ନବୀନ ବାବୁ ଓଡିଆ ଲୋକଙ୍କୁ ଠକିଛନ୍ତି -ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳ : ରାଜ୍ୟରେ ଲକ୍ଷେ କୋଟି ଟଙ୍କା ଋଣଭାର ହେଲାଣି । ସାଧାରଣ ଜନତା ମୌଳିକ ସେବା ପାଇବାରୁ ବଂଚିତ । ୧୯ ବର୍ଷ ଧରି ରାଜ୍ୟ ଶାସନ କ୍ଷମତାରେ ଥିବା ନବୀନ ବାବୁ ଓଡିଆ ଲୋକଙ୍କୁ ଠକିଛନ୍ତି । ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ କାଳିଆ ଯୋଜନାରେ ହିତାଧିକାରୀଙ୍କ ତାଲିକା ନାହିଁ । ପଇସାର ଅହଙ୍କାରରେ କିଛି ଦୁର୍ନୀତିଗ୍ରସ୍ତ ଲୋକ ଓଡିଆ ଲୋକଙ୍କ ଜନମତକୁ ବିଭ୍ରାଟ କରିବା କାମରେ ଲାଗିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦୀର୍ଘ ୧୯ ବର୍ଷ ହେଲା ରାଜ୍ୟରେ ମାନ୍ୟବର ସରକାରଙ୍କ ଶାସନ ଚାଲିଛି । ମାତ୍ର ସବୁ ଗାଁକୁ ପାଇପ ଯୋଗେ ପିଇବା ପାଣି ପହଁଚିନାହିଁ,୨୪ ଘଂଟା ବିଜୁଳି ନାହିଁ, ସରକାରୀ ସ୍କୁଲ ଗୁଡିକରେ ଶିକ୍ଷକ ନାହାନ୍ତି । ହକି ଖେଳରେ ସଲମାନ ଖାନ୍ ଓ ଶାହରୁଖ ଖାନ୍ଙ୍କୁ ନଚେଇବାକୁ ରାଜ୍ୟ ସରକାରଙ୍କ ପାଖରେ ପଇସା ଅଛି ମାତ୍ର ଓଡିଶାର ଶିକ୍ଷକମାନଙ୍କୁ ଦରମା ଦେବାକୁ ପଇସା ନାହିଁ । ଓଡିଶାର ବିକାଶ ପାଇଁ ରାଜ୍ୟ ସରକାର, ବଦଳିବା ଦରକାର । ଓଡିଶାର ବିକାଶ ପାଇଁ ଦିଲ୍ଲୀ ଏବଂ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ଲଗାଇବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ । ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କଲେ । କୃଷକଙ୍କୁ ଆର୍ଥିକ ସୁବିଧା ଦେବା ପାଇଁ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ୍ ନିଧି ଯୋଜନା ଆରମ୍ଭ କଲେ । ଓଡିଶାର ଗରିବ ଘରର ଲୋକଙ୍କୁ ଶୌଚାଳୟ ବନାଇବା ପାଇଁ ପଇସା ଦେଲେ ମାତ୍ର ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କାରଣରୁ ରାଜ୍ୟ ସରକାର ଓଡିଶାରେ ଏହି ଯୋଜନାମାନ ଲାଗୁ କଲେ ନାହିଁ । ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ ନୀତି ରାଜ୍ୟ ସରକାର ଆପଣେଇଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଆ ଲୋକଙ୍କ ମଧ୍ୟରେ ମାନ୍ୟବର ବ୍ୟବଧାନ ତିଆରି କରିପାରିବେ ନାହିଁ ଜାତୀୟ ରାଜପଥ ୫୫ରୁ ଖୋର୍ଦ୍ଧା-ବଲାଙ୍ଗୀର ପର୍ଯ୍ୟନ୍ତ ରାସ୍ତା ହେବା ହେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଗଲା ମାତ୍ର ରାଜ୍ୟ ସରକାର ଏହାକୁ କରେଇ ଦେଉନାହାନ୍ତି । କେନ୍ଦ୍ର ସରକାରଙ୍କ ୧ ଲକ୍ଷ ୩୬ ହଜାର କୋଟି ଟଙ୍କାର କାମ ରାଜ୍ୟ ସରକାର କରେଇ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଇସାକୁ ଓଡିଶାର ଗାଁ ଗଣ୍ଡାରେ ପହଁଚାଇବାକୁ ଦିଲ୍ଲୀ ଓ ଭୁବନେଶ୍ୱରରେ ମୋଦିଙ୍କ ସରକାରକୁ ଆଣିବାକୁ ପଡିବ । ମୋଦି ସରକାର ଯାହା କହେ ତାହା କରେ । ଅସମ୍ଭବକୁ ସମ୍ଭବ କରିଥିବା ନେତୃତ୍ୱର ନାଁ ହେଲା ନରେନ୍ଦ୍ର ମୋଦି । ଦେଶରେ ଘଡିସନ୍ଧି ମୁହୂର୍ତରେ ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ କରାଇବା ଦରକାର । ଓଡିଶାର ବିକାଶ ପାଇଁ ଓଡିଶା ଏବଂ ଦିଲ୍ଲୀରେ ଡବଲ ଇଞ୍ଜିନ ଲଗାଇବାର ଆବଶ୍ୟକତା ରହିଛି । ଫିର୍ ଏକ୍ ବାର୍ ମୋଦି ସରକାର ବୋଲି ଆହ୍ୱାନ କରିଥିଲେ ।