ନବୀନ ନିବାସ ଘେରାଉ ପାଇଁ ଦେହଜୀବୀଙ୍କ ଚେତାବନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାନୁୟାରୀ ୧୩ ତାରିଖରୁ ରାଜଧାନୀରେ ବିଶ୍ୱ କପ୍ ହକି ଖେଳ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଆଉ ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ଗତ କିଛିଦିନ ଧରି କ୍ରମାଗତ ଭାବେ ଉଠାଦୋକାନୀମାନଙ୍କ ଉଚ୍ଛେଦକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ, ବିଏମ୍‌ସି, ବିଡ଼ିଏ, ଏନ୍‌ଏଚ୍ ତରଫରୁ ମିଳିତ ଭାବରେ ବିଶ୍ୱକପ୍ ହକି ଖେଳକୁ ଆଳ କରି ଭୁବନେଶ୍ୱର ବାଣୀବିହାରରେ ଥିବା ଦେହଜୀବୀମାନଙ୍କ ବସ୍ତିକୁ ମଧ୍ୟ ଉଚ୍ଛେଦ କରିଛନ୍ତି । ଯାହାଫଳରେ କି ଭିଟାମାଟି ଛାଡ଼ି ରାଜଧାନୀ ଭୁବନେଶ୍ୱରରେ ଦୀର୍ଘ ୩୦ବର୍ଷ ଧରି ବାଣୀବହାରର ଏକ ଜଙ୍ଗଲକୁ ସଫାକରି, ସେଠାରେ ବାସଗୃହ ନିର୍ମାଣ କରି ଦେହ ବ୍ୟବସାୟ ଜରିଆରେ ଗୁଜୁରାଣ ମେଣ୍ଟାଇ ଆସୁଥିଲେ । ଏବେ ରାଜ୍ୟ ସରକାରଙ୍କ ମିଳିତ ସ୍କ୍ୱାର୍ଡ ମାନ୍ୟବର ସୁପ୍ର୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ବାଣୀବିହାର ଦେହଜୀବୀ ବସ୍ତିରେ ରହୁଥିବା ପାଖାପାଖି ୧୫ଟି ପରିବାରକୁ ଉଚ୍ଛେଦ କରିବା ଫଳରେ ସେମାନେ ବାସହରା ହେବା ସହିତ ଦୁଃଖକଷ୍ଟରେ ନିଜ ପିଲାଛୁଆଙ୍କୁ ଧରି ରାସ୍ତାକଡ଼ରେ ଶୀତ କାକରରେ ରାତ୍ରିଯାପନ କରୁଛନ୍ତି ।ସୂଚନାଯୋଗ୍ୟ ଯେ, ଦେହଜୀବୀମାନେ ଭୁବନେଶ୍ୱରରେ ରହିବା ଫଳରେ ସାଧାରଣ ଘରର ଝିଅବୋହୁମାନେ ମଦୁଆମାନଙ୍କ କବଳରୁ ବଳାତ୍କାରରୁ ରକ୍ଷା ପାଉଛନ୍ତି । ଦେହଜୀବୀମାନେ ନିଜ ଶରୀର ଦାନ କରି ଅନ୍ୟମାନଙ୍କୁ ବଞ୍ଚାଇବା ଏକ ବିରଳ ଉଦାହରଣ । କିନ୍ତୁ ପରିତାପର ବିଷୟ ବିଶ୍ୱକପ୍ ହକି ଖେଳ ନାମରେ ସେମାନଙ୍କ ବସ୍ତି ଭାଙ୍ଗିଦେବା ଏକ ଦୁର୍ଭାଗ୍ୟଜନକ ବୋଲି ଶୁକ୍ରବାରଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଣୀବିହାର ଦେହଜୀବୀ ବସ୍ତିର ସଭାନେତ୍ରୀ ଅଞ୍ଜନା ବେହେରା, ରାନୀ ସାହୁ, ରୀନା ସ୍ୱାଇଁ ପ୍ରମୁଖ କ୍ଷୋଭର ସହ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ୭ ଦିନ ମଧ୍ୟରେ ଯଦି ଦେହଜୀବୀମାନଙ୍କୁ ଥଇଥାନ ନ କରନ୍ତି, ତେବେ ହଜାର ହଜାର ଦେହଜୀବୀମାନେ ନବୀନ ନିବାସ ଘେରଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।ସୂଚନାଥାଉକି, ଓଡ଼ିଶା ବସ୍ତି ମହାସଂଘର ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି ଯେ, ବସ୍ତି ଉଚ୍ଛେଦ ହେଉ କି ଉଠାଦୋକାନୀ ଉଚ୍ଛେଦ ହେଉ, ଓଡ଼ିଶାକୁ ବିଶ୍ୱସ୍ତରରେ ବଦନାମ କରିବା ପାଇଁ କିଛି ଅଣଓଡ଼ିଆ ଆଇଏଏସ୍ ମାନଙ୍କର ଏକ ସୁଚିିନ୍ତିତ ଷଡ଼ଯନ୍ତ୍ର । ତେଣୁ ତୁରନ୍ତ ବିଏମ୍‌ସି, ବିଡ଼ିଏ, ଏନ୍‌ଏଚ୍ ଉଚ୍ଛେଦରୁ କ୍ଷାନ୍ତ ରୁହନ୍ତୁ, ନଚେତ ଆଗାମୀ ଦିନରେ ଭୁବନେଶ୍ୱରରେ ବସବାସ କରୁଥିବା ବସ୍ତିବାସିନ୍ଦା, ଉଠାଦୋକାନୀ ଏବଂ ଦେହଜୀବୀମାନେ ମିଳିତ ଭାବରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଶ୍ରୀଯୁକ୍ତ ସାହୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ