ନବୀନ ସରକାରରେ କାହାରି ଦାନାପାଣି ମରାଯିବ ନାହିଁ : ବିଧାୟକ ଅନନ୍ତ ଜେନା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ କାହାରି ପେଟ ଅପୋଷା ରଖାଯିବ ନାହିଁ କି କାହାରି ଦାନାପାଣିରେ ଆଞ୍ଚ ଆଣିବାକୁ ଦିଆଯିବ ନାହିଁ ବୋଲି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଦୃଢତାର ସହ କହିଛନ୍ତି । ସ୍ଥାନୀୟ ୨ ନମ୍ବର ୟୁନିଟ୍ସ୍ଥିତ ବାଟ ମହାବୀର ବ୍ୟବସାୟୀ ସଂଘ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧ୍ୟ ବିଧାୟକ ଶ୍ରୀ ଜେନା କହିଲେ ଯେ, ଦୀର୍ଘ ୧୪ ବର୍ଷ ଧରି ରାଜମହଲ ଛକ ନିକଟରେ ୨ଶହ ଦୋକାନୀ ବେପାର ବଣିଜ କରି ଆସୁଛନ୍ତି । ଏମାନେ ବାଟ ମହାବୀର ବ୍ୟବସାୟୀ ସଂଘ ସହିତ ଓତଃପ୍ରୋତ ଭାବେ ଜଡିତ । ୨ଶହ ଦୋକାନରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ବ୍ୟବସାୟୀ ପ୍ରତିପୋଷଣ ହୋଇଥାନ୍ତି । ସେହି ବ୍ୟବସାୟୀମାନଙ୍କୁ ଥଇଥାନ କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରି ବିଧାୟକ ଶ୍ରୀ ଜେନା କହିଲେ ଯେ, ଦୋକାନୀ ଭାଇମାନେ ସ୍ଥାନୀୟ ଲୋକଙ୍କ ସହିତ ସୁସମ୍ପର୍କ ରଖି ବେପାର ବଣିଜ କରନ୍ତୁ । ନବୀନ ପଟ୍ଟନାୟକଙ୍କ ସରକାର ସମସ୍ତଙ୍କୁ ଥଇଥାନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏଣୁ ସମସ୍ତେ କିପରି ଥଇଥାନ ହେବେ, ତାର ବ୍ୟବସ୍ଥା ଶୀଘ୍ର କରାଯିବ । ବିଜେଡ଼ି ରାଜ୍ୟ କମିଟି ଯୁଗ୍ମ ସମ୍ପାଦକ ତଥା ବାଟ ମହାବୀର ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଅଧିବେଶନରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ରାଜ୍ୟଶାଖା ସାଧାରଣ ସମ୍ପାଦକ ଡଃ କରୁଣାକର ପ୍ରଧାନ, ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ସଞ୍ଜୟ ଅଗ୍ରୱାଲ, ୪୦ ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ରାମଚନ୍ଦ୍ର ପ୍ରଧାନ, ସାପ୍ତାହିକ ସମ୍ବାପତ୍ର ‘ଇପିଏ’ର ସମ୍ପାଦକ ଅନିଲ ପ୍ରସାଦ ମିଶ୍ର, ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତି ପଥେ‘ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଚକ୍ରବର୍ତ୍ତୀ ଓ ସମାଜସେବୀ ହିମାଂଶୁ ଭୂଷଣ କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦୋକାନୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ରମେଶଚନ୍ଦ୍ର ସାମନ୍ତରାୟ, ଅକ୍ଷୟ ବେହେରା, ରାକେଶ ପାତ୍ର, ସଂଯୁକ୍ତା ନାୟକ, ଉମା ବେହେରା, ବାଦଲ ତ୍ୟୋତିକ, ବଳରାମ ବେହେରା, ସୟଦ ଅଖତାର ଖାନ, ଅକ୍ଷୟ ସାହୁ, ଇସ୍ରାଏଲ ଖାନ, ମହମ୍ମଦ ଅସଫର, ଏସ୍.କେ. ଆଜାଦଅଲ୍ଲୀ, ମହମ୍ମଦ କରିମ ଖାନ, ଦାଶରଥି ଦାସ ଓ ବିଶ୍ୱଜିତ ବେହେରା ପ୍ରମୁଖଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଜେନା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।