ଡା ଉତ୍ପାଦନ, ବତକ ଚାଷ, ମାଛ, ଛତୁ ଓ ମହୁ ଚାଷ ପରି ଆନୁସଙ୍ଗିକ କୃଷି କାର୍ଯ୍ୟ ପାଇଁ ପ୍ରତି ପରିବାରକୁ ୧୨,୫୦୦ ଟଙ୍କା ସହାୟତା ଦିଆଯିବ । ୩ ବର୍ଷରେ ୧୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ବୃଦ୍ଧାବସ୍ଥା, ଅକ୍ଷମତା ଓ ରୋଗ ବିଭିନ୍ନ କାରଣରୁ ଚାଷୀ କାର୍ଯ୍ୟ କରିବାକୁ ସକ୍ଷମ ହେଉନଥିବା ଭୂମିହୀନ କୃଷି ଶ୍ରମିକଙ୍କୁ ବାର୍ଷିକ ୧ଠ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ ।

ପିଠା ଯୋଜନା

ରାଜ୍ୟ ସରକାର ପିପୁଲ୍ସ ଏମ୍ପାୱାରମେଣ୍ଟ ଏନାବ୍ଲିଙ୍ଗ୍ ଟ୍ରାନ୍ସଫରେନ୍ସି ଆଣ୍ଡ ଆକାଉଣ୍ଟବିଲିଟି (ପିଠା) ବା ଜନସଶକ୍ତିକରଣ ସାମର୍ଥ୍ୟ ପାରଦର୍ଶୀ ଏବଂ ଉତ୍ତରଦାୟୀ ନାମରେ ଏକ ନୂଆ ସଚେତନତା ଯୋଜନା ପ୍ରଣୟନ କରିଛନ୍ତି । ଏହା ହେଉଛି ‘ଆମ ଗାଁ ଆମ ବିକାଶ’ର ଏକ ଉପଯୋଜନା । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ହେଉଛି ‘ପିଠା’ର ମୂଳ ଉଦ୍ଦେଶ୍ୟ । ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରତି ମାସରେ ୧୫ରୁ ୨୦ ତାରିଖ ମଧ୍ୟରେ ଏହି ଜନସଚେତନା ଶିବିର ଅନୁଷ୍ଠିତ ହେଉଛି ।

କୃଷିକର୍ମଣ ପୁରସ୍କାର
ବିଜେଡି ଶାସନ ସମୟରେ ଧାନ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିଛି । ଗତ ୫ ବର୍ଷରେ ୪ଥର କୃଷିକର୍ମଣ ପୁରସ୍କାର ପାଇବାର ରେକର୍ଡ କରିଛି ରାଜ୍ୟ । କୃଷି ପାଇଁ ‘ସ୍ୱତନ୍ତ୍ର କୃଷି ବଜେଟ୍‍’ ଆଣିବାରେ ବିଜେଡି ସରକାର ପ୍ରଥମ । ଚାଷୀଙ୍କ ପାଇଁ ସାମାଜିକ ନିରାପତ୍ତା ଦିଗରେ ‘ବିଜୁ କୃଷକ କଲ୍ୟାଣ’ ଯୋଜନା କାର୍ଯ୍ୟକାରୀ କରାଯାଇଛି । ୨୦୧୦ ତୁଳନାରେ ରାଜ୍ୟରେ କୃଷକଙ୍କ ଆୟ ଦୁଇଗୁଣ ହୋଇଛି । ପାର୍ବତୀଗିରି ବୃହତ ଉଠା ଜଳସେଚନ ଯୋଜନାରେ ୧୫୪୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ‘ବିଜୁ କୃଷକ ବିକାଶ ଯୋଜନା’ରେ ୬୨୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କୃଷି ଓ ମାଛ ଚାଷ ନିମନ୍ତେ ସ୍ୱତନ୍ତ୍ର ଫିଡର୍‍, ମାଛ ଚାଷ ଏବଂ ଗୋପାଳନ ନିମନ୍ତେ ସର୍ବାଧିକ ରିହାତି ଯୋଗାଇ ଦିଆଯାଉଛି । ଏଥିସହ ଚାଷୀକୁ ମୋବାଇଲ ବଣ୍ଟନ, ଜଳସେଚନ ପାଇଁ ପାଣି ପମ୍ପ, ସାର, ବିହନ ସବ୍ସିଡ୍ରେ ସମବାୟ ସଂସ୍ଥା ଦ୍ୱାରା ଯୋଗାଣ, ଖରିଫ୍ ଓ ରବି ଫସଲ ପାଇଁ ଋଣ ପ୍ରଦାନ କରି ବିଜେଡି ସରକାର କୃଷକଙ୍କ ସରକାର ହୋଇପାରିଛି ।
ମେକ୍ ଇନ୍ ଓଡ଼ିଶା
କନ୍କ୍ଲେଭ୍
ରାଜ୍ୟର ଅର୍ଥନୈତିକ ବିକାଶ ଲକ୍ଷ୍ୟରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ସ୍ୱରୂପ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ଆରମ୍ଭ କରାଯାଇଛି । ଦୁଇବର୍ଷ ତଳେ ପ୍ରଥମ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ଆୟୋଜିତ ହୋଇଥିବା ବେଳେ ଏହାର ଦ୍ୱିତୀୟ ସଂସ୍କରଣ ଚଳିତ ବର୍ଷ ନଭେମ୍ବର ୧୧ରୁ ୧୮ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି । ଏଥର ୧୫ କ୍ଷେତ୍ରରେ ୪.୧୯ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି । ଏହାଦ୍ୱାରା ଲକ୍ଷାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି । ୨୦୨୦ରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭର ତୃତୀୟ ସଂସ୍କରଣ ଆୟୋଜିତ ହେବ । ଏନ୍ଟିପିସି, ଏମ୍ସିଏଲ୍, ସେଲ୍, ରିଲାଏନ୍ସ, ଆଦାନି, ପିପିଏଲ୍, ଜେଏସ୍ ପିଏଲ୍ ଆଜି ବୃହତ କମ୍ପାନୀ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଦ୍ୱିତୀୟ ସଂସ୍କରଣରେ ପ୍ରାୟ ୫.୧୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ପ୍ରକାଶ ପାଇଛି ।

କ୍ରୀଡ଼ା କ୍ଷେତ୍ରରେ ଅବଦାନ
ଗତ ପାଞ୍ଚବର୍ଷ ମଧ୍ୟରେ ବିଜେଡିଶାସିତ ସରକାର କ୍ରୀଡ଼ା ଆୟୋଜନ କ୍ଷେତ୍ରରେ ଅପାର ସଫଳତା ପାଇଛନ୍ତି । ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ତିନିଟିି ବଡ଼ ଆନ୍ତର୍ଜାତିକ ହକି ଟୁର୍ଣ୍ଣାମେଣ୍ଟ -୨୦୧୪ରେ ପୁରୁଷ ଚାମ୍ପିଅନ୍ସ ଟ୍ରଫି, ୨୦୧୭ରେ ହକି ୱାର୍ଲ୍ଡ ଲିଗ୍ ଫାଇନାଲ୍ସ ଓ ୨୦୧୮ରେ ପୁରୁଷ ହକି ବିଶ୍ୱକପ୍ ଆୟୋଜିତ ହୋଇଥିଲା । ଏଥିସହିତ ବିଜେଡି ସରକାର ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଥିଲା । ଚଳିତବର୍ଷ ଜୁନ୍ ୬ରୁ ୧୫ ଯାଏ ଏଫ୍ଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ଆୟୋଜିତ ହେବାକୁ ଯାଉଛି । ସଫଳ ଆୟୋଜନ ଯୋଗୁଁ ବିଶ୍ୱ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଏତଦ୍ଭିନ୍ନ ୨୦୧୭ରେ ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ମଧ୍ୟ ସଫଳତାର ସହ ଆୟୋଜନ କରାଯାଇଥିଲା । ଅନେକ ଜାତୀୟସ୍ତରୀୟ ପ୍ରତିଯୋଗିତା ମଧ୍ୟ ଓଡ଼ିଶାରେ ଆୟୋଜନ କରାଯାଉଛି । ଆନ୍ତର୍ଜାତିକ ହକି ମହାସଂଘ ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଭୁବନେଶ୍ୱରକୁ କ୍ରୀଡ଼ା ରାଜଧାନୀ ଭାବେ ଅଭିହିତ କରିବାକୁ ପଛାଇ ନାହାନ୍ତି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ସରକାର ଭାରତୀୟ ହକି (ଉଭୟ ପୁରୁଷ ଓ ମହିଳା) ଦଳକୁ ୫ ବର୍ଷ ପାଇଁ ପ୍ରାୟୋଜନ କରୁଛନ୍ତି । ଏବେ ଓଡ଼ିଶାର ଲୋଗୋ ଥିବା ଜର୍ସି ପିନ୍ଧି ଭାରତୀୟ ହକିଦଳ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛି । ଅଖିଳ ଭାରତ କ୍ରୀଡ଼ା ପରିଷଦର ତକ୍ରାଳୀନ ଅଧ୍ୟକ୍ଷ ବିଜୟ କୁମାର ମାଲହୋତ୍ରା ଏହାକୁ ଓଡ଼ିଶା ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ଅଭିହିତ କରିଥିଲେ । ଦେଶର ବିଭିନ୍ନ ଶିଳ୍ପୋଦ୍ୟୋଗ ସହ ଚୁକ୍ତି କରି ରାଜ୍ୟ ସରକାର ଫୁଟ୍ବଲ୍, ବ୍ୟାଡ୍ମିଣ୍ଟନ, ବନ୍ଧୁକଚାଳନା, ରଗ୍ବୀ ଆଦି ବିଭିନ୍ନ କ୍ରୀଡ଼ାର ବିକାଶ ପାଇଁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ କେନ୍ଦ୍ର, ଦକ୍ଷତା ବିକାଶ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ଆମ ଗାଁ ଆମ ବିକାଶ
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜୟନ୍ତୀ ଅବସରେ ଗ୍ରାମାଞ୍ଚଳ ଲୋକଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି “ଆମ ଗାଁ ଆମ ବିକାଶ” ଯୋଜନା । ରାଜ୍ୟ ସଚିବାଳୟରୁ ଗ୍ରାମାଞ୍ଚଳକୁ ବିକାଶ ପ୍ରକ୍ରୀୟାରେ ସାମିଲ କରିବା ଏହି ଯୋଜନା ଲକ୍ଷ୍ୟ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କରାଇବା ଯୋଜନାର ଉଦ୍ଦେଶ୍ୟ । ଏହି ଯୋଜନାରେ ପ୍ରତ୍ୟେକ ପଞ୍ଚାୟତକୁ ସିଧାସଳଖ ଆର୍ଥିକ ଅନୁଦାନ ଯୋଗାଇ ଦେଇ ବିକାଶର ଧାରା ସୃଷ୍ଟି କରାଯାଇପାରିଛି ।

ଆଦର୍ଶ ମୁଖ୍ୟମନ୍ତ୍ରୀ

ଦୀର୍ଘ ବର୍ଷ ଧରି ଓଡ଼ିଶାବାସୀଙ୍କୁ ନିରବଚ୍ଛିନ୍ନ ଭାବେ ସେବା ଓ ସୁଶାସନ ଯୋଗାଇ ଦେଇଆସୁଥିବା ପରିପ୍ରେକ୍ଷୀରେ ଚଳିତ ବର୍ଷ ମହାରାଷ୍ଟ୍ରର ପୁଣେ ଠାରେ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟ, ୟୁନେସ୍କୋ ଚେୟାର ଅଫ୍ ହ୍ୟୁମାନିଟୀ ସହଯୋଗରେ “ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ” ପକ୍ଷରୁ ମିଟ୍ ୱାର୍ଲ୍ଡ ପିସ ବିଶ୍ୱବିଦ୍ୟାଳୟ କ୍ୟମ୍ପସ୍ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ “ଆଦର୍ଶ ମୁଖ୍ୟମନ୍ତ୍ରୀ” ସମ୍ମାନ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ସଂକ୍ଷିପ୍ତ ଭାଷଣରେ ରାଜନୀତି ଓ ସୁଶାସନ ଉପରେ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ, ରାଜନୀତି ଆଦୌ ଜଟୀଳ ନୁହେଁ, କିନ୍ତୁ ଏହା ଜନତାଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ଏକ ଶକ୍ତିଶାଳୀ ଅସ୍ତ୍ର ।
କଥା ନୁହେଁ କାମରେ
ସଂସଦ ଓ ସମସ୍ତ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରସ୍ତାବ ଦେଇଥିଲେ ଚଳିତ ନିର୍ବାଚନରେ ତାହା ଅକ୍ଷରେ ଅକ୍ଷରେ ପାଳନ କରିଥିବା ଦେଖିବାକୁ ମିଳିଛି । ୨୦୧୯ ସାଧାରଣ ନିର୍ବାଚନ ପାଇଁ ଦଳପକ୍ଷରୁ ଯେଉଁ ପ୍ରାର୍ଥୀ ଘୋଷଣା କରାଯାଇଛି ସେହି ତାଲିକାରେ ୩୩ ପ୍ରତିଶତ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିବା ସ୍ୱଷ୍ଟ ହୋଇଛି । ଲୋକସଭା ଆସନ କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଟିକେଟ୍ ଦେଇ ସମଗ୍ର ଦେଶରେ ଇତିହାସ ସୃଷ୍ଟି କରିଛନ୍ତି । ବିଜେଡି ସୁପ୍ରିମୋଙ୍କ ମହିଳାଙ୍କ ପ୍ରତି ଏହି ଐତିହାସିକ ପଦକ୍ଷେପ ପାଇଁ ବିଭିନ୍ନ ରାଜନୈତିକ ଦଳର ବହୁ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏମ୍ଏସ୍ପି ପାଇଁ ଆନ୍ଦୋଳନ
କୃଷକଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ଦେବା ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିବାକୁ ବିଜେଡି ଦାବି କରିଛି । ଚାଷୀଙ୍କର ଦୁରାବସ୍ଥା ସମୟରେ କେନ୍ଦ୍ର ସରକାର ସମବେଦନା ଜଣାଇବା ବଦଳରେ କଟାକ୍ଷ କରୁଛନ୍ତି । ଓଡ଼ିଶା ବିଧାନସଭାରେ ପାରିତ ସର୍ବସମ୍ମତି ପ୍ରସ୍ତାବକୁ ହେୟଜ୍ଞାନ କରି କେନ୍ଦ୍ର ସରକାର ମାତ୍ର କ୍ୱିଣ୍ଟାଲ ପିଛା ୮୦ଟଙ୍କା ବୃଦ୍ଧିକୁ ବିଜେଡି ବିରୋଧ କରିଛିା । ପ୍ରତି କ୍ୱିଣ୍ଟାଲ ଧାନରେ ଚାଷୀର ୨୩୪୪ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଆକଳନ କରି ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ବିଜେଡି ବାରମ୍ବାର ଦାବି କରିଆସୁଛି । ଅନ୍ୟପଟେ ସ୍ୱାମୀନାଥନ୍ ରିପୋର୍ଟ ଅନୁଯାୟୀ ଧାନ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ବୃଦ୍ଧି କରିବାକୁ ନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଲଗାତର ରାଜ୍ୟର ଚାଷୀମାନଙ୍କ ଦାବିକୁ ଅଣଦେଖା କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା କେନ୍ଦ୍ରର ଚାଷୀ ବିରୋଧୀ ଓ ରାଜ୍ୟ ବିରୋଧୀ ମନୋଭାବର ପରିଚାୟକ । ଏହି ଦାବି ନେଇ ଦଳ ସମସ୍ତ ବ୍ଲକରେ ଆନ୍ଦୋଳନ କରିବା ସହ ରାଷ୍ଟ୍ରପତିଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ