ନବୀନଙ୍କ ସହ ଆଲୋଚନା କରିବାକୁ ଆସୁଛନ୍ତି ଶାହା : ଜୟଦେବ ଜେନା
ଭୁବନେଶ୍ୱର: ସରକାରୀ କାମ ବାହାନାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ ଆସୁଛନ୍ତି । ଏକଥା ଆମେ କହୁନାହୁଁ । ଆସନ୍ତା ୨୮ ତାରିଖ ଦିନ ଅମିତ ଶାହାଙ୍କ ଭୁବନେଶ୍ୱର ରାଲି ପ୍ରସଙ୍ଗରେ କଟାକ୍ଷ କରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏଭଳି କହିଛନ୍ତି । ସେ କହିଛନ୍ତି ଯେ, ଶାହାଙ୍କ ପାଇଁ ଦେଶର ବିକାଶ କିମ୍ବା ଆଇନଶୃଙ୍ଖଳା ପରିସ୍ଥିତି ଗୌଣ । ଶାହାଙ୍କ ପାଇଁ ଏକମାତ୍ର ଏଜେଣ୍ଡା ସିଏଏ ଓ ଏନଆରସି । ପୂର୍ବରୁ ବିଜେପି ଗୋଟିଏ ରାଜ୍ୟସଭା ଆସନ ନେଇଥିଲା । ଏବେ ୨ଟିରେ ଆଖି । ସରକାରୀ କାମ ବାହାନାରେ ଅମିତ ଶାହା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ ଆସୁଛନ୍ତି । ଏବେ ବିଜେପି ଓ ବିଜେଡି ପରସ୍ପରର ବିରୋଧରେ ବନ୍ଦ ବୋଲି ଶ୍ରୀ ଜେନା କହିଛନ୍ତି ।ଅନ୍ୟପକ୍ଷରେ ଅମିତ ଶାହା ଭୁବନେଶ୍ୱରରେ ସିଏଏ ସପକ୍ଷ ସଭାକୁ ଆସିବା ନିଷ୍ପତ୍ତି ପ୍ରସଙ୍ଗରେ ବରିଷ୍ଠ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଜେପି ସାରା ଦେଶରେ ସିଏଏ ସପକ୍ଷରେ ଏକପ୍ରକାର କାର୍ଯ୍ୟକ୍ରମ କରୁଛି । ଏହା ତାଙ୍କର ଦଳୀୟ କାର୍ଯ୍ୟକ୍ରମ । ଏ ବାବଦରେ ମତ ଦେବା ଠିକ ହେବନି । କେନ୍ଦ୍ରରେ ବିଜେପି ସରକାର, ଆମେ ବିରୋଧୀ । ରାଜ୍ୟରେ ଆମର ସରକାର ଓ ସେମାନେ ବିରୋଧୀ ବୋଲି ଶ୍ରୀ ମହତାବ କହିଛନ୍ତି । ସେହିପରି ବିଜେଡି ଓ ବିଜେପି ମଧ୍ୟରେ ମଧୁର ସମ୍ପର୍କ ନେଇ ମତ ଦେଇ ଜଳ ଜଳ ହୋଇ ଦିଶୁଛି କେନ୍ଦ୍ର-ରାଜ୍ୟ ସମ୍ପର୍କ ବୋଲି ସେ କହିଛନ୍ତି । ପ୍ରକାଶ ଯେ, ଆସନ୍ତା ୨୮ ତାରିଖ ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱରରେ ରାଲି କରିବେ । ଜନତା ମଇଦାନରେ ନାଗରିକତା ସଂଶୋଧନ ଆଇନ ବା ସିଏ ସପକ୍ଷରେ ହେବାକୁ ଥିବା ରାଲିରେ ଅମିତ ଶାହା ଯୋଗଦେବେ ।ଏହି କାର୍ଯ୍ୟକ୍ରମରେ ଲକ୍ଷେ କାର୍ଯ୍ୟକର୍ତ୍ତା ଯୋଗଦେବେ । ବୁଥସ୍ତରର କର୍ମକର୍ତ୍ତାମାନେ ମଧ୍ୟ ଯୋଗଦେବେ । ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ପରେ ଶାହା ସିଏଏ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୯ ତାରିଖ ଦିନ ସେ ଶ୍ରୀ ଜଗନ୍ନାଥ ଓ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।