ନବୀନ, ନରେନ୍ଦ୍ର ଇନ୍ଦିରାଙ୍କ ଦଶା ଭୋଗିବେ-ଇଣ୍ଡିଆନ ସିଟିଜେନ୍ସ ପାର୍ଟିର ସତର୍କବାଣୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ବିଚାର ବିଭାଗକୁ ସେମାନଙ୍କ ରାଜନୈତିକ ଦଳର ଏକ ଶାଖା ଓ ହାତବାରିସୀ କରିବାକୁ ଭୟଙ୍କର ଉଦ୍ୟମ କରୁଛନ୍ତି ବୋଲି ଇଣ୍ଡିଆନ ସିଟିଜେନ୍ସ ପାର୍ଟି ପକ୍ଷରୁ କୁହାଯାଇଛି ଏବଂ ତାହାର ନିନ୍ଦା କରାଯାଇଛି । ଉଭୟ ବିଜେଡ଼ି ଓ ବିଜେପି ବିଚାର ବିଭାଗକୁ ବେଆଇନ ଭାବେ ପ୍ରଭାବିତ କରିବା ଉଦ୍ୟମରୁ ନିବୃତ୍ତ ନହେଲେ ଆଇନଜୀବୀମାନେ ଉଭୟ ନବୀନ ପଟ୍ଟନାୟକ ଏବଂ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଚାର ବିଭାଗରେ ବିରଷ୍ଠତାକୁ ଉପେକ୍ଷା କରିବାର ସ୍ଥାନ ନାହିଁ । ବିଜେଡ଼ି ସରକାର ବରିଷ୍ଠତାକୁ ଉପେକ୍ଷା କରି ମାନବାଧିକାର କମିଶନ ସଦସ୍ୟ ଜଷ୍ଟିସ ରଘୁବୀର ଦାଶଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିବାରୁ ନବୀନ ପଟ୍ଟନାୟକଙ୍କୁ ଜରୁରୀ ପରିସ୍ଥିତି ପରର ଇନ୍ଦିରା ଗାନ୍ଧୀଙ୍କ ଦଶା ଭୋଗିବାକୁ ପଡ଼ିବ ବୋଲି ଅସିପି କହିଛି । ଆହୁରି ମଧ୍ୟ ବିଚାରପତି ନିଯୁକ୍ତିରେ ଭାରତୀୟ ଜନତା ପାର୍ଟିର ହସ୍ତକ୍ଷେପକୁ ଭାରତବର୍ଷର ଆଇନଜୀବୀମାନେ ବରଦାସ୍ତ କରିବେ ନାହିଁ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ପରିସ୍ଥିତି ପରର ଇନ୍ଦିରା ଗାନ୍ଧୀଙ୍କ ଦଶା ଭୋଗିବେ ବୋଲି ଇଣ୍ଡିଆନ ସିଟିଜେନ୍ସ ପାର୍ଟି ପକ୍ଷରୁ କୁହାଯାଇଛି । ବିଚାର ବିଭାଗର ସ୍ୱାଧୀନତା ଓ ନିରପେକ୍ଷତାକୁ ଅତୁଟ ରଖିବା ପାଇଁ ଇଣ୍ଡିଆନ ସିଟିଜେନ୍ସ ପାର୍ଟି ପ୍ରତିଜ୍ଞାବଦ୍ଧ ।ରାଜ୍ୟ କମିଟି ବୈଠକରେ ସଭାପତି ଓଡ଼ିଶା ହାଇକୋର୍ଟର ଆଡ଼ଭୋକେଟ ତଥା ଗୁପ୍ତଚର ସାପ୍ତାହିକ ଖବରକାଗଜର ସମ୍ପାଦକ ରମେଶ ଚନ୍ଦ୍ର ରାଉତ ସଭାପତିତ୍ୱ କରିଥିଲେ । ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ମଲ୍ଲିକ, କୋଷାଧ୍ୟକ୍ଷ ସନାତନ ଗ୍ରହାଚାର୍ଯ୍ୟ, ଆଡ଼ଭୋକେଟ ସୁକାନ୍ତ କୁମାର ଶ୍ରୀଚନ୍ଦନ, କ୍ଷୀରୋଦ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।