ନବ ନିଯୁକ୍ତ ଫରେଷ୍ଟ ଗାର୍ଡ଼ଙ୍କୁ ପ୍ରଶିକ୍ଷଣ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱର ସମେତ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ନବନିଯୁକ୍ତ ଫରେଷ୍ଟ ଗାର୍ଡଙ୍କ ଉଦ୍ଦେଶ୍ୟରେ ‘ଓଡ଼ିଶା ଜଙ୍ଗଲ ଆଇନ କାର୍ଯ୍ୟକାରିତା ସମ୍ପର୍କିତ ଏକ ଦିବସୀୟ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ବନଖଣ୍ଡ ଅଧିକାରୀ (ଡିଏଫଓ) ସୁମିତ କୁମାର କର ଏହାକୁ ଉଦଘାଟନ ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କର୍ମକ୍ଷେତ୍ରରେ ସାମ୍ଭବ୍ୟ ଆଇନଗତ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ନବନିଯୁକ୍ତ ଫରେଷ୍ଟ ଗାର୍ଡ଼ଙ୍କୁ ସଚେତନ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ସେହିପରି ବନ୍ୟପ୍ରାଣୀ ଓ ଜଙ୍ଗଲ ଜାତ ଦ୍ରବ୍ୟର ସୁରକ୍ଷା ତଥା ଅପରାଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ସମୟରେ ଫରେଷ୍ଟ ଗାଡ଼ଙ୍କ କାର୍ଯ୍ୟଶୈଳୀ ନିର୍ଦ୍ଧାରଣ ସମ୍ପର୍କରେ ଏହି କର୍ମଶାଳାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ଡିଏଫଓ ଶ୍ରୀ କର ପ୍ରକାଶ କରିଥିଲେ । ରାଜ୍ୟସ୍ତରୀୟ ପ୍ରଶିକ୍ଷକ ଶିବ ପ୍ରଦାସ ସାମଲ ଏହି କର୍ମଶାଳାରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ୩ ଜିଲାର ୩୦ରୁ ଅଧିକ ନବନିଯୁକ୍ତ ଫରେଷ୍ଟ ଗାର୍ଡ ଏହି ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇଥିଲେ । ବାଲେଶ୍ୱର ବନଖଣ୍ଡ ଏସିଏଫ ଦିଗାନ୍ତ ଶୋଭନ ଚାନ୍ଦ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


