ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ

ଛତ୍ରପୁର : ଯଦି ଚାଷୀ ପୁଅ ପାଇଁ ଭତା ନାହିଁ, ଯଦି ଚାଷୀର ଧାନ ଦର ବଢିବ ନାହିଁ, ଯଦି ଚାଷୀ ଜମିକୁ ଜଳ ନାହିଁ, ଯଦି ଚାଷୀ ମତକୁ ସମ୍ମାନ ନାହିଁ । ତେବେ ଚାଷୀ ଗାଁରେ ଭୋଟ ବାକ୍ସ ବସିବ କାହିଁକି ବୋଲି ଆଜି ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଚାଷୀଙ୍କ ମତକୁ ପ୍ରାଧାନ୍ୟ ଦେଇ ଚାଷୀକୁ ମାସକୁ ସୁରକ୍ଷା ଭତା ଘୋଷଣା କରାଯାଉ । ତା’ପରେ ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟକାରୀ ହେଉ । ନଚେତ୍ ଚାଷୀମାନେ ଭୋଟ ପ୍ରକ୍ରିୟାକୁ ଅହିଂସକ ରାସ୍ତାରେ ବିରୋଧ କରିବା ପାଇଁ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।
ନବ ନିର୍ମାଣ କୃଷକ ସଂଗଠନର ରଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ୟାଘ୍ରଦେବୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚି ଉପରୋକ୍ତ ଦାବି ସଂପର୍କିତ ନେଇ ଧାରଣା ଦେଇଥିଲେ । ଦେଶରେ ନିର୍ବାଚନର ପର୍ବ ମୁଣ୍ଡ ଉପରେ । ଆଗାମୀ ଅପ୍ରିଲ ୧୧ ତାରିଖରୁ ନିର୍ବାଚନ ଆରମ୍ଭ ହୋଇଯିବ । ଆଜି ଚାରିଆଡେ ସେହି ପର୍ବର କୋଳହଳ । କ୍ଷମତାକୁ ହାତକୁ ନେବା ପାଇଁ ନୀତି ଓ ନୈତିକତା ବଳି ପଡୁଛି । ଚାରିଆଡେ ମଦ, ମାଂସ, ପଇସା ସହିତ୍ ହିଂସାର ତାଣ୍ଡବଲୀଳା । ତାହା ଭିତରେ ବଳି ପଡୁଛି କୃଷକର ସ୍ୱାଧୀନତା । ପାଞ୍ଚ ବର୍ଷ ମଧ୍ୟରେ ଥିବା ୧୮୨୫ ଦିନରୁ ମାତ୍ର ଗୋଟିଏ ଦିନ କୃଷକ ତା’ର ଭୋଟ ଦେବ । ମତ ସାବ୍ୟସ୍ତ କରିବ । ବାକି ୧୮୨୪ ଦିନ ତା’ର ମତକୁ ପୋକମାଛି ପରି ଦଳି ଦିଆଯିବ । ତାକୁ ଗୋରୁ ଗାଇ ଠାରୁ ବି ହୀନ ଅବସ୍ଥାରେ ବ୍ୟବହାର କରାଯିବ କାହିଁକି ? ନବ ନିର୍ମାଣ କୃଷକ ସଂଗଠନ ମାଧ୍ୟମରେ ଅହିଂସକ, ଗଣତାନ୍ତ୍ରିକ ରାସ୍ତାରେ ଚାଷୀ ପ୍ରାଇସ୍, ପ୍ରେଷ୍ଟିଜ୍, ପେନ୍ସନ୍ ଦାବି ଗୁଡିକ ଉପସ୍ଥାପିତ କରିବା ପାଇଁ ଯେତେବେଳେ ଭୁବନେଶ୍ୱରରେ ପହଞ୍ଚିଲା, ସେତେବେଳେ ତା’ର ଦାବି ପୂରଣ କରିବା ତ ଦୂରରେ ଥାଉ ତା’ାକୁ ବିଧାନସଭା ସମ୍ମୁଖକୁ ଦାବି ଗୁଡିକ ଉପସ୍ଥାପିତ କରିବା ପାଇଁ ସୁଯୋଗ ନଦେଇ ଦୁଇଦିନ ପୂର୍ବରୁ ଚାଷୀମାନଙ୍କୁ ଗିରଫ କରିବାର ପର୍ବ ଆରମ୍ଭ କରି ଦିଆଯାଇଥିଲା କାହିଁକି ? ଯେଉଁ ତଥାକଥିତ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଚାଷୀମାନଙ୍କର ନିର୍ବାଚିତ ସଭା ଦ୍ୱାରା, ଚାଷୀକୁ ତା’ର ଦାବି ଗୁଡିକ ଉପସ୍ଥାପିତ କରିବା ପାଇଁ ସୁଯୋଗ ପ୍ରଦାନ କରୁନାହିଁ । ସେହି ନିର୍ବାଚନ ରୂପୀ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଚାଷୀମାନେ କାହିଁକି ସହଯୋଗ କରିବେ ବୋଲି ଆଜି ଧାରଣା ସ୍ଥଳରେ ଚାଷୀମାନେ ବକ୍ତବ୍ୟ ରଖିଥିଲେ । ଉପରୋକ୍ତ ଦାବି ସଂପର୍କିତ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଧାରଣା ସ୍ଥଳରେ ଚାଷୀମାନେ ଆନ୍ଦୋଳନକୁ ତୀବ୍ର କରିଥିବାରୁ ଛତ୍ରପୁର ଥାନା ପୁଲିସ ନବ ନିର୍ମାଣ କୃଷକ ସଂଗଠନର ରଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଥିଲେ । ପରେ ବ୍ୟକ୍ତିଗତ ମୁଚିଲିକାରେ ସମସ୍ତଙ୍କୁ ଛଡାଯାଇଛି ବୋଲି ଏସ୍ଡିପିଓ ଉକ୍ରଳ କେଶରୀ ଦାଶ ଠାରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ