ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ଚାଷୀ,ଚାଷ ଓ ବେକାରୀ ସୁରକ୍ଷା ପାଇଁ ଶୁକ୍ରବାର ନବନିର୍ମାଣ କୃଷକ ସଙ୍ଗଠନର ନାଉଗାଁ ଶାଖା ପକ୍ଷରୁ ନାଉଗାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ତତ୍ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ତହସିଲଦାର ଜେ.କଳ୍ପନାଙ୍କୁ ପ୍ରଦାନ କରାଯାଇଥିଲା । ଦାବି ଗୁଡିକ ମଧ୍ୟରେ ଥିଲା ବିପର୍ଯ୍ୟୟ ସହାୟତା କ୍ଷେତ୍ରରେ ରିଲିଫ ନିୟମ ପରିବର୍ତନ କରାଯାଉ, ୨୦୨୧ ସେପ୍ଟେମ୍ବରରେ ବର୍ଷା ବିତ୍ପାତି ଓ ଡିସେମ୍ବରରେ ହୋଇଥିବା ଜୱାଦ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ, ଜଳସେଚନ ଓ ଜଳନଷ୍କାସନ ପାଇଁ ମାଷ୍ଟରପ୍ଳାନ ପ୍ରସ୍ତୁତ କରିବା, ଖରିଫ ଧାନଚାଷ ପୂର୍ବରୁ ବିଭିନ୍ନ କେନାଲ ଓ ଜଳଉତ୍ସଗୁଡିକ ମାଧ୍ୟମରେ ଜଳ ସଠିକ ରୂପେ ପ୍ରଦାନ କରିବା ସହିତ ଜଳ ନିଷ୍କାସନର ବ୍ୟବସ୍ଥା କରିବା, ମାଙ୍କଡ ଓ ଷଣ୍ଢ ଉପଦ୍ରବ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ସରକାରୀ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, କୃଷିଜାତ ଦ୍ରବ୍ୟକୁ ବିଧିବଦ୍ଧ ଭାବେ ପ୍ରକ୍ରିୟାକରଣ କରାଯିବା ସହିତ ବେକାରୀ ନିଯୁକ୍ତି କରିବା, ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପେନସନ ବ୍ୟବସ୍ଥା କରିବା ଆଦି ଦାବି ରହିଛି । ଧାରଣାସ୍ଥଳରେ ତହସିଲଦାର ଜେ.କଳ୍ପନା ପହଁଚି ଉକ୍ତ ଦାବିପତ୍ର ଗ୍ରହଣ କରିବା ସହିତ ତହସିଲ କାର୍ଯ୍ୟାଳୟ ସଂର୍ପକୀୟ ଦାବି ଗୁଡିକ ତୁରନ୍ତ ସମାଧନ କରାଯିବା ସହିତ ଅନ୍ୟ ବିଭାଗର ଦାବି ଗୁଡିକ ଯେଉଁ ବିଭାଗୀୟ ସହିତ ଜଡିତ ସେହି ବିଭାଗକୁ ଜଣାଯାଇ ଦିଆଯିବ ବୋଲି କହିଥିଲେ । ଧାରଣାରେ ସଂଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ବ୍ଳକ ସଂଯୋଜକ କୈଳାସ ଚନ୍ଦ୍ର ପରିଡା, ନୂଆଗାଁ ପଂଚାୟତ ସମିତି ସଭ୍ୟା ସୁଶ୍ରୀ ଶ୍ରାବଣୀ ରାୟ, ଜାମୁଗାଁ ପଂଚାୟତର ପୂର୍ବତନ ସରପଂଚ ଲଲାଟେନ୍ଦୁ ପରିଡା, ବଂଶୀଧର ବେହେରା, ତ୍ରିଲୋଚନ ରାଉଳ, ରବିନ୍ଦ୍ର ନାଥ ମହାନ୍ତି, ସୁଦିପ୍ତ ଜେନା, ପ୍ରଫୁଲ୍ଲ ପରିଡା, ଚତୁଭୂଜ ମହାନ୍ତି, ଶରତ ଚନ୍ଦ୍ର ନାୟକଙ୍କ ସମେତ ଶତାଧିକ ଚାଷୀ ସାମିଲ ଥିଲେ ।